ଗଂଜାମରୁ ପୁଣି ୫ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪

ଭୁବନେଶ୍ୱର: ଗଂଜାମ ଜିଲ୍ଲାରୁ ଅପରାହ୍ନରେ ପୁଣି ଥରେ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୁରୁଷ (୩୯ ବର୍ଷ, ୪୯ ବର୍ଷ, ୧୬ ବର୍ଷ, ୪୮ ବର୍ଷ ଓ ୪୫ ବର୍ଷ) ଏବଂ ସୁରତରୁ ଫେରି ସଂଗରୋଧ କେନ୍ଦ୍ରରେ ଥିଲେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । କାଲି ଯାଏଁ ଗଂଜାମ ଜିଲ୍ଲାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୁଣି ଥରେ ୧୮ ଜଣ (ସକାଳୁ ୧୨ ଜଣ, ମଧ୍ୟାହ୍ନରେ ଜଣେ ଓ ସନ୍ଧ୍ୟାରେ ୫ଜଣ) କରୋନା ପଜିଟିଭ୍ ବାହାରିଛନ୍ତି । ଏଥି ସହିତ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ ପହଂଚିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୨୯୪ ଛୁଇଁଛି ।

ରାଜ୍ୟର ଅନ୍ୟ ଯେକୌଣସି ଜିଲ୍ଲା ତୁଳନାରେ ଗଂଜାମ ଜିଲ୍ଲାରେ ଦ୍ରୁତ ଗତିରେ କରୋନା ସଂକ୍ରମିତ ବଢ଼ୁଛନ୍ତି । ଏହି ଜିଲ୍ଲାରେ ପ୍ରଥମ ଥର ପାଇଁ ଗତ ୩ ତାରିଖରେ ୨ ଜଣ ପୁରୁଷ ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ଗୋଟିଏ ଦିନରେ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ୭ ତାରିଖରେ ମଧ୍ୟ ୨୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୬ ହଜାର ୩୨୨ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ଏପର୍ଯ୍ୟନ୍ତ ୧୯ଟି ଜିଲ୍ଲାରୁ ମୋଟ ୨୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଂଜ ଜିଲ୍ଲାରୁ ୭ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ, ନୟାଗଡ଼, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୧୯ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।

ସମ୍ବନ୍ଧିତ ଖବର