ଲୋକକଳା ଆର୍ଥିକ ଅନିୟମିତତା ପ୍ରସଙ୍ଗ: ‘ଖର୍ଚ୍ଚ କରିବା ପ୍ରକ୍ରିୟାରେ ସାମିଲ୍‌ ଅଧିକାରୀଙ୍କୁ ଏକାଠି ବସାଯାଉ’

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଲୋକକଳା କାର୍ଯ୍ୟକ୍ରମର ଆର୍ଥିକ ଅନିୟମିତତା ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଅଡିଟ୍ ଉଠାଇଥିବା ଆପତ୍ତିର ଉତ୍ତର ଦେବା ପାଇଁ ପୂର୍ବତନ ପ୍ରକଳ୍ପ ସଂଯୋଜକଙ୍କୁ ସଂସ୍କୃତି ନିର୍ଦ୍ଦେଶକ ଚିଠି ଲେଖିଥିଲେ। ଗତ ସପ୍ତାହରେ ଏହି ଚିଠିର ଉତ୍ତର ଦେଇଛନ୍ତି ପୂର୍ବତନ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ। ଏଥିରେ ସେ ଦର୍ଶାଇଛନ୍ତି ଯେ ପ୍ରତ୍ୟେକଟି ଖର୍ଚ୍ଚ ସରକାରୀ ପ୍ରକ୍ରିୟାରେ ମଞ୍ଜୁର ହୋଇଛି। ନିର୍ଦ୍ଦେଶକ ଓ ତାଙ୍କ ଟିମ୍(ଉପ ନିର୍ଦ୍ଦେଶକ/ ଉପସଚିବ/ଯୁଗ୍ମ ନିର୍ଦ୍ଦେଶକ), ଅଡିଟର୍, ଡିଡିଓ ଏହି ପ୍ରକ୍ରିୟାରେ ସାମିଲ ହୋଇଥା’ନ୍ତି। ସେ ନିଜେ ଏହି ପ୍ରକ୍ରିୟାରେ ତଳ ସ୍ତରର ଅଧିକାରୀ, ଯିଏ କେବଳ ଯୋଜନା ଓ ତାହାର ଖର୍ଚ୍ଚ ସମ୍ପର୍କରେ ପ୍ରସ୍ତାବ ଦିଅନ୍ତି। ଉପରିସ୍ଥ ଅଧିକାରୀଙ୍କ ମଞ୍ଜୁରୀ ପରେ ହିଁ ଅର୍ଥ ଖର୍ଚ୍ଚ ହୋଇଥାଏ। ତେଣୁ ଫାଇଲ୍‌ଗୁଡ଼ିକ ପାଇଁ ଏହି ସବୁ ଅଧିକାରୀ ଉତ୍ତରଦାୟୀ। ତେଣୁ ସମସ୍ତେ ଏକାଠି ବସିଲେ ଏହି ଖର୍ଚ୍ଚ ସଂକ୍ରାନ୍ତୀୟ ସମସ୍ତ ଆପତ୍ତି ଅଭିଯୋଗର ଉତ୍ତର ଅଡିଟ୍ ଟିମ୍‌କୁ ଦିଆଯାଇପାରିବ। ଏହି ପ୍ର୍ରକିୟାରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କୁ ଏକାଠି ବସାଇବାର ବନ୍ଦୋବସ୍ତ କରାଯାଉ। ଯେଉଁ ଦିନ ଡକାଯିବ, ସେ ନିଜେ ସଂସ୍କୃତି ନିର୍ଦ୍ଦେଶାଳୟକୁ ଯାଇ ନିର୍ଦ୍ଦେଶକ ଓ ତାଙ୍କ ଟିମ୍‌କୁ ଅଡିଟ୍ ଟିମ୍‌ର ଉତ୍ତର ଦେବା ପାଇଁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ମାଲବିଶୋୟୀ ଚିଠିରେ ଦର୍ଶାଇଛନ୍ତି। ସେ ଏହି ଚିଠିର ନକଲ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ଓ ଅଡିଟ୍ ଅଧିକାରୀଙ୍କୁ ପଠାଇଛନ୍ତି। ଏହି ଚିଠିକୁ ସେ ସ୍ପିଡ୍ ପୋଷ୍ଟ ଓ ମେଲ୍ ଯୋଗେ ପ୍ରେରଣ କରିଛନ୍ତି। ଗତ ମାସରେ ମଧ୍ୟ ସେ ସଂସ୍କୃତି ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ସେଠାରୁ କୌଣସି ଉତ୍ତର ମିଳି ନଥିଲା। ସେ ଚାକିରିରେ ନଥିବାରୁ ଅଫିସ୍‌ ଯାଉନାହାନ୍ତି। ଏହି ସମୟରେ ସେ କିପରି ଅଡିଟ୍‌ ଟିମ୍‌ର ଉତ୍ତର ଦେବେ ବୋଲି ପ୍ରଶ୍ନ କରିଛନ୍ତି।

ସେହିପରି ୬୫ଟି ଫାଇଲ୍ ମିଳୁ ନଥିବା ନେଇ ସେପ୍ଟେମ୍ବର ମାସରେ ଶ୍ରୀ ମାଲବିଶୋୟୀଙ୍କୁ ସଂସ୍କୃତି ବିଭାଗ ଚିଠି ଲେଖିଥିଲା। ଏହି ଫାଇଲ୍ ହଜିବା ସମ୍ପର୍କରେ ସଂସ୍କୃତି ନିର୍ଦ୍ଦେଶକ ବଡ଼ଗଡ଼ ଥାନାରେ ମଧ୍ୟ ଏତଲା ଦେଇଥିଲେ। ଏହି ଚିଠିର ଉତ୍ତର ମଧ୍ୟ ଶ୍ରୀ ମାଲବିଶୋୟୀ ଲେଖିଛନ୍ତି। ତାଙ୍କର ଯୁକ୍ତି ହେଉଛି ଯେ ସେ ୨୬୩ଟି ଫାଇଲ୍ ଏଏସ୍ଓଙ୍କୁ ହସ୍ତାନ୍ତର କରିଥିଲେ। ଯେଉଁ ୬୫ଟି ଫାଇଲ୍ ହଜିବା କଥା କୁହାଯାଉଛି, ସେଥିରୁ ୩୭ଟି ଫାଇଲ୍ ସେହି ୨୬୩ଟି ଫାଇଲ୍ ମଧ୍ୟରେ ରହିଛି। ତାହାର ତାଲିକା ଶ୍ରୀ ମାଲବିଶୋୟୀ ସଂସ୍କୃତି ବିଭାଗକୁ ଦେଇଛନ୍ତି। କୌଣସି ସରକାରୀ ଫାଇଲ୍ ସେ ଘରକୁ ଆଣିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଶ୍ରୀ ମାଲବିଶୋୟୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ୨୦୨୨ ମସିହା ଲୋକକଳା ସଂଘ ପାଇଁ କଳାଯୁଗ। ସଂଘକୁ ଭାଙ୍ଗିବା ପାଇଁ କିଛି ନ୍ୟସ୍ତ ସ୍ବାର୍ଥ ଓ ସରକାରୀ ବିରୋଧୀ ଚିନ୍ତାଧାରାର ଅଇକାରୀମାନେ ସକ୍ରିୟ ଅଟନ୍ତି। ଜଣେ ବିଭାଗର ବଡ଼ ବାବୁଙ୍କ ନିର୍ଦ୍ଦେଶକ୍ରମେ ସଂଘକୁ ଭାଙ୍ଗିବା ଉଦ୍ଦେଶ୍ୟରେ ପ୍ରକଳ୍ପ ସଂଯୋଜକଙ୍କୁ ଅଠା ବୋଳା ନୀତି ମାର୍ଚ୍ଚ ମାସରୁ ଆରମ୍ଭ ହୋଇଛି। କିନ୍ତୁ ସତ୍ୟ କେବେ ଲୁଚି ରହିବନି। ଖୁବ୍ ଶୀଘ୍ର ଭଲ ଦିନ ଆସିବ ବୋଲି ସମସ୍ତଙ୍କର ଆଶା ରହିଛି।

ସମ୍ବନ୍ଧିତ ଖବର