ନକ୍ସଲ ଗଡ଼ରେ ବିଦେଶୀ ଦମ୍ପତି, ଖବର ପାଇ ଅଟକାଇଲା ପ୍ରଶାସନ

ମାଲକାନଗିରି/ଖଇରପୁଟ : ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବିଦେଶୀ ଦମ୍ପତି ବୁଲିବା ଘଟଣା ଆଜି ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଥିଲା। ଖବର ପାଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦମ୍ପତିଙ୍କୁ ଖୋଜିବାକୁ ନିର୍ଦେଶ ଦେଇଥିଲା। ଅନ୍ୟପଟେ ଅପହଞ୍ଚ ଇଲକାରେ ପ୍ରଶାସନିକ ଅଧିକାରୀ ଉଭୟଙ୍କୁ ଖୋଜିଖୋଜି ନାକେଦମ ହୋଇଥିଲେ। ବହୁ କଷ୍ଟରେ ଦୁର୍ଗମ ଅଞ୍ଚଳରେ ଦୁହିଁଙ୍କୁ ଠାବ କରି ଅଣାଯାଇଥିଲା। ଦୁହେଁ ବିନା ଅନୁମତିରେ ବଣ୍ଡା ଘାଟିକୁ ଆସିଥିଲେ। ତେଣୁ ପଚରା ଉଚୁରା ପରେ ବାରଣ କରି ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ପର୍ଯ୍ୟଟକଙ୍କ ପାଇଁ ସରକାର ପୂର୍ବରୁ ରଖିଥିବା କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ଏପରିକି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଯେମିତି ଆସିବେ ସେଥିପାଇଁ ବିଶେଷ ଗୁରୁତ୍ବ ବି ଦେଉଛନ୍ତି। କିନ୍ତୁ ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ମାଓବାଦୀଙ୍କ ଗତିବିଧି ସାମାନ୍ୟ ବୃଦ୍ଧି ପାଇଥିବାରୁ ଏହି ଅଞ୍ଚଳକୁ ପର୍ଯ୍ୟଟକ ଯିବା ଆଦୌ ସୁରକ୍ଷିତ ନାହିଁ। ସେହିପରି ମାଓବାଦୀଙ୍କ ଏହି ଗଡ଼କୁ କେହି ପର୍ଯ୍ୟଟକ ଯିବା ପୂର୍ବରୁ ଗୃହ ବିଭାଗକୁ ଅବଗତ କରିବାକୁ ନିର୍ଦେଶ ରହିଛି। ହେଲେ ଇଟାଲିରୁ ଆସିଥିବା ଦମ୍ପତି ଇଣ୍ଡିଗୋ ସେସୋଡି ଏବଂ ଫ୍ରାଙ୍କ ସାଖା ଆଜି ହଠାତ୍ ବଣ୍ଡାଘାଟିରେ ପହଞ୍ଚି ଦୁର୍ଗମ ଅଞ୍ଚଳକୁ ଚାଲି ଯାଇଥିଲେ। ଜଣେ ଇଗନୋ ଶିକ୍ଷକଙ୍କ ସହାୟତାରେ ଏମାନେ ବଣ୍ଡା ଘାଟିରେ ବୁଲାବୁଲି କରୁଥିଲେ। ଏନେଇ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା। ଦିନ ବେଳା ଯେଉଁ ଅଞ୍ଚଳକୁ ପ୍ରଶାସନିକ ଅଧିକାରୀ ଯିବାକୁ ଭୟ କରନ୍ତି ସେଠାକୁ ବିଦେଶୀ ଦମ୍ପତି ବୁଲିବାକୁ ଯିବା ପ୍ରଶାସନର ହୋସ୍ ଉଡ଼ାଇ ଦେଇଥିଲା। ତହସିଲଦାର ସୂଚନା ପାଇବା ପରେ ଉଭୟଙ୍କୁ ବଣ୍ଡାଘାଟିରେ ଖୋଜିବା ଆରମ୍ଭ କରିଥିଲେ। ଦୁହିଁଙ୍କୁ ଠାବ କରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଥିଲେ। ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା ଏମାନଙ୍କୁ ବଣ୍ଡାଘାଟିକୁ ଆସିବାର ଉଦ୍ଦେଶ୍ୟ ଏବଂ ଅନୁମତି ସଂପର୍କରେ ପଚାରିଥିଲେ। ତେବେ ପୂର୍ବରୁ ପ୍ରଶାସନକୁ ଏମାନେ ଗସ୍ତ ସଂପର୍କରେ ଅବଗତ କରାଇ ନଥିଲେ କିମ୍ବା ଗୃହ ବିଭାଗ ନିକଟରୁ କୌଣସି ଅନୁମତି ଆଣି ନଥିବା ଜଣାଇବା ସ୍ପଷ୍ଟ କରିଥିଲେ। ଏହାପରେ ତୁରନ୍ତ ସ୍ଥାନ ଛାଡ଼ି ଚାଲି ଯିବାକୁ କୁହାଯାଇଥିଲା। ଯିବା ପୂର୍ବରୁ ବିଦେଶୀ ଦମ୍ପତିଙ୍କ ସଂପୂର୍ଣ୍ଣ ବିବରଣୀ ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର