ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟଗାର୍ଡ଼ ନିଲମ୍ବିତ; ବଡ଼ବଡ଼ିଆଙ୍କୁ ମାଫ୍, ତଳିଆଙ୍କୁ ଟାର୍ଗେଟ୍

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧୀନ ବେଲପଡ଼ା ଗ୍ରାମରେ ଗତ ୧୩ ତାରିଖରେ ବନ୍ୟଜନ୍ତୁ ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଛୁଆ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବନ ବିଭାଗ ପୂର୍ବରୁ ଚାରିଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦାୟିତ୍ବରେ ଅବହେଳା ଦର୍ଶାଇ ବନପଲ୍ଲୀ ବିଟ୍‌ ଫରେଷ୍ଟଗାର୍ଡ଼ କୃଷ୍ଣ ଗୌଡ଼ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। କୃଷ୍ଣ ଜିଲିଭା ସହ ବନପଲ୍ଲୀ ବିଟ୍‌ର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। କିନ୍ତୁ ମାର୍‌ ମାର୍ ଭଣ୍ଡାରିଆକୁ ମାର୍ ନୀତିରେ ହଠାତ୍ ଜଣେ ଫରେଷ୍ଟଗାର୍ଡ଼ଙ୍କୁ ନିଲମ୍ବନ କରି ବଡ଼ବଡ଼ିଆଙ୍କ ଦୋଷ ଲୁଚାଇବାକୁ ଅଧିକାରୀମାନେ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ତଳତଳିଆ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀମାନେ ଢାଲ କରି ନିଜ ଉପରୁ ଦୋଷ ଛଡ଼ାଇନେଇଛନ୍ତି। ଯାହାକି ବନ ବିଭାଗର ଅପାରଗତାକୁ ପଦାରେ ପକାଇଛି। ପୂର୍ବରୁ ବୁଗୁଡ଼ା ବନାଞ୍ଚଳରେ ବନ୍ୟଜନ୍ତୁ ଶିକାର ସହ ମାଂସ ଅବାଧ ଭାବେ ବିକ୍ରି ହେଉଥିଲା। ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତରବରିଆ ଭାବେ ବେଲପଡ଼ା ଗ୍ରାମର ୭ ଜଣଙ୍କୁ ଉଠାଇ ଅଣା ଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା। ତେବ‌େ ଏଯାଏ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ପାରିନି।

ସମ୍ବନ୍ଧିତ ଖବର