ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆଙ୍କ ଦେହାନ୍ତ

ବୀରମହାରାଜପୁର : ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ (୭୦ ବର୍ଷ)ଙ୍କ ପରଲୋକ ହୋଇଛି। ବୁର୍ଲା ସ୍ଥିତ ତାଙ୍କ ଝିଅ ଘରେ ସୋମବାର ରାତି ୮.୪୫ମି.ରେ ‌ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ହେଲା ସେ କାମଳ ରୋଗର ପୀଡ଼ିତ ହୋଇଥିଲେ। ଭୁବନେଶ୍ବର ଓ ହାଇଦ୍ରାବାଦରେ ଚିକିତ୍ସତ ହୋଇ ସୁସ୍ଥ ହେବା ପରେ ତାଙ୍କ ତୃତୀୟ ଝିଅ ସଂଘମିତ୍ରା ଓ ଜ୍ବାଇଁ ପ୍ରୟାସ ଦଣ୍ଡସେନାଙ୍କ ଘରେ ରହୁଥିଲେ। ସ୍ବର୍ଗତ ତରିଆଙ୍କ ପତ୍ନୀ ଶୈଳସୁତା, ୫ ଝିଅ ନିବେଦିତା, ସଂଘମିତ୍ରା, ଅରୁନ୍ଧତୀ, ଅନୁରାଧା ଓ ପଲ୍ଲବୀ, ୪ ଜ୍ବାଇଁ, ପରିବାର ବର୍ଗ ଅଛନ୍ତି। ରାତିରେ ତାଙ୍କ ପାର୍ଥିବ ଶରୀର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପହଞ୍ଚିବ ଏବଂ ମଙ୍ଗଳବାର ଶେଷକୃତ୍ୟ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

ସ୍ବର୍ଗତ ତରିଆ ଜଣେ ଦକ୍ଷ ସଂଗଠକ ଭାବରେ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ବେଶ ପରିଚିତ ଥିଲେ। ସେ ୧୯୫୨ ଜାନୁଆରି ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପକଣ୍ଠ ଉଫୁଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଉଫୁଲାରେ ପ୍ରାଥମିକ ଶିକ୍ଷା, ବୀରମହାରାଜପୁର ହାଇସ୍କୁଲରୁ ମାଟ୍ରିକ ପାସ କଲା ପରେ  ସୋନପୁର କଲେଜ୍ ଓ ରାଜେନ୍ଦ୍ର କଲେଜରେ ଅଧ୍ୟୟନ କରିଥିଲେ। ସମ୍ବଲପୁର ଆଇନ୍ କଲେଜରୁ ଆଇନ୍ ଡିଗ୍ରି ହାସଲ କଲା ପରେ ସୋନପୁରରେ ଓକିଲାତି ଆରମ୍ଭ କରିଥିଲେ। ସୋନପୁର ଅଞ୍ଚଳରେ ସେ ଜଣେ ଦକ୍ଷ ଆଇନଜୀବୀ ଭାବରେ ପ୍ରସଦ୍ଧି ଲାଭ କରିଥିଲେ।

ବୀରମହାରାଜପୁର କୋର୍ଟ ହେବା ପରେ ସେଠାରେ ପ୍ରାକ୍ଟିସ କରିଥିଲେ। ପରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କଂଗ୍ରେସ ଟିକଟରୁ ୧୯୮୫ ମସିହାରେ ବୀରମହାରାଜପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେମାନନ୍ଦ ବିଶ୍ବାଳଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ କୃଷି ଓ ସମବାୟ ମନ୍ତ୍ରୀ ଭାବରେ ଦକ୍ଷତା ସହିତ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଥିଲେ। ତାଙ୍କର ସମୟରେ ବୀରମହାରାଜପୁରକୁ ଉପଖଣ୍ଡର ମାନ୍ୟତା ମିଳିଥିଲା। ଏହା ସହିତ ବୀରମହାରାଜପୁର ଉପଖଣ୍ଡସ୍ତରୀୟ ୭ଟି ବିଭାଗର ଉପଖଣ୍ଡସ୍ତରୀୟ କାର୍ଯ୍ୟାଳୟ ଖୋଲିଥିଲା। ବୀରମହାରାଜପୁର ମହାବିଦ୍ୟାଳୟ ସେ ପ୍ରତିଷ୍ଠାତା ସମ୍ପାଦକ ଥିଲେ। ଏହା ବ୍ୟତୀତ ସୁବଳୟା କଲେଜ୍, ଖଣ୍ଡହଥା, ଲୁତୁରପଙ୍କଠାରେ  ଆୟୁର୍ବେଦ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ। କିଛି ଦିନ ପୂର୍ବରୁ ସେ ବୀରମହାରାଜପୁର ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର