ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣା: ଅବିବାହିତ ମାତୃତ୍ବ ପାଇଁ ତଣ୍ଟିଚିପି ମାରିଥିଲେ

ମୃତକଙ୍କ ଭାଇ ସମେତ ୪ ଗିରଫ, ମୃତ ଯୁବତୀଙ୍କ ଶିଶୁକନ୍ୟା ସୁରକ୍ଷିତ

ନୂଆପଡ଼ା/କୋମନା : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର କରିବାର ୬ ଦିନ ପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ଅବିବାହିତା ଥିବା ଏହି ଯୁବତୀ ଏକ କନ୍ୟା ସନ୍ତାନ ଜନ୍ମଦେବାରୁ ତାଙ୍କୁ ତଣ୍ଟଚିପି ହତ୍ୟା କରାଯାଇଥିବା ପୁଲିସ କହିଛି। ହତ୍ୟା ଅଭିଯୋଗରେ ଯୁବତୀଙ୍କ ଭାଇ ନେତ୍ରା ଶଗରିଆ (୨୬ବର୍ଷ), ପ୍ରେମିକ ଉମାଶଙ୍କର ପାଣିଗ୍ରାହୀ (ବାପୀ)ଙ୍କ ଏବଂ ୨ ଜଣ ସହଯୋଗୀ ସୁକଲ ଦାସ (୬୧ବର୍ଷ) ଓ ଭବାନୀଶଙ୍କର ପାଣିଗ୍ରାହୀ (୩୫ବର୍ଷ)ଙ୍କୁ ଗିରଫ କରାଯାଇଛି। ଏନେଇ ରବିବାର କୋମନା ଥାନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସ୍‌ଡିପିଓ ପ୍ରଶାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଗତ ମାର୍ଚ୍ଚ ୯ ତାରିଖ କୋମନା ଥାନାର ଜଣେ ଯୁବତୀ ନିଖୋଜ ହୋଇଥିବା ଅଭିଯୋଗ ଆସିଥିଲା। ଏହାକୁ ନେଇ କୋମନା ପୁଲିସ୍‌ ତଦନ୍ତ ଜାରି ରଖିଥିଲା। ଗତ ୭ ତାରିଖ ଦିନ ସୁନାବେଡ଼ା ଅଭୟାରଣ୍ୟ ରୁପିଆମ ନାଳରୁ ଜଣେ ଯୁବତୀଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା। ପୁଲିସ୍ କଙ୍କାଳ ଉଦ୍ଧାର କରି ଡିଏନ୍‌ଏ ପରୀକ୍ଷା ପାଇଁ ପଠାଇଥିଲା। ପରୀକ୍ଷା ରିପୋର୍ଟରୁ ଯୁବତୀ ଜଣକ ସୁଶୀଳା ଶଗରିଆ ବୋଲି ଜଣାପଡ଼ିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିବା ପରେ ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା ଆରମ୍ଭ କରିଥିଲା। ଜେରା ସମୟରେ ପ୍ରକୃତ ଘଟଣା ଅଭିଯୁକ୍ତମାନେ ପ୍ରକାଶ କରିଥିଲେ। ଅଭିଯୁକ୍ତମାନଙ୍କ ସ୍ବୀକାରୋକ୍ତି ଅନୁସାରେ, କୋମନା ଥାନା ଆଗ୍ରେନ ଗ୍ରାମର ସୁଶୀଳା ଶଗରିଆ (୨୨ବର୍ଷ) କୋମନା ସଦରର ଭବାନୀଶଙ୍କର ପାଣିଗ୍ରାହୀ ଓ ଉମାଶଙ୍କର ପାଣିଗ୍ରାହୀଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ। ଉମାଶଙ୍କର ପ୍ରେମ କରିବା ବାହାନାରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ପରେ ସୁଶୀଳା ୭ ମାସର ଗର୍ଭବତୀ ଥିବା ଜାଣି ଗର୍ଭପାତ କରାଇବାକୁ ଯୋଜନା କରିଥିଲା। ଲୋକଲଜ୍ଜାରୁ ବଞ୍ଚିବା ପାଇଁ ଉମାଶଙ୍କର ଓ ଯୁବତୀଙ୍କ ଭାଇ ନେତ୍ରା ଗର୍ଭପାତ କରାଇବା ପାଇଁ ସୁଶୀଳାଙ୍କୁ ପ୍ରଥମେ ଭେଲା ଡାକ୍ତରଖାନା ଓ ପରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଗର୍ଭପାତ କରିବାକୁ ମନା କରିବାରୁ କେସିଙ୍ଗାର ଏକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସୁଶୀଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହି ଶିଶୁକନ୍ୟାକୁ କେସିଙ୍ଗାର ଜଣେ ବ୍ୟକ୍ତିଙ୍କୁ ପାଳିବା ପାଇଁ ଦେଇ ଦେଇଥିଲେ। ପରେ ଯୁବତୀଙ୍କୁ ସୁନାବେଡ଼ାର ସୁକଲ ଦାସଙ୍କ ଘରେ ରଖିଥିଲେ। ସୁଶୀଳା ପୁଲିସ୍‌ ଆଗରେ ସବୁକଥା କହିଦେବ ବୋଲି କହିବାରୁ ତାକୁ ହତ୍ୟା କରିବାର ଷଡ଼୍‌ଯନ୍ତ୍ର କରିଥିଲେ।

ସୁକଲ ଦାସ, ନେତ୍ରା ଶଗରିଆ ଓ ଉମାଶଙ୍କର ପାଣିଗ୍ରାହୀ ଏକ ପିକ୍‌ଅପ୍‌ ଭ୍ୟାନ୍‌(ଓଆର୍‌ ୧୩ ଏଫ ୨୦୨୨)ରେ ଯୁବତୀଙ୍କୁ ଆଣି ସୁନାବେଡ଼ା ଜଙ୍ଗଲରେ କପଡ଼ାରେ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ରୁପିଆମ ନାଳରେ ଶବକୁ ଫିଙ୍ଗି ଦେଇ ଫେରାର୍ ମାରିଥିଲେ ବୋଲି ପୁଲିସ୍‌ ଆଗରେ ସ୍ବୀକାର କରିଛନ୍ତି। ପୁଲିସ୍‌ ହତ୍ୟାକାଣ୍ଡରେ ବ୍ୟବହୃତ ୩ଟି ମୋବାଇଲ ଫୋନ୍‌ ସହ ଏକ କାର୍ (ଓଡି ୩୩ ଏଡି ୩୧୧୩) ଓ ଏକ ବାଇକ୍ (ସଜି -୦୬-୮୫୮୩)କୁ ଜବତ କରିଛି। ଅନ୍ୟପକ୍ଷରେ ମୃତ ଯୁବତୀଙ୍କ ଶିଶୁକନ୍ୟା କେସିଙ୍ଗାରେ ସୁରକ୍ଷିତ ରହିଥିବା ପୁଲିସ୍‌ ପ୍ରକାଶ କରିଛି। ସାମ୍ବାଦିକ ସମ୍ମିଳନୀରେ କୋମନା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼, ଏସ୍‌ଆଇ ମଞ୍ଜୁଲତା ‌ଖେଡେଙ୍ଗା, ଜିତୁ ମହାନନ୍ଦ, ଜ୍ୟୋତି ରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର