ଡ୍ରାଇଭିଂ ଟେଷ୍ଟରେ ବି ଜାଲିଆତି: ଅସଲଙ୍କ ପାଇଁ ଆସିଥିଲେ ୪ ନକଲି, ଲାଗିଲା ୫୫ ହଜାର ଜରିମାନା

ମଦ୍ୟପାନ କରି ଟେଷ୍ଟିଂ ପାଇଁ ଆସିଥିବା ବ୍ୟକ୍ତି ଗିରଫ

ସୁନ୍ଦରଗଡ଼: ଡ୍ରାଇଭିଂ ଲାଇସେନ୍ସ ପାଇଁ ହୋଇଥିବା ପରୀକ୍ଷାରେ ମଧ୍ୟ ଜାଲିଆତି ପଦାକୁ ଆସିଛି। ଅସଲ ଆବେଦନକାରୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିବା ୪ ନକଲି ଧରା ପଡ଼ିଛନ୍ତି। ଫଳରେ ୪ ଜଣ ଆବେଦନକାରୀଙ୍କୁ ୫୫ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ମଦ ପିଇ ଆସିଥିବାରୁ ତାଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।

ଚର୍ଚ୍ଚାର ଖୋରାକ ଯୋଗାଇଥିବା ଏହି ଘଟଣାଟି ଆଜି ଘଟିଥିଲା ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟ ନିକଟସ୍ଥ ଡ୍ରାଇଭିଂ ଟେଷ୍ଟିଂ କେନ୍ଦ୍ରରେ ଘଟିଥିଲା। ମଟରଯାନ ନିରୀକ୍ଷକ ରାମଦାମ ଟୁଡୁଙ୍କ ସୂଚନା ଅନୁସାରେ, ପଞ୍ଚମହଲ ମାଲିଡିହିର ଭାଗୀରଥି ତନ୍ତୀ ନିଜ ବାଇକ୍‌(ଓଆର୍୧୬ ଇ ୭୩୫୬), ଧରୁଆଡିହି କର୍ଲାର ତପସ୍ୟା ପ୍ରଧାନ ( ଓଆର୍୧୬ଏ ୦୨୪୦), କନିକା ହେମଗିରର ବିଜୟ ଡୁଙ୍ଗୁରି (ଓଡି-୨୩ଏଚ୍‌୦୯୪୩), ଫଗୁଆପଡ଼ାର ବୀରେନ୍ଦ୍ର ଭଇଁସାଲ (ଓଆର୍୧୬ଡି-୨୪୩୫)ରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରି ଗାଡ଼ି ଚାଳନା ପରୀକ୍ଷା ଦେବାକୁ ଆସିଥିଲେ। କିନ୍ତୁ ସେମାନଙ୍କ ପ‌ାଇଁ ୪ ଜଣ ନକଲି ବ୍ୟକ୍ତି ପଡ଼ିଆରେ ପହଞ୍ଚିଥିଲେ। ଆବେଦନକାରୀଙ୍କ ଫଟୋ ସହ ନକଲିଙ୍କ ଚେହେରା ମେଳ ନ ଖାଇବାରୁ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା, କର୍ମଚାରୀ ଦେବେନ୍ଦ୍ର ଖର୍ସେଲଙ୍କ ସହ ଖୋଳତାଡ଼ କରିଥିଲେ ନିରୀକ୍ଷକ ଶ୍ରୀ ଟୁଡୁ। ଏହା ପରେ ଜାଲିଆତି ସାମ୍ନାକୁ ଆସିଥିଲା। ତେଣୁ ୪ ଜଣଙ୍କ ଆବେଦନକୁ ଖାରଜ କରି ଦେବା ସହ ସେମାନଙ୍କୁ ଜରିମାନା କରାଯାଇଥିଲା।

ଭାଗୀରଥି ତନ୍ତୀଙ୍କୁ ୭୫୦୦ ଟଙ୍କା ଜରିମାନା କରାଯାଇଥିବା ବେଳେ ତପସ୍ୟା ପ୍ରଧାନଙ୍କୁ୧୭୫୦୦, ବିଜୟ ଡୁଙ୍ଗୁରିଙ୍କୁ ୧୭୫୦୦ ଓ ବୀରେନ୍ଦ୍ର ଭଇଁସାଲକୁ ୧୨୫୦୦ ଜରିମାନା କରାଯାଇଥିଲା। ଏହା ସହ ମଦ୍ୟପାନ କରି ଟେଷ୍ଟିଂ ପାଇଁ ଆସିଥିବାରୁ ବୀରେନ୍ଦ୍ର ଭଇଁସାଲକୁ ପରିବହନ ବିଭାଗ ପୁଲିସକୁ ହସ୍ତାନ୍ତର କରିଥିଲା। ପୁଲିସ ବୀରେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ନକଲି ମାନଙ୍କୁ ତାଗିଦ କରି ଛାଡ଼ି ଦିଆଯାଇଥିବା ମଟରଯାନ ନିରୀକ୍ଷକ ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର