ଚାକିରି ଆଳରେ କୋଟି କୋଟି ଟଙ୍କା ଠକେଇ ଘଟଣା: ବିହାରରୁ ଆଉ ଜଣେ ଗିରଫ

ଭୁବନେଶ୍ବର‌ : ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲି ଚାକିରି ନାଁରେ ଲକ୍ଷ ଲକ୍ଷ ଆଶାୟୀଙ୍କୁ କୋଟି କୋଟି ଟଙ୍କା ଲୁଟ୍‌ କରିଥିବା ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଆଉ ଜଣେ ଠକକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ବିହାରରୁ ଗିରଫ କରିଛି। ସେ ହେଲା, ବିହାର ସିୱନ୍‌ ମହାରାଜଗଂଜ ଅଞ୍ଚଳର ଅମିତ କୁମାର ସିଂ। ଗିରଫ ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ଅମିତ ଜଣେ ଆଇଟି ଗ୍ରାଜୁଏଟ୍‌। ସେ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାରେ ବ୍ୟବହୃତ ସମସ୍ତ ୱେବ୍‌ସାଇଟକୁ ପରିଚାଳନା କରୁଥିଲା। ଅମିତ ଠକମାନଙ୍କୁ ସହଯୋଗ କରି ଆସୁଥିଲା। ଏଥିପାଇଁ ସପ୍ତାହକୁ ସେ ସେମାନଙ୍କଠାରୁ ୪୦ ହଜାର ଟଙ୍କା ନେଉଥିଲା।

ସୂଚନା ମୁତାବକ, ଗତ ୨୦୨୦ ମସିହାରୁ ଅମିତ, ଧରମପାଲ, ଜୟରାମ ଓ ସହଯୋଗୀମାନେ ଚାକିରି ପାଇଁ ଆବେଦନ କରୁଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍‌ କରିଥିଲେ। ସେମାନଙ୍କୁ ଲୁଟିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଆଶାୟୀଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ସରକାରୀ ୱେବ୍‌ସାଇଟ୍‌ ଭଳି ଅବିକଳ ଜାଲ୍‌ ୱେବ୍‌ସାଇଟ୍‌ ତିଆରି କରିଥିଲେ। ଦେଶର ୧୭ଟି ରାଜ୍ୟର ଜିଲ୍ଲାଗୁଡ଼ିକରେ ବ୍ଲକ କୋର୍ଡିନେଟର, କମ୍ପୁଟର ଅପରେଟର, ବ୍ଲକ ସର୍ଭେୟର ଆଦି ପଦବି ପାଇଁ ଅବେଦନ କରିବାକୁ ବିଜ୍ଞାପନ ଦିଆଯାଇଥିଲା। ଏହାଛଡ଼ା ରାଜ୍ୟର ହାତଗଣତି ଖବରକାଗଜରେ ବିଜ୍ଞାପନ ମଧ୍ୟ ଦିଆଯାଇଥିଲା। ଏମିତି ଲକ୍ଷ ଲକ୍ଷ ଆଶାୟୀଙ୍କୁ ଠକମାନେ ସାଢ଼େ ୬କୋଟିରୁ ଊର୍ଧ୍ବ ଟଙ୍କାର ଚୂନ ଲଗାଇଥିଲେ। ତେବେ ଓଡ଼ିଶାର ହଜାର ହଜାର ଆଶାୟୀ ଏହି ରୢାକେଟ୍‌ର ଠକାମିର ଶିକାର ହୋଇଥିବା ଅଭିଯୋଗ ହେବା ପରେ ଇଓଡବ୍ଲୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ପୁଲିସ ମୁଖ୍ୟ ଅଭିଯୁକ୍ତ ଧରମପାଲ ସିଂ ଓ ଜୟରାମ ତିୱାରୀକୁ ଗିରଫ କରିଥିବା ବେଳେ ଆଜି ଅମିତକୁ ଗିରଫ କରିଛି। ରୢାକେଟ୍‌ରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ଇଓଡବ୍ଲୁ ଅଧିକ ଖୋଳତାଡ଼ କରୁଛି।

ସମ୍ବନ୍ଧିତ ଖବର