ହାଇକୋର୍ଟରେ ଭୂତ ସ୍କୁଲ ଓ ଜାଲି ଶିକ୍ଷକ ମାମଲା: ୨୩ରେ ପରବର୍ତ୍ତୀ ଶୁଣାଣି

କଟକ: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବେଆଇନ ଭାବେ ନିଯୁକ୍ତ ଜାଲି ଶିକ୍ଷକ ଓ ଭୂତ ସ୍କୁଲ ନାମରେ ବାର୍ଷିକ ୨ ହଜାର କୋଟି ଟଙ୍କା ଲୁଟ୍ ଘଟଣା ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୩କୁ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱର-ପଟିଆ ଅଂଚଳର ସଂଜୟ କୁମାର ମହାରଣାଙ୍କ ଦ୍ୱାରା ଦାଖଲ ଇ-ମେଲ ପିଟିସନକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରି ହାଇକୋର୍ଟ ୨୦୧୮ ଡିସେମ୍ବର ୧୦ରେ ରାଜ୍ୟ ଭିଜିଲାନ୍ସ ବିଭାଗ ଓ ଗଣଶିକ୍ଷା ବିଭାଗକୁ ନୋଟିସ୍ ଜାରି କରିଥିଲେ। ମାମଲାରେ ସହାୟତା ଲାଗି ଆଇନଜୀବୀ ସୁଦର୍ଶନ ନନ୍ଦଙ୍କୁ କୋର୍ଟମିତ୍ର(ଆମିକସ କ୍ୟୁରୀ) ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ତୁଳସୀପୁରର କେ.ଏନ. ମହାପାତ୍ରଙ୍କ ପକ୍ଷରୁ ମାମଲାରେ ପକ୍ଷଭୁକ୍ତ ଲାଗି ଆଇନଜୀବୀ ଶୁଭ୍ରାଂଶୁ ଭୂଷଣ ମହାନ୍ତିଙ୍କ ଦ୍ୱାରା ଏକ ଇଂଟରଭେନସନ୍ ପିଟିସନ୍ ଦାଖଲ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପୂର୍ବ ଆଦେଶର କାର୍ଯ୍ୟକାରିତା ଉପରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ୧୯୯୪ରେ ରାଜ୍ୟର ୨୯୨୯ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲକୁ ସରକାରୀ ଘୋଷଣା କରାଯିବା ପରେ ହଜାର ହଜାର ଜାଲି ଶିକ୍ଷକ ରାତାରାତି ପିଛିଲା ତାରିଖରୁ ବିଭାଗୀୟ ଅନୁମୋଦନ ସହ ସରକାରୀ ଦରମା ପାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଥିସହ ୧୯୯୫-୯୬ରେ ରାଜ୍ୟର ୬୧୦ଟି ହାଇସ୍କୁଲକୁ ୧୯୯୪ ଜୁନ ପହିଲାରୁ ପୂର୍ଣ୍ଣ ଅନୁଦାନ ମିଳିଲା ପରେ ତନ୍ମଧ୍ୟରେ ଦୁଇ ତୃତୀୟାଂଶରୁ ଅଧିକ ଅଣତାଲିମପ୍ରାପ୍ତ ଶିକ୍ଷକଙ୍କୁ ଅନୁମୋଦନ ମିଳିଲା। ନିଯୁକ୍ତି ସମୟରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିଲେ ତାହା ବେଆଇନ ବୋଲି ସୁପ୍ରିମକୋର୍ଟ ଏବଂ ଓଡିଶା ହାଇକୋର୍ଟର ଏକାଧିକ ଆଦେଶନାମାକୁ ଉଲ୍ଲଂଘନ କରାଯାଇଥିଲା। ଏହାଦ୍ୱାରା ଏହି ଜାଲି ଶିକ୍ଷକମାନେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଲୁଟର ସୁଯୋଗ ପାଇଥିଲେ ବୋଲି ଆବେଦନକାରୀ ତାଙ୍କ ପିଟିସନରେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର