ବିବାଦରେ ମାଗଣା ଡାଏଲିସିସ୍ ‌ସେବା ‘ସହାୟ’

ଡାକ୍ତରଙ୍କ ଦେଖା ମିଳୁନି, ମାଗଣା ଇଞ୍ଜେକସନ୍‌ର କଳାବଜାରୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ କିଡ୍‌ନି ରୋଗୀଙ୍କ ପାଇଁ ଆରମ୍ଭ ହୋଇଥିବା ମାଗଣା ଡାଏଲିସିସ୍ ସେବା ‘ସହାୟ’ ଆରମ୍ଭରୁ ବିବାଦ ଘେରକୁ ଆସିଛି। ପିପିପି ମୋଡ୍‌ରେ ଚାଲୁଥିବା ଏହି ଡାଏଲିସିସ୍ ସେବାରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଗୋଟିଏ କି ଦୁଇଟି ଜିଲ୍ଲାରେ ନୁହେଁ ୪ରୁ ଅଧିକ ଜିଲ୍ଲାରେ ଏଭଳି ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। କେଉଁଠି ରୋଗୀଙ୍କ ପାଇଁ ଡାକ୍ତର ଉପଲବ୍ଧ ‌ନାହାନ୍ତି ତ ଆଉ କେଉଁଠି ରୋଗୀଙ୍କୁ ଦିଆଯାଉଥିବା ମାଗଣା ଇଞ୍ଜେକସନ୍‌ର କଳାବଜାରୀ ହେଉଛି। ଏମିତିକି ଏସବୁ କେନ୍ଦ୍ରରେ ନିଯୁକ୍ତି ଦିଆଯାଉଥିବା ଟେକ୍‌ନିସିଆନ୍‌ମାନଙ୍କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାଲ ଅଭିଜ୍ଞତା ସାର୍ଟିଫିକେଟ୍ ଦର୍ଶାଇ ଟେକ୍‌ନିସିଆନ୍ ନିଯୁକ୍ତି ହୋଇଥିବା ନଜରକୁ ଆସୁଛି। ଫଳରେ ପିପିପି ମୋଡ୍‌ରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରରେ ରୋଗୀଙ୍କ ଜୀବନ ସହିତ ଏମିତି ଖେଳ ଚାଲିଛି।

ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ସହାୟ’ ଯୋଜନା ଘୋଷଣା କରିଥିଲେ। ଚଳିତବର୍ଷ ପହିଲାରୁ ପିପିପି ମୋଡ୍‌ରେ ଏହି ଯୋଜନା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ମାଗଣା ଡାଏଲିସିସ୍ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏ ପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇପାରିଛି। ରାହି କେୟାର ପକ୍ଷରୁ ପିପିପି ମୋଡ୍‌ରେ ଡାଏଲିସିସ୍ ସେବା ଦିଆଯାଉଛି। ହେଲେ ସଂପୃକ୍ତ ସଂସ୍ଥାର ବିଶ୍ବସନୀୟତା ନେଇ ଗଦାଗଦା ପ୍ରଶ୍ନ ଉଠିଲାଣି। ନୂଆପଡ଼ା ଜିଲ୍ଲାରେ ଡାଏଲିସିସ୍ କେନ୍ଦ୍ରରେ ନିଯୁକ୍ତ ହୋଇଥିବା ଡାକ୍ତର ସଂପୃକ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି। ୩ଟି ପର୍ଯ୍ୟାୟରେ ୧୨ ଘଣ୍ଟା ଡାଏଲିସିସ୍ ଚାଲୁଛି। ଏପରିସ୍ଥଳେ ଦୁଇଟି ସ୍ଥାନରେ ଜଣେ ଡାକ୍ତର କିଭଳି କାର୍ଯ୍ୟ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ନେଇ କେହି ଡାକ୍ତର ନ ଥିବା ଅଭିଯୋଗ ହୋଇଛି। ଟେକ୍‌ନିସିଆନ୍‌ ହିଁ ସର୍ବେସର୍ବା। ଡାଏଲିସିସ୍ ସମୟରେ ଜଣେ ଡାକ୍ତରଙ୍କ ଉପସ୍ଥିତ ରହିବାର ନିୟମ ଥିଲେ ହେଁ ବିନା ଡାକ୍ତରଙ୍କ ଉପସ୍ଥିତିରେ ଡାଏଲିସିସ୍ ହେଉଛି। ଏହାସହ କିଡ୍‌ନି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜଣେ ନେଫ୍ରୋଲୋଜିଷ୍ଟ ଆବଶ୍ୟକ ରହିଛି। ହେଲେ ମୁଖ୍ୟ ଚିକିତ୍ସାଳୟକୁ ନେଫ୍ରୋଲୋଜିଷ୍ଟ ଆସୁ ନ ଥିବାରୁ ରୋଗୀମାନେ ଘରୋଇ ଡାକ୍ତରଖାନା ସେମାନଙ୍କ ରିପୋର୍ଟ ଦେଖାଇବାକୁ ବାଧ୍ୟ ହେଉଛନ୍ତି।

ଅପରପକ୍ଷରେ ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ଡାଏଲିସିସ୍ ପାଇଁ ପାୱାର ବ୍ୟାକ୍‌ଅପର ସୁବିଧା ନାହିଁ। ଯାହାବି ଅଛି ତାହା ଅଳ୍ପ ସମୟ ପାଇଁ ଚାଲୁଛି। ଏଥିପାଇଁ ଅନେକ ସମୟରେ ରୋଗୀମାନଙ୍କୁ ପୂର୍ବରୁ ଧାର୍ଯ୍ୟ ସମୟ ପରିବର୍ତେ ଅନ୍ୟ ସମୟରେ ଡାଏଲିସିସ୍ ପାଇଁ ଆସିବାକୁ କୁହାଯାଉଛି। ଏପରିସ୍ଥଳେ ଡାଏଲିସିସ୍ ସମୟରେ ଯଦି ଲାଇନ୍ କଟିଯାଏ ତାହାଲେ ଡାଏଲିସିସ୍‌ ନେଉଥିବା ରୋଗୀଙ୍କ ପାଇଁ ଏହି ଜଟିଳ ସମସ୍ୟା ସୃଷ୍ଟି କରୁଛି ବୋଲି ରୋଗୀମାନେ ଅଭିଯୋଗ କରୁଛନ୍ତି। ତେବେ ଡାଏଲିସିସ୍ କେନ୍ଦ୍ରରେ ପାୱାର ବ୍ୟାକ୍‌ଅପର ବ୍ୟବସ୍ଥା ନ କରି କିଭଳି ଡାଏଲିସିସ୍ କରିବାକୁ ଅନୁମତି ଦିଆଯାଉଛି ତାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଡାଏଲିସିସ୍ କରୁଥିବା ରୋଗୀମାନଙ୍କୁ ଆବଶ୍ୟକ ଇପିଓ, ଆଇରନ ସୁକ୍ରୋଜ୍, ହେବାରିନ୍, ମାଇକ୍ରୋପ‌ୋର ଟାପେ ଭଳି ଇଞ୍ଜେକସନ୍ ସରକାରଙ୍କ ପକ୍ଷରୁ ମାଗଣା ଦିଆଯିବାର ବ୍ୟବସ୍ଥା ରହିଛି। ମାତ୍ର ଡାଏଲିସିସ୍ ୟୁନିଟ୍‌ର ଦାୟିତ୍ବ ରହୁଥିବା ମ୍ୟାନେଜର ଓ ଟେକ୍‌ନିସିଆନଙ୍କ ଜରିଆରେ ଏହାକୁ ବାହାରେ ବିକ୍ରି କରି ଦିଆଯାଉଥିବା ଗୁରୁତର ଅଭିଯୋଗ ଆସିଛି। ଯାହାଫଳରେ ରୋଗୀମାନେ ଏହାକୁ ବାହାରୁ କିଣି ଖର୍ଚାନ୍ତ ହେଉଛନ୍ତି। ଯେଉଁ ରୋଗୀମାନେ ଏହାକୁ ଦେବା ପାଇଁ ଦାବି କରୁଛନ୍ତି ସେମାନଙ୍କୁ ଡାଏଲିସିସ୍ କରିବା ପାଇଁ ଦିଆଯିବ ନାହିଁ ବୋଲି ଧମକ ଦିଆଯାଉଛି। କିଛିମାସ ଧରି ଏହି କଳାବଜାରୀ ଆରମ୍ଭ ହୋଇଥିଲେ ହେଁ ସଂପୃକ୍ତ ସଂସ୍ଥା ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଡାଏଲିସିସ୍ କେନ୍ଦ୍ରରେ ଯେ କେବଳ ରୋଗୀମାନଙ୍କୁ ଶୋଷଣ କରାଯାଉଛି ତା ନୁହେଁ ଅଭିଜ୍ଞତା ନ ଥିବା ଟେକ୍‌ନିସିଆନ୍‌ଙ୍କୁ ନିଯୁକ୍ତି ଦେଇ ରୋଗୀଙ୍କ ଜୀବନ ‌ସହ ଏକପ୍ରକାର ଖେଳ ଚାଲିଛି। ଏପରି ଏକ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାଏଲିସିସ୍ କେନ୍ଦ୍ରରେ। ସେଠାରେ ନିଯୁକ୍ତ ହୋଇଥିବା ଟେକ୍‌ନିସିଆନ୍‌ଙ୍କ ଆବଶ୍ୟକ ଅଭିଜ୍ଞତା ନ ଥିବା ସତ୍ବେ ଜାଲ୍‌ ସାର୍ଟିଫିକେଟ୍ ଜରିଆରେ ତାଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଥିଲା। ତାଙ୍କର ଏହି କାରନାମାକୁ ପଦାକୁ ଆଣିଥିବା ବ୍ୟକ୍ତିଙ୍କୁ ବାରମ୍ବାର ଧମକ ଦିଆଯାଉଥିବା ସୂଚନା ମିଳିଛି। ପିପିପି ମୋଡ୍‌ରେ ନିଯୁକ୍ତି ଦେଇଥିବା ସଂସ୍ଥା ମଧ୍ୟ କର୍ମଚାରୀଙ୍କୁ ଠିକ୍‌ରେ ନିଯୁକ୍ତିପତ୍ର ଦେଉ ନ ଥିବା ଇପିଏଫ୍‌, ଇଏସ୍‌ଆଇ‌ ନେଇ ଆବଶ୍ୟକ ପଦପେକ୍ଷ ଗ୍ରହଣ କରୁ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ବିନା କୌଣସି ନୋଟିସ୍‌ରେ ଚାକିରିରୁ ବାହାର କରି ଦିଆଯାଉଛି। ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଏ ନେଇ ଅଭିଯୋଗ ହେଉଥିଲେ ହେଁ କୌଣସି ସୁଫଳ ମିଳୁନାହିଁ।

ରାହି କେୟାର ସଂସ୍ଥା ରାଜ୍ୟ ଅଧ୍ୟକ୍ଷ ପ୍ରଭାତ ସିଂ କହିଛନ୍ତି, ସରକାରୀ ଡାକ୍ତରଖାନାରେ ପାର୍ଟ ଟାଇମ୍ କାମ କରୁଥିବା ଡାକ୍ତର ଅନ୍ୟ ସମୟରେ ଡାଏଲିସିସ୍ କେନ୍ଦ୍ରକୁ ଆସିଥାନ୍ତି। ଏକା ସମୟରେ ଦୁଇ ଜାଗାରେ କାମ କରି ନ ଥାନ୍ତି। ଡାଏଲିସିସ୍ କେନ୍ଦ୍ରର ଡାକ୍ତର ସଂପୂର୍ଣ୍ଣ ସମୟ‌ ଦେଉଛନ୍ତି। ୨/୩ଟି ପର୍ଯ୍ୟାୟରେ ଡାଏଲିସିସ୍ ହେଉଛି। ଡାଏଲିସିସ୍ କେନ୍ଦ୍ରରେ ପାୱାର ବ୍ୟାକ୍‌ଅପ୍ ପାଇଁ ‌ଦେଢ଼ଘଣ୍ଟା ପାଇଁ ବ୍ୟାକ୍‌ଅପ ରହିଛି। ସରକାରଙ୍କ ସହିତ ଚୁକ୍ତି ସମୟରେ ସରକାରଙ୍କ ପକ୍ଷରୁ ପାୱାର ବ୍ୟାକ୍‌ଅପ୍ ଦିଆଯିବାକୁ କୁହାଯାଉଛି। ମାତ୍ର ବୌଦ୍ଧରେ ସକାଳ/ସଂଧ୍ୟା ପର୍ଯ୍ୟନ୍ତ ଲାଇନ୍ କଟୁଥିବାରୁ ସବୁ ସମୟରେ ଡାଏଲିସିସ୍ କରିବା ସମ୍ଭବ ହେଉନାହିଁ। ଯେଉଁମାନଙ୍କର ଡାଏଲିସିସ୍ ଜରୁରୀ ସେମାନଙ୍କର ଆଗୁଆ କରାଯାଉଛି। କିଛି ଡାଏଲିସିସ୍ କେନ୍ଦ୍ରରେ ନିଯୁକ୍ତ ହୋଇଥିବା କର୍ମଚାରୀ ଏପଟ‌ ସେପଟ କାମ କରୁଛନ୍ତି। ସେମାନଙ୍କୁ ତାଗିଦ୍ କରାଯାଉଛି। ନିଯୁକ୍ତିପତ୍ରରେ ନୋଟିସ୍ ସମୟରେ ଦରମା ଦେଇ ବାହାର କରିଦେବାର ନିୟମ ରହିଛି। ଯେଉଁ କେନ୍ଦ୍ରରେ ଡାକ୍ତର ନ ଥିବା ଅଭିଯୋଗ ହେଉଛି ସେଠାରେ ଜଣେ ମହିଳା ଡାକ୍ତର କାର୍ଯ୍ୟ କରୁଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ଦେହ ଖରାପ ହୋଇଥିଲା ସେଥିପାଇଁ ସେ ୯ଦିନ ପାଇଁ ଛୁଟି ନେଇଥିଲେ। ମାତ୍ର ଏବେ ସେ କାର୍ଯ୍ୟରେ ଯୋଗ ଦେଇ ସାରିଛନ୍ତି ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର