ନବୀନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା: ବିମାନବନ୍ଦରରୁ ନବୀନ ନିବାସ ଜନସମୁଦ୍ର

କୋଭିଡ୍‌ ପରେ ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ

ଭୁବନେଶ୍ବର: କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀରେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିଛନ୍ତି। ଓଡ଼ିଶାରେ ତାଙ୍କୁ ଜୋର୍‌ଦାର ସ୍ବାଗତ କରିବା ଲାଗି ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଡ଼ ଧରଣର ପ୍ରସ୍ତୁତି କରାଯାଇଥିଲା। ରାଜ୍ୟର ସବୁ ଜିଲ୍ଲାରୁ ହଜାର ହଜାର ବିଜେଡି କର୍ମୀ ରାଜଧାନୀରେ ଏକାଠି ହୋଇଥିଲେ। ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଜନସମୁଦ୍ର ପାଲଟି ଯାଇଥିଲା। ଖରା ଓ ବର୍ଷାକୁ ଖାତିର ନ କରି ପାରମ୍ପରିକ ନୃତ୍ୟ ଓ ବାଦ୍ୟର ତାଳେତାଳେ କର୍ମୀମାନେ ନବୀନଙ୍କୁ ସ୍ବାଗତ କରିଥିଲେ। କୋଭିଡ୍‌ ପରେ ଏହାଥିଲା ରାଜଧାନୀରେ ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ।

ଆଜି ସକାଳ ପ୍ରାୟ ୮ଟାରୁ ବିମାନବନ୍ଦରରେ ଦଳୀୟ କର୍ମୀମାନଙ୍କ ଭିଡ଼ ଆରମ୍ଭ ହୋଇଥିଲା। ଦିନ ୧୦ଟା ବେଳକୁ ବିମାନବନ୍ଦର ରାସ୍ତା ସଂପୂର୍ଣ୍ଣ ଜାମ୍ ହୋଇ ଯାଇଥିଲା। ଦଳୀୟ ନେତାମା‌ନେ ନିଜ ନିଜର ସମର୍ଥକଙ୍କୁ ଧରି ବିମାନବନ୍ଦର ନିକଟରେ ପହଞ୍ଚିଥିଲେ। ନବୀନଙ୍କ ପ୍ଲାକାର୍ଡରେ ବିମାନବନ୍ଦର ଅଞ୍ଚଳ ଛାଇଯାଇଥିଲା। ପ୍ରବଳ ଜନସମାଗମକୁ ନଜରରେ ରଖି ବିମାନବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ଚାରିପଟେ ବାରିକେଡ୍‌ କରାଯାଇଥିଲା। ପ୍ରତିମୂର୍ତି ପଛପଟରେ ଏକ ମଞ୍ଚ ପ୍ରସ୍ତୁତ ହୋଇଥିଲା। ନାମୀଦାମୀ କଣ୍ଠଶିଳ୍ପୀ ଓ ଡ୍ୟାନ୍‌ସ ଗ୍ରୁପ୍ ମଞ୍ଚରେ ‘ନବୀନ ସଂଗୀତ’ ସହିତ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ତଳେ ଘୋଡ଼ା ନାଚଠାରୁ ଆରମ୍ଭ କରି ଝାଞ୍ଜ ଓ ଅନ୍ୟ ପାରମ୍ପରିକ ବାଦ୍ୟରେ ସ୍ଥାନୀୟ ଅଞ୍ଚଳ କମ୍ପିଥିଲା। ନବୀନଙ୍କ ଏକ ଝଲକ ପାଇବା ଲାଗି କର୍ମୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। ବାରିକେଡ୍‌କୁ ଖାତିର ନ କରି ଶତାଧିକ କର୍ମୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ନିକଟକୁ ଚଢ଼ି ଯାଇଥିଲେ। ହେଲେ ଦିନ ୧୧ଟା ବେଳକୁ ହଠାତ୍ ବର୍ଷା ଯୋଗୁଁ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ କିଛିଟା ଉଣା ହୋଇଯାଇଥିଲା। ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ଲାଗି ଦଳର ବରିଷ୍ଠ ନେତୃବୃନ୍ଦମାନେ ବର୍ଷାରେ ଓଦା ହୋଇ ସ୍ବାଗତ କାର୍ଯ୍ୟକ୍ରମରେ ଲାଗିଥିଲେ।

ଏ ପୁରସ୍କାର ସାଢ଼େ ୪ କୋଟି ଓଡ଼ିଆଙ୍କର: ନବୀନ
କୋଭିଡ୍‌ ପରେ ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ

ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ବେଳକୁ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ। ତେବେ ବର୍ଷା ଲାଗି ରହିଥିବାରୁ ସେ ବାହାରକୁ ଆସି ନଥିଲେ। ୧୨ଟା ପରେ ବର୍ଷା ଛାଡ଼ିଯାଇଥିଲା ଓ ମୁଖ୍ୟମନ୍ତ୍ରୀ ବିମାନବନ୍ଦର ବାହାରକୁ ଆସିଥିଲେ। ୨୦୧୯ ମସିହା ନିର୍ବାଚନ ବେଳେ ଯେଉଁ ବସ୍‌ରେ ନବୀନ ବୁଲି ବୁଲି ପ୍ରଚାର କରୁଥିଲେ, ଆଜି ତାହାକୁ ପ୍ରସ୍ତୁତ କରାଯାଇଥିଲା। ସେହି ବସ୍‌ରେ ନବୀନ ବସି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପହଞ୍ଚିଥିଲେ। ବସ୍‌ରୁ ବାହାରିବା ସହିତ ହାତ ହଲାଇ କର୍ମୀମାନଙ୍କୁ ଅଭିବାଦନ ଜଣାଇଥିଲେ। ନବୀନ କହିଥିଲେ, ଏତେ ବର୍ଷାରେ ଆପଣମାନେ ଆସିଥିବାରୁ ଆପଣମାନଙ୍କୁ ବହୁତ ଧନ୍ୟବାଦ। ଆମ‌େ ଆୱାର୍ଡ ପାଇଛୁ.. ଆପଣମାନେ ଖୁସି ତ..? ମୁଁ ବି ବହୁତ ଖୁସି। ଏ ସମ୍ମାନ ମୋର ନୁହେଁ, ସାଢ଼େ ୪କୋଟି ଓଡ଼ିଶାବାସୀଙ୍କର। ଜୟ ଜଗନ୍ନାଥ..। ନବୀନଙ୍କର ଏତିକି କଥା ଶୁଣିବା ପରେ କର୍ମୀମା‌ନଙ୍କ କରତାଳି ଓ ହୁଳହୁଳିରେ ସ୍ଥାନୀୟ ଅଞ୍ଚଳ ଫାଟି ପଡ଼ିଥିଲା। ବସ୍‌ରେ ଥିବା ନବୀନଙ୍କ ମୋବାଇଲରେ ଫଟୋ ଉଠାଇବା ଲାଗି କର୍ମୀମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଥିଲା। ପରେ ବିମାନବନ୍ଦରରୁ ଏକ ବିଶାଳ ଶୋଭାଯାତ୍ରା ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିଲା। କର୍ମୀମାନଙ୍କ ଗହଣରେ ବସ୍‌ରେ ବସି ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ପହଞ୍ଚିଥିଲେ। ମଝିରେ ମଝିରେ ବସ୍‌ ଉପରକୁ ଉଠି କର୍ମୀମାନଙ୍କ ଉଦ୍ଦେଶ୍ୟରେ ହାତ ହଲାଇଥିଲେ।

ଏହି ବିଶାଳ କାର୍ଯ୍ୟକ୍ରମକୁ ନଜରରେ ରଖି କମିସନରେଟ୍‌ ପୁଲିସ୍ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ଡିସିପି ପ୍ରତୀକ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ବିମାନବନ୍ଦରରେ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରିଥିଲେ। ଜିଲ୍ଲାସ୍ତରରୁ ଦଳୀୟକର୍ମୀଙ୍କୁ ନେଇ ଆସୁଥିବା ବସ୍, କାର ଓ ବାଇକ୍ ପାଇଁ ଅଲଗା ଅଲଗା ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ବିମାନବନ୍ଦରୁ ଆସୁଥିବା ଯାତ୍ରୀମାନଙ୍କୁ ଯେପରି କୌଣସି ଅସୁବିଧା ନ ହେବ ସେଥିଲାଗି ପୁଲିସ ଗୁରୁତ୍ବ ଦେଇଥିଲା। ଏପରିକି ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ଆଗରୁ ବିମାନବନ୍ଦରରେ ପହଞ୍ଚିବା ପାଇଁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଥିଲା। କିନ୍ତୁ ଆଜି ପୁଲିସ୍‌ର ସବୁ ବ୍ୟବସ୍ଥା ବିଫଳ ହୋଇଥିଲା। କେବଳ ଶୋଭାଯାତ୍ରା ନିକଟବର୍ତ୍ତୀ ସ୍ଥାନ ନୁହେଁ, ସହରର ଅଧିକାଂଶ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇଥିଲା। ବାହାରୁ ଆସିଥିବା କର୍ମୀମାନେ ମନଇଚ୍ଛା ଗାଡ଼ି ପାର୍କିଂ କରିବାରୁ ସ୍ଥିତି ବିଗିଡ଼ିଯାଇଥିଲା। ପୁଣି ବର୍ଷା ବେଳେ ସାଧାରଣ ଲୋକମାନେ ରାସ୍ତାରେ ବହୁ ସମୟ ଧରି ଫସିରହିଥିବାରୁ ଅସନ୍ତୋଷ ପ୍ରକଟ କରିଥିଲେ। ଏଜି ଛକ ନିକଟରେ ଆମ୍ବୁଲାନ୍ସ ଫସିଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର