ଗାନ୍ଧୀ କଥା : ଗାନ୍ଧିଜୀଙ୍କ ଆଦର୍ଶକୁ ଭିନ୍ନ ବାଟରେ ନେଇ ଯାଇଥିଲେ ନେହରୁ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହରୁ ଦେଶକୁ ବେଶି ସମୟ ସେବା ଦେଇଛନ୍ତି। ମାତ୍ର ସେ ଥିଲେ ଅସଫଳ ନାୟକ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ମାର୍ଗକୁ ସେ ଅଲଗା ବାଟରେ ନେଇ ଦେଶକୁ ଅନ୍ଧ ଗଳି ଭିତରକୁ ନେଇ ଯାଇଥିଲେ। ଏହା କହିଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ବିଦ୍ବାନ ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ନୂଆଦିଲ୍ଲୀର ଅଧ୍ୟକ୍ଷ କୁମାର ପ୍ରଶାନ୍ତ।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜନ୍ମ ବାର୍ଷିକୀ ପାଳନ କମିଟି ଓ ଓଡ଼ିଶା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ‘ଗାନ୍ଧୀ କଥା’ କାର୍ଯ୍ୟକ୍ରମରେ ଗାନ୍ଧିଜୀ ଓ ଜବାହରଲାଲ ନେହରୁଙ୍କ ସମ୍ପର୍କରେ ଅନାଲୋଚିତ ତଥ୍ୟ ଉନ୍ମୋଚନ କରି କହିଲେ, ଯେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଚୟନ କଥା ଉଠିଲା, କଂଗ୍ରେସର କାର୍ଯ୍ୟକାରିଣୀ ସମିତିର ସମସ୍ତ ୧୭ ଜଣ ସଦସ୍ୟ ନେହରୁଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ତେବେ ବିଭିନ୍ନ ରାଜ୍ୟରୁ ଯେଉଁ ୧୫ ମତ ଆସିଥିଲା ସେଥିରେ ଗୋଟିଏ ବି ମତ ତାଙ୍କ ସପକ୍ଷରେ ନଥିଲା। ଜେ. କ୍ରିପାଳିନୀ ଓ ରାଜଗୋପାଳଚାରୀଙ୍କ ସପକ୍ଷରେ ଗୋଟିଏ ଲେଖାଏଁ ମତ ଆସିଥିବା ବେଳେ ଆଉ ସମସ୍ତ ମତ ସର୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ସପକ୍ଷରେ ଆସିଥିଲା। ଏହାପରେ ଗାନ୍ଧିଜୀ, ପଟେଲ୍‌ ଓ ନେହରୁଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଯେଉଁଥିରେ ଗାନ୍ଧିଜୀ ନେହରୁଙ୍କୁ କହିଥିଲେ, ଯଦି ତୁମେ ନେତୃତ୍ବ ନେବ ତୁମ ପଛରେ ସଂଗଠନ ନାହିଁ। ପଟେଲ୍‌ଙ୍କୁ କହିଥିଲେ, ଯଦି ତମେ ନେତୃତ୍ବ ନେବ ଏତେ ବର୍ଷ ଧରି ଦେଶକୁ ଅବଦାନ ଦେଇ ଆସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ସମିତି ତୁମ ପଛରେ ନାହିଁ। ତେଣୁ ଗୁଜୁରାଟି ଭାଷାରେ ଗାନ୍ଧିଜୀ ପଟେଲ୍‌ଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବ ପାଇଁ ମିଳିଥିବା ସମର୍ଥନକୁ ପ୍ରତ୍ୟାହାର କରି‌ନେବାକୁ କହିଥିଲେ ବୋଲି କହିଛନ୍ତି ଶ୍ରୀ ପ୍ରଶାନ୍ତ।

ସେ ଏକଥା ବି କହିଲେ, ୧୯୧୯ ମସିହା ପର୍ଯ୍ୟନ୍ତ ନେହରୁଙ୍କ ଜୀବନରେ କୌଣସି ଚର୍ଚିତ ଘଟଣା ଘଟିନଥିଲା। ତେବେ ଗାନ୍ଧିଜୀ ଯେବେ ସତ୍ୟାଗ୍ରହର ବୀଜ ବୁଣିଲେ, ତାହା ତାଙ୍କୁ ପ୍ରଭାବିତ କରିଥିଲା। ଜାଲିୱାନାୱାଲାବାଗ ହତ୍ୟାକାଣ୍ଡ ବେଳେ ଗାନ୍ଧିଜୀଙ୍କ ପ୍ରଭାବ ଦେଖି ସେ ଅଭିଭୂତ ହୋଇଯାଇଥିଲେ। ସଙ୍କଟକୁ ସାମ୍ନା କରିବାରେ ଗାନ୍ଧିଜୀଙ୍କୁ ଶକ୍ତିର ମୂର୍ତିମନ୍ତ ପ୍ରତୀକ ଭାବେ ଦେଖି ସେ କଂଗ୍ରେସରେ ଯୋଗଦେଲେ। ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଚାଷୀ ସଭାର ନେତୃତ୍ବ ନେଲେ। ଗାନ୍ଧିଜୀଙ୍କ ବିଶ୍ବାସ ଜିତିବାର ଏହା ଥିଲା ପ୍ରଥମ ଚରଣ। ୧୯୨୬ରେ ୟୁରୋପରେ ପିତା ମୋତିଲାଲ ନେହରୁଙ୍କ ସହ ୩ ବର୍ଷ କଟାଇ ସେଠାକାର ଚାଷୀ ଓ ଅନ୍ୟ ଶ୍ରମିକଙ୍କ ସମସ୍ୟା ଉପଲବ୍ଧି କରିଥିଲେ। ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଦମନ କରିବା ‌ଦେଖିଥିଲେ। ସେଠାରେ ରହଣି କାଳ ମଧ୍ୟରେ ମନୁଷ୍ୟତା ଓ ରାଷ୍ଟ୍ରୀୟତା ମଧ୍ୟରେ ଫରକ ଜାଣିଥିଲେ। ରାଜନୈତିକ ସ୍ବାଧୀନତାର ଅର୍ଥ ଓ ପରିଣାମ ହୃଦୟଙ୍ଗମ କରିଥିଲେ।

ଯେବେ ସାଇମନ କମିସନକୁ ବିରୋଧ କରିବା ପାଇଁ ଗାନ୍ଧିଜୀ କର୍ମୀମାନଙ୍କୁ କହିଲେ, ସେତେବେଳେ ଗାନ୍ଧିଜୀ ଏକଥା ବି କହିଥିଲେ ଆକ୍ରମଣ ଯେପରି ହେଉ ପଛେ, ଯେମିତି ଆମ ହାତ ନ ଉଠିବ ସେଥିପ୍ରତି ଧ୍ୟାନ ରଖିଥିବ। ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ଜବାହରଲାଲ ନେହରୁ। ଯେବେ ସାଇମନ କମିସନକୁ ଏକ ନିର୍ଦିଷ୍ଟ ସ୍ଥାନରେ ବିରୋଧ କରାଗଲା ସେତେବେଳେ ଲାଠି ମାଡ଼ ଖାଇବାକୁ ପଡ଼ିଥିଲା। ଏ ସମୟରେ ଅନ୍ୟମାନେ ଛତ୍ରଭଙ୍ଗ ଦେଉଥିବା ବେଳେ ନେହରୁ ଲାଠି ପ୍ରହାରର ବର୍ଷା ଭିତରେ ଗାନ୍ଧିଜୀଙ୍କ ନିର୍ଦେଶ ମାନି ଏକା ଛିଡ଼ା ହୋଇଥିଲେ। ଏହିପରି ନେହରୁ ଗାନ୍ଧିଜୀଙ୍କ ବିଶ୍ବାସ ଜିତି ପାରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନନ୍ଦନ ଦାସ, ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ଶାଶ୍ବତୀ ବଳ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିରଂଜନ ସେଠୀ ଓ ଓଡ଼ିଶା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋରଂଜନ ମହାନ୍ତି ପ୍ରମୁଖ ପ୍ରାରମ୍ଭରେ ଚାରାରେ ପାଣି ସିଞ୍ଚି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଓ ଡ. ବିଶ୍ବଜିତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ। ଡ. ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର