ସରକାରୀ ମାନ୍ୟତା, ମାସକୁ ୬ହଜାର ଟଙ୍କା ଭତ୍ତା ସହ ୧୦ ଦଫା ଦାବି ନେଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀ ସଂଘର ବିକ୍ଷୋଭ

ଫୁଲବାଣୀ : ସରକାରୀ ମାନ୍ୟତା, ମାସକୁ ୬ହଜାର ଟଙ୍କା ଭତ୍ତା ସହ ୧୦ ଦଫା ଦାବି ନେଇ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡିଶା ଗାଁ ସାଥୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମନରେଗା ଯୋଜନା ତୃଣମୁଳସ୍ତରରେ ପହଞ୍ଚିବା ଲକ୍ଷ୍ୟରେ ରାଜ୍ୟ ସରକାର ଗତ ୨୦୦୮ ମସିହାରେ ପ୍ରତି ରାଜସ୍ୱ ଗାଁରେ ୨ ଜଣ ଲେଖାଏଁ ଗାଁ ସାଥୀ ନିଯୁକ୍ତ କରିଥିଲେ। ଶିକ୍ଷିତ ଗାଁ ସାଥୀମାନେ ଭାବି ନେଇଥିଲେ କିଛି ବର୍ଷ କାମ ପରେ ସେମାନଙ୍କ ଦୁଃଖ ଦୂର ହେବ। ସରକାରୀ ମାନ୍ୟତା ମିଳିବ। ହେଲେ ଦୀର୍ଘ ୧୨ ବର୍ଷ ପରେ ବି ଗାଁ ସାଥୀମାନଙ୍କୁ କୌଣସି ସୁବିଧା ମିଳିଲା ନାହିଁ। ଏହାକୁ ନେଇ ଗାଁ ସାଥୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସଂଘ ଜିଲ୍ଲା ଶାଖାର ଆବାହକ ଜନବାଦୀ ଗୌଡଙ୍କ ନେତୃତ୍ୱରେ ମାଦିକୁନ୍ଦା ଛକରୁ ଏକ ରାଲିରେ ଗାଁ ସାଥୀମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ସଂଘର ରାଜ୍ୟ ସଂଯୋଜକ ଅଜୟ କୁମାର ରାୟ, ସହସମ୍ପାଦକ ଭିକାରୀଚରଣ ବାରିକ, ଦାମୋଦର କହଁର, ଶତ୍ରୁଘ୍ନ ମଲ୍ଲିକ, ପ୍ରକାଶଚନ୍ଦ୍ର ନାୟକ, ନକୁଳ ପ୍ରଧାନ ପ୍ରମୁଖ ଗାଁ ସାଥୀମାନଙ୍କୁ ସରକାରୀ ମାନ୍ୟତା ସହ ମାସକୁ ୬ ହଜାର ଟଙ୍କା ଭତ୍ତା, ଅନ୍ୟାୟ ଭାବେ ବାହାର କରିବା ବନ୍ଦ, ଗାଁ ସାଥୀଙ୍କ ନାଁରେ କାର୍ଯ୍ୟାଦେଶ ଦେବା, ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର