୨୫ରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ, ୧୬ ବର୍ଷ ପରେ ଜୁନ୍‌ ମାସରେ ଖୋଲିବ ଗେଟ୍‌

ସମ୍ବଲପୁର : ଚଳିତ ବର୍ଷ ଖରା ଦିନେ ଜଳସ୍ତର ସ୍ବାଭାବିକଠାରୁ ଅଧିକ ରହିବା, ଠିକ୍‌ ସମୟରେ ମୌସୁମି ଆସିବା ଓ ନିୟମିତ ବର୍ଷା ହେବା କାରଣରୁ ହୀରାକୁଦର ଗେଟ୍ ଶୀଘ୍ର ଖୋଲିବାକୁ ଯାଉଛି। ଆସନ୍ତା ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଦୀର୍ଘ ୧୬ ବର୍ଷ ପରେ ପ୍ରଥମ କରି ଜୁନ୍‌ ମାସରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେବାକୁ ଯାଉଛି। ଏହା ପୂର୍ବରୁ ୨୦୦୪ ମସିହା ଶେଷ ଥର ପାଇଁ ଜୁନ୍‌ ୨୨ ତାରିଖରେ ହୀରାକୁଦ ଗେଟ୍‌ ଖୋଲିଥିଲା। ଚଳିତ ଶତାବ୍ଦୀରେ ଦ୍ବିତୀୟ ଥର ପାଇଁ ଜୁନ୍‌ରେ ହୀରାକୁଦ ଗେଟ୍‌ ଖୋଲିବାକୁ ଯାଉଛି। ହୀରାକୁଦ ବନ୍ଧ କାର୍ଯ୍ୟକାରୀ ହେବା ଦିନଠୁ ଆଜି ପର୍ଯ୍ୟନ୍ତ ମୋଟ ୧୩ ଥର ଜୁନ୍‌ ମାସରେ ଗେଟ୍‌ ଖୋଲିଥିଲାବେଳେ ୧୨ ଥର ବିଂଶ ଶତାବ୍ଦୀର ହୋଇଥିଲା।

ସୋମବାର ୨୨ ତାରିଖ ସକାଳ ୮ଟା ‌ବେଳେ ହୀରାକୁଦ ଜଳସ୍ତର ୬୧୪.୩୭ ଫୁଟ୍‌ରେ ପହଞ୍ଚିଥିଲା। ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ପ୍ରବେଶ କରୁଥିବାରୁ ଜୁନ୍‌ ୨୫ ବେଳକୁ ଏହା ୬୧୭ ଫୁଟ୍ ଅତିକ୍ରମ କରି ସାରିଥିବ ବୋଲି ଅନୁମାନ କରାଯାଉଛି। ୨୫ ତାରିଖ ଗୁରୁବାର ଦିନ ୧୦ଟା ପରେ ଯେକୌଣସି ସମୟରେ ଗେଟ୍‌ ଖୋଲାଯିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୋମବାର ସକାଳ ୬ଟା ବେ‌େଳ ବନ୍ଧ ମଧ୍ୟକୁ ହାରାହାରି ୧,୦୪,୯୯୧ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧୪,୨୧୩ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ହାରାହାରି ୨୧.୪୦ ମିଲିମିଟର ଓ ତଳ ମୁଣ୍ଡରେ ୫୮.୬୪ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର