ରଥଯାତ୍ରା ଅନୁମତି ପରେ ରାଜନେତାଙ୍କ ପ୍ରତିକ୍ରିୟା

ସେହି କଥା ହେଲା, ଅଯଥା ସମୟ ଗଲା

photo–india com

ପ୍ରଥମରୁ ଆମେ କହିଥିଲୁ, ଦେବସ୍ନାନ ପୂର୍ଣ୍ଣମୀ ଯେପରି ଭାବେ ଅତି ଶୃଙ୍ଖଳାର ସହିତ ସରକାର କରିପାରିଲେ ସେହିପରି ମହାପ୍ରଭୁଙ୍କ ରଥଯାତ୍ରାକୁ ବିନା ଭକ୍ତରେ କରାଯାଇପାରିବ। କରୋନା ମହାମାରୀ ଦୃଷ୍ଟିରୁ ସାରା ରାଜ୍ୟକୁ ସଟ୍‌ଡାଉନ କରି ସେବାୟତ ଓ ପୁଲିସମାନଙ୍କ ଦ୍ୱାରା ରଥଯାତ୍ରା କରିବାକୁ କଂଗ୍ରେସ ଦଳ ପ୍ରସ୍ତାବ ଦେଇଥିଲା। ଗତ ଦୁଇ ଦିନଧରି ବହୁତ ପ୍ରବକ୍ତା ଟିଭି ଓ ଚିଠି ମାଧ୍ୟମରେ ନିଜର ମତ ପୋଷଣ କଲେ। ସରକାର ଆଜି ଯାହା କଲେ ତାହା ବହୁ ଆଗରୁ କରିବାର ଆବଶ୍ୟକ ଥିଲା। ଯେଉଁମାନେ ରଥଯାତ୍ରା କରିବାକୁ ଚାହୁଁନଥିଲେ ସେମାନେ ଆଜି ଧରାପଡ଼ିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ସେସବୁ ବ୍ୟକ୍ତି ଏବେ ଲୋକ ଦେଖାଣିଆ ନାଟକ କରୁଛନ୍ତି। ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସାମିଲ। ସରକାର ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରଥଯାତ୍ରା ସମାପନ କରନ୍ତୁ। ପ୍ରତ୍ୟେକ ଜନସାଧାରଣ ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶକୁ ଅନୁପାଳନ କରିବା ଉଚିତ୍‌।
ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

photo-outlook india

ଜଗନ୍ନାଥଙ୍କ ଅଲୌକିକ ଶକ୍ତିର ପରିଚୟ
ଗତକାଲି ପର୍ଯ୍ୟନ୍ତ ରଥଯାତ୍ରା ବନ୍ଦ କରିବା ପାଇଁ ଯେଉଁ ଷଡ଼୍‌ଯନ୍ତ୍ର ହେଉଥିଲା, ସେସବୁ ଜଗନ୍ନାଥଙ୍କ ଅଲୌକିକ ଶକ୍ତି ଆଗରେ ହାର୍‌ ମାନିଛି। ମହାପ୍ରଭୁଙ୍କ ଏହି ଯାତ୍ରା ଲାଗି ମୂଳରୁ ଠିକଣା ଭାବେ ପରିଚାଳନା କରାଯାଇଥିଲେ ଏପରି ଅବସ୍ଥା ହୋଇ ନ ଥାନ୍ତା। ରଥଯାତ୍ରା ନେଇ ଯେପରି ଅନିଶ୍ଚିତତା ଲାଗି ରହିଲା ତାକୁ ନେଇ ସମଗ୍ର ବିଶ୍ବର ବଭିନ୍ନ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ପହଞ୍ଚିଲା। ବିଳମ୍ବରେ ହେଲ ମଧ୍ୟ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ଦେବା ବେଳେ ଯେଉଁସବୁ ସର୍ତ୍ତାରୋପ କରିଛନ୍ତି ତାହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ଓ ଜନସାଧାରଣ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରନ୍ତୁ। ଶୃଙ୍ଖଳାର ସହ ଘୋଷଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହା ପାଳନ ହେବା ଦରକାର। ପୁରୀ ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟ ତାଙ୍କ ପୂର୍ବ ମତରେ ପରିବର୍ତ୍ତନ କରିଛନ୍ତି। ଏହା ହେଉଛି ଭକ୍ତମାନଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଏକ ବିସ୍ମୟକର ଆଶୀର୍ବାଦ। ଯେଉଁମାନେ ଏହି ପ୍ରକ୍ରିୟାରେ ସାମିଲ ଥିଲେ ସେମାନଙ୍କୁ ସାଧୁବାଦ।
ଦିଲ୍ଲୀପ ରାୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ

OST

ଆଖିର ଲୁହ ଓ ମନର କୋହ ଲାଘବ କରିଛନ୍ତି ମହାପ୍ରଭୁ
ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟ ପୂର୍ବ ରହିତାଦେଶକୁ ପରିବର୍ତ୍ତନ କରି ଆଜି ଯେପରି ଅନୁମତି ପ୍ରଦାନ କଲେ ସେଥିପାଇଁ ଅଶେଷ ଧନ୍ୟବାଦ। ଏହାକରି ଜଗନ୍ନାଥ ଭକ୍ତମାନଙ୍କ କ୍ଷୋଭ ଓ ସଂଶୟକୁ ସର୍ବୋଚ୍ଚ ନ୍ୟାୟାଳୟ ଦୂର କରିଛନ୍ତି। ବାସ୍ତବରେ କୋଟି କୋଟି ଭକ୍ତମାନଙ୍କ ଆଖିର ଲୁହ ଓ ମନର କୋହକୁ ମହାପ୍ରଭୁ ଲାଘବ କରିବା ସହ ପୂରଣ କରିଛନ୍ତି। ପୂର୍ବ ଆଦେଶରେ ପରିବର୍ତ୍ତନ କରି ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେବା ଐତିହାସିକ ଘଟଣା। ଏବେ ରାଜ୍ୟ ସରକାରଙ୍କ ଦାୟିତ୍ବ ବଢ଼ିଯାଇଛି। କରୋନା ମହାମାରୀ ପାଇଁ ସତର୍କତା ନିୟମ ଅନୁପାଳନ ପୂର୍ବକ ଏବର୍ଷ କିପରି ରଥଯାତ୍ରା ସୁରୁଖୁରୁରେ ସମାପନ ହେବ, ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ଦରକାର। ଜଗନ୍ନାଥଙ୍କୁ ରାଜନୀତିରୁ ଊର୍ଦ୍ଧ୍ବରେ ରଖିବା ଉଚିତ୍‌। ଯେଉଁମାନେ ରଥଯାତ୍ରା ନ କରିବାକୁ ଉଦ୍ୟମ କରିଥିଲେ, ସେମାନେ ଏବେ ଅନୁତାପ କରନ୍ତୁ। ମହାପ୍ରଭୁ କାହାରି ଅହଂକାର ଓ ଦର୍ପ ସହ୍ୟ କରନ୍ତି ନାହିଁ। ବୋଧହୁଏ ଚକ୍ରାନ୍ତକାରୀମାନେ ଏକଥାଟିକୁ ଅନୁଭବ କରିନଥିଲେ। ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଯାତ୍ରା ଯେପରି ଅନୁଷ୍ଠିତ ହେବ, ସେଥିରେ ସହଯୋଗ କରିବା ଆମ ସମସ୍ତ ସ୍ବାଭିମାନ ଓଡ଼ିଆଙ୍କ କର୍ତ୍ତବ୍ୟ। ରଥଯାତ୍ରା ପାଇଁ ସରକାର ସଟ୍‌ଡାଉନ୍‌ କିମ୍ବା ଯାହା ବି କଟକଣା ଲଗାଇଛନ୍ତି, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।
ବିଜୟ ମହାପାତ୍ର, ବରିଷ୍ଠ ବିଜେପି ନେତା

ସମ୍ବନ୍ଧିତ ଖବର