ଓଡ଼ିଆ ଝିଅ ଗାୟତ୍ରୀ ମହାନ୍ତିଙ୍କୁ ମୁମ୍ବାଇରେ ‘ମିସ୍‌ ଇଣ୍ଡିଆ-୨୦୧୯ ଗ୍ଲୋବାଲ ୟୁନିଭର୍ସ’ ଟାଇଟଲ

ଭୁବନେଶ୍ୱର: ଓଡ଼ିଆ ଝିଅ ଗାୟତ୍ରୀ ମହାନ୍ତି ମୁମ୍ବାଇରେ ‘ମିସ୍‌ ଇଣ୍ଡିଆ-୨୦୧୯ ଗ୍ଲୋବାଲ ୟୁନିଭର୍ସ’ ମୁକୁଟ ପିନ୍ଧିଛନ୍ତି। ବର୍ତ୍ତମାନ ବେଙ୍ଗାଲୁରୁରେ ବସବାସ କରୁଥିବା ଗାୟତ୍ରୀ ଜଣେ ଉଦ୍ୟୋଗୀ ହୋଇଥିଲେ ବି ଜାତୀୟ ସ୍ତରର ପ୍ରତିଯୋଗିତାରେ ବିଜୟିନୀ ହୋଇ ଓଡ଼ିଶାର ଗର୍ବ ବଢ଼ାଇଛନ୍ତି। ଗାୟତ୍ରୀ ନିକଟରେ ମିସ୍‌ ଇଣ୍ଡିଆ କର୍ଣ୍ଣାଟକ ଟାଇଟଲ୍‌ ମୁକୁଟ ପିନ୍ଧିଥିଲେ। ବେଙ୍ଗାଲୁରୁରେ ଆୟୋଜିତ ପ୍ରତିଯୋଗିତାରେ ସେ ରନର୍ସ-ଅପ ୨୦୧୯ ମୁକୁଟ ପିନ୍ଧିଥିଲେ।

କଟକରେ ୧୯୮୧ରେ ଗାୟତ୍ରୀ ଜନ୍ମଗ୍ରହଣ କରିଥିଲେ। ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲରେ ସେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିବା ବେଳେ ରେଭେନ୍‌ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ କିଟ୍‌ ବିଶ୍ୱବିଦ୍ୟାଳୟରୁ ‘ଏମ୍‌ବିଏ’ରେ ଉତ୍ତୀର୍ଣ୍ଣ ହୋଇଥିଲେ। ସ୍କୁଲ-କଲେଜରେ ପାଠପଢ଼ା ସମୟରେ ସେ ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକରେ ଅଂଶଗ୍ରହଣ କରୁଥିଲେ।

ଗାୟତ୍ରୀ କଲେଜ ଛାତ୍ରୀ ଥିବା ବେଳେ ୨୦୦୨ରେ ରାଜପଥ ମାର୍ଚ୍ଚିଙ୍ଗ କଣ୍ଟିଜେଣ୍ଟରେ ଏନ୍‌ସିସି ଛାତ୍ରୀ ଭାବେ ଓଡ଼ିଶା ତରଫରୁ ଅଂଶଗ୍ରହଣ କରିଥିଲେ। ସେତେବେଳେ ସେ ଅସୁସ୍ଥ ଥିଲେ ଏବଂ ବାମ ଗୋଡ଼ରେ ୮ଟି ଷ୍ଟିଚ୍‌ ଲାଗିଥିଲା। ଏହି ପ୍ରତିଯୋଗିତାରେ ତାଙ୍କୁ ଶ୍ରେଷ୍ଠ ପୁରସ୍କାର ମଧ୍ୟ ମିଳିଥିଲା। ପରେ ସେ ଭାରତ ତରଫରୁ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ସ୍ନାତକୋତ୍ତର ପରେ ସେ ୨୦୦୫ରୁ ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରୁଛନ୍ତି। ବର୍ଷ ୨୦୦୭ରେ ସେ ସନ୍ଦୀପ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ତାଙ୍କର ୯ ବର୍ଷ ପୁଅ (ନମନ) ସାଥୀରେ ବେଙ୍ଗାଲୁରୁରେ ରହୁଛି। ଏକ ଉଚ୍ଚଶିକ୍ଷିତ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ଗାୟତ୍ରୀ ପିତା-ମାତାଙ୍କ ଠାରୁ ଅନେକ ପ୍ରେରଣା ପାଇଛନ୍ତି। ତାଙ୍କର ପିତା ରତିକାନ୍ତ ମହାନ୍ତି ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରୁଥିବା ବେଳେ ମା’ ମିନତୀ ପଟ୍ଟନାୟକ ଜଣେ ବରିଷ୍ଠ ଯନ୍ତ୍ରୀ।

ସମ୍ବନ୍ଧିତ ଖବର