ତୈଳଦର ବୃଦ୍ଧିରେ ସାଧାରଣ ଲୋକ ଅତିଷ୍ଠ: ପରିବହନ ମନ୍ତ୍ରୀ

ଭୁବନେଶ୍ବର : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର କ୍ରମାଗତ ବୃଦ୍ଧିରେ ସାଧାରଣ ଖାଉଟି ହନ୍ତସନ୍ତ ହେଲେଣି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଦର ହୁ ହୁ ହୋଇ ବଢ଼ିଚାଲିଛି। କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନକୁ ନେଇ ଏପରି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି ଯେ ଏବେ ସାଧାରଣ ବ୍ୟକ୍ତିଟିଏ ଦୁଇଚକିଆ ଓ ଚାରିଚକିଆ ଯାନ ଚଢ଼ୁଛି। ଯଦି ପ୍ରତିଦିନ ସେ ଘରୁ ବାହାରିବା ବେଳକୁ ବର୍ଦ୍ଧିତ ତୈଳଦରର ସାମନା କରିବ, ତାହେଲେ ସେ ଚଳିବ କେମିତି? ତା ରୋଜଗାରର ବଡ଼ ଅଂଶ ପେଟ୍ରୋଲ କିଣିବାରେ ଚାଲିଯାଉଛି।

ଖାଲିସେତିକି ନୁହେଁ, ଚଳିତ ମାସରେ ଯେପରି ଭାବେ ଦୁଇଥର ରନ୍ଧନ ଗ୍ୟାସ୍‌ରେ ବୃଦ୍ଧି ଘଟିଛି, ସେଥିରେ ସାଧାରଣ ଲୋକ ଓ ଗରିବମାନଙ୍କ ଚିନ୍ତା ବଢ଼ିଯାଇଛି। ଯାହାକୁ ନେଇ ଲୋକମାନଙ୍କ ଭିତରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଶ୍ରୀ ବେହେରା କହିଛନ୍ତି, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ଉପରେ ଅହେତୁକ ଉତ୍ପାଦ ଶୁଳ୍କ ଓ ସେସ୍‌ ବସାଇବାରୁ ଏପରି ଦରବୃଦ୍ଧି ଘଟି ଚାଲିଛି। ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଲା ପରେ ରାଜ୍ୟ ସରକାର ଭାଟ୍‌ ଟିକସ ପାଉଛନ୍ତି। ଏଥିରେ ରାଜ୍ୟ ସମ୍ବଳ ସଂଗ୍ରହ କରୁଛି। କିନ୍ତୁ ବିକ୍ରି ହେଉ କି ନ ହେଉ, କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ପାଇଯାଉଛନ୍ତି। ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ତୈଳ ଦର କମାଇବାକୁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ୍‌ ବୋଲି ଶ୍ରୀ ବେହେରା ମତ ରଖିଥିଲେ।

ସମ୍ବନ୍ଧିତ ଖବର