ପିଲାଚୋରି ଗୁଜବରୁ ତୁମୁଳକାଣ୍ଡ: ବାଇକକୁ ପିଟି ଓଲଟିଲା ସ୍କର୍ପିଓ, ପୁଲିସ ଗାଡ଼ି ଭଙ୍ଗାରୁଜା

ଦୁଇ ଜଣଙ୍କୁ କାବୁ କରି ପୁଲିସ ଜିମା ଦେଲେ ଗ୍ରାମବାସୀ

ରାୟଗଡ଼ା: କୋରାପୁଟ ଜିଲ୍ଲା ବନ୍ଧୁଗାଁ ପରେ ସୀମାନ୍ତ ରାୟଗଡ଼ା ଜିଲ୍ଲାକୁ ବ୍ୟାପିଲା ପିଲା ଚୋରି ଗୁଜବ। ସନ୍ଦେହ କାରଣରୁ ରବିବାର ରାତିରେ ରାୟଗଡ଼ା ସଦର ବ୍ଲକର ତାଡ଼ମା ପଞ୍ଚାୟତରେ ତୁମୁଳକାଣ୍ଡ ଘଟିଛି। ଗ୍ରାମବାସୀ ପିଛା କରୁଥିବା ଗୋଟିଏ ସ୍କର୍ପିଓ ବାଟରେ ବାଇକକୁ ଧକ୍କା ଦେଇ ଓଲଟି ପଡ଼ିଥିବା ବେଳେ ଉଦ୍ଧାର ପାଇଁ ଆସିଥିବା ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି ଗ୍ରାମବାସୀ। ପୁଲିସ ଘଟଣାରେ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ରବିବାର ରାତିରେ କୋଟଲାଗୁଡ଼ା ଛକରୁ ପିତାମହଲକୁ ସଂଯୋଗ କରୁଥିବା ବାଇପାସ୍‌ ରାସ୍ତାରେ ଗୋଟିଏ ସ୍କର୍ପିଓ ଦ୍ରୁତ ଗତିରେ ଯାଉଥିଲା। ଗାଡ଼ି ଭିତରୁ ଛୋଟ ପିଲା କାନ୍ଦୁଥିବା ଶବ୍ଦ ଶୁଣିବା ପରେ ଗ୍ରାମବାସୀ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସ୍କର୍ପିଓ ଡ୍ରାଇଭର ଗାଡ଼ିକୁ ନ ଅଟକାଇ ଦ୍ରୁତ ଗତିରେ ଚାଲି ଯାଇଥିଲେ। ଫଳରେ ଗ୍ରାମବାସୀ ବାଇପାସ୍‌ ରାସ୍ତାରେ ଥିବା ଅନ୍ୟ ଗାଁ ଗୁଡ଼ିକୁ ତୁରନ୍ତ ଖବର ଦେବା ପରେ ଗାଁ ଲୋକେ ରାସ୍ତାରେ ବଡ଼ ବଡ଼ ପଥର ପକାଇ ଅବରୋଧ କରିଥିଲେ। ତାଡ଼ମା ଗ୍ରାମରୁ ଅଳ୍ପ ଦୂରରେ ଗୋପାଳପୁର ଛକ ବୁଲାଣିରେ ସ୍କର୍ପିଓ ଏକ ବାଇକକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ସ୍କର୍ପିଓ ଭିତରୁ ଜଣେ ମହିଳା ଓ ଜଣେ ଯୁବକଙ୍କୁ ଗ୍ରାମବାସୀ ଧରି ଅଟକ ରଖିଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଥିଲେ। ଦୁଇଜଣଙ୍କୁ ଗ୍ରାମବାସୀ ଅଟକ ରଖି ରାୟଗଡ଼ା ଥାନାକୁ ଖବର ଦେଇଥିଲେ।

ଥାନା ଅଧିକାରୀ କମଳାକାନ୍ତ ବସନ୍ତ କହଁରଙ୍କ ନେତୃତ୍ବରେ ପୁଲିସ ଟିମ୍ ଗ୍ରାମରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ୫ଘଣ୍ଟା ପରେ ଗ୍ରାମବାସୀଙ୍କ କବଳରୁ ଯୁବକ, ଯୁବତୀଙ୍କୁ ମୁକୁଳାଇଥିଲା। ତେବେ ଘଟଣାର ସତ୍ୟାସତ୍ୟକୁ ନେଇ ଗ୍ରାମବାସୀ ଜିଦ୍ ଧରିବା ପରେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଗ୍ରାମବାସୀ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ପରେ ଉତ୍ତେଜନା ବଢ଼ିଥିଲା। ଖବର ପାଇ ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ମାଲିକ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ମାଲିକଙ୍କୁ ମଧ୍ୟ ଆକ୍ରମଣ କରିବା ସହ ଧମକ ଦେଇଥିଲେ। ପରିସ୍ଥିତ ଶାନ୍ତ ପଡ଼ିବା ପରେ ପୁଲିସ ଅଟକ ଯୁବକ, ଯୁବତୀଙ୍କୁ ନେଇ ଫେରିଥିଲା। ଘଟଣା ସମ୍ପର୍କରେ ସୂଚନା ଦେଇ ଥାନା ଅଧିକାରୀ ଶ୍ରୀ କହଁର କହିଛନ୍ତି, ଗେଲ୍ ଇଣ୍ଡିଆ ପ୍ରାଇଭେଟ୍ ନାମକ ଏକ ବେସରକାରୀ ସଂସ୍ଥାର କିଛି କର୍ମଚାରୀ ନିଜ ସାଥୀରେ ଜଣେ ମହିଳାଙ୍କୁ ନେଇ ତାଡ଼ମା ଅଭିମୁଖେ ଯାଉଥିଲେ। ଉକ୍ତ ଗାଡ଼ିରେ ପିଲା ଚୋରି ହେଉଥିବା ନେଇ ମିଥ୍ୟା ଗୁଜବ ପ୍ରଚାରିତ ହେବା ପରେ ଗ୍ରାମବାସୀ ଏପରି କାଣ୍ଡ ଭିଆଇଛନ୍ତି। ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଆଜି ସକାଳେ ତାଡ଼ମା ସରପଞ୍ଚ ରାୟଗଡ଼ା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର