ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ

କେସିଆର୍‌ଙ୍କ ବିଆରଏସ୍‌ର ଓଡ଼ିଶା ମୁଖ୍ୟ ହୋଇପାରନ୍ତି, ଆଉ ନିର୍ବାଚନ ଲଢ଼ିବିନି: ଗିରିଧର

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ବୁଧବାର ଦିନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ଦିନ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗମାଙ୍ଗ ବାପ ପୁଅ ବିଜେପିରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଥିଲେ। ସେମାନେ ତାଙ୍କର ଇସ୍ତଫା ପତ୍ର ଦଳର ଜାତୀୟ ସଭାପତି ଜେ.ପି ନଡ୍ଡାଙ୍କୁ ପଠାଇଛନ୍ତି। ଗିରିଧର ବିଜେପିରୁ ଇସ୍ତଫା ଦେଇଥିଲେ ହେଁ ଏଥିପାଇଁ କୌଣସି ନେତାଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରିନାହାନ୍ତି। କେବଳ କହିଛନ୍ତି ‌େଯ, ମୋତେ ଦଳରେ ଅଣଦେଖା କରିବାରୁ ମୁଁ ଦଳ ଛାଡ଼ିଛି।

ଗମାଙ୍ଗ ଏବେ କେଉଁ ଦଳରେ ଯୋଗଦେବେ ତାହା ସ୍ପଷ୍ଟ କହିନଥିଲେ ହେଁ , ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗମାଙ୍ଗ ଓ ତାଙ୍କ ପୁଅଙ୍କ କଥାବାର୍ତ୍ତା ଏବଂ ନିକଟରେ ହୋଇଥିବା ରାଜନୈତିକ ମିଳାମିଶାରୁ ଆଭାସ୍ ମିଳିଛି ଯେ, ଗିରିଧର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିଆର୍‌ଏସ୍‌ ଦଳରେ ଯୋଗଦେଇପାରନ୍ତି। ଏପରିକି ଓଡ଼ିଶା ସଭାପତି ଭାବେ ସେ ଦାୟିତ୍ବ ନେଇପାରନ୍ତି।

ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ଗିରିଧର କହିଛନ୍ତି ଯେ, ୨୦୧୫ରେ କଂଗ୍ରେସ ଛାଡ଼ିଲାବେଳେ କାହା ବିରୋଧରେ କହିନଥିଲି, ଏବେବି କାହା ବିରୋଧରେ କହିବିନି। ଯେଉଁମାନେ ମୋତେ ବିଜେପିକୁ ନେଇଥିଲେ ସେମାନଙ୍କୁ ଧନ୍ୟବାଦ। ଦଳରେ କେହି ମୋତେ ଅପମାନିତ କରିଛନ୍ତି ବୋଲି କହିବିନି କିନ୍ତୁ ଅଣଦେଖା କରିଛନ୍ତି। ଏହା ମୁଁ ସହିବି ନାହିଁ। ବିଜେପିର ବହୁ ଦଳୀୟ କାର୍ଯ୍ୟକ୍ରମକୁ ଡକାଯାଉନଥିଲା। ଦେଖିକି ନଦେଖିଲା ଭଳି ନେତାମାନେ ବ୍ୟବହାର କରୁଥିଲେ। ତେଣୁ ଯେଉଁଠିକୁ ଡାକୁଥିଲେ ସେଠାକୁ ଯାଉଥିଲି, ଯେତିକି କାମ ଦେଉଥିଲେ ସେତିକି କରୁଥିଲି। ଏକ ଜାତୀୟ ଦଳରେ ଯୋଗଦେଇପାରେ। ହେଲେ ମୋର ଆଗକୁ ନିର୍ବାଚନ ଲଢ଼ିବାର ନାହିଁ। ଶିଶିର ନିର୍ବାଚନ ଲଢ଼ିବ।

ଗିରିଧର ତାଙ୍କ ଇସ୍ତଫା ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ତଥା ତତ୍କାଳୀନ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି। କହିଛନ୍ତିଯେ, ୧୯୯୯ ମସିହାରେ ମୋ ଭୋଟ୍‌କୁ ନେଇ ମୋଦୀ ଏବଂ ଶାହ ସଂସଦରେ ସ୍ପଷ୍ଟୀକରଣ ଦେଇଥିବାରୁ ତାଙ୍କୁ ଧନ୍ୟବାଦ।

ସେହିପରି ଶିଶିର ଗମାଙ୍ଗ କହିଛନ୍ତି ଯେ, ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କ ଇଙ୍ଗିତରେ ମୋତେ କାମ କରାଇ ଦେଲେନି। ଏନେଇ ବାପା ଓ ମୁଁ ବିଭିନ୍ନ ସମୟରେ ଦଳୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କଲୁ। କିନ୍ତୁ କେହି ଶୁଣିଲେନି। ଏହାବାଦ୍ ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ହେଉଛନ୍ତି ଅଲ୍‌ ପାର୍ଟି ପ୍ରେସିଡେଣ୍ଟ ବା ସବୁ ଦଳର ସଭାପତି। ଯେତେ ବିରୋଧୀ ଦଳ ଆସିଲେ କିଣି ପକାଉଛନ୍ତି। ତେଣୁ ଓଡ଼ିଶାର ବିକାଶ ଯେଉଁଭଳି ହେବା କଥା ହୋଇପାରୁନି। ଆମେ ଯେଉଁ ପାର୍ଟିରେ ବି ଯୋଗ ଦେବୁ ଓଡ଼ିଶାର ଭଲ ପାଇଁ କାମ କରିବୁ । ବାପାଙ୍କ ନିର୍ମଳ ଭାବମୂର୍ତ୍ତି ପାଇଁ ତାଙ୍କୁ ଏକ ଜାତୀୟ ଦଳ ସମ୍ଭାଳିବାକୁ ଅନୁରୋଧ କରାଯାଇଛି। ଏନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବୁ।

ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଦଳ ଛାଡ଼ିବା ନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି ଯେ, ଗିରିଧର ଗମାଙ୍ଗ ନିଜ ପୁଅର ସ୍ବପ୍ନକୁ ସାକାର କରିବା ପାଇଁ ଏଭଳି କହୁଥାଇ ପାରନ୍ତି। ବିଜେପି ଗିରଧର ବାବୁଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରିଥିଲା,ଶିଶିର ଗମାଙ୍ଗଙ୍କୁ ଦଳ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଲା। ଦଳ ତାଙ୍କୁ ଭରପୁର ସୁଯୋଗ ଦେଇଛି କାମ କରିବା ପାଇଁ। ତା’ପରେ ବି ଯଦି ଅଭିଯୋଗ କରନ୍ତି ତେବେ ଏହା କେବଳ ରାଜନୈତିକ ଅଭିଯୋଗ।

ସମ୍ବନ୍ଧିତ ଖବର