ବିଧାନସଭାରେ ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ହେବା ପ୍ରସଙ୍ଗ: ଖରା ଛୁଟିରେ ଛାତ୍ରୀ ଘରକୁ ଯାଇଥିବା ବେଳେ ଘଟଣା ଘଟିଥିଲା ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ବର:  ଆଜି ବିଧାନସଭାରେ  ଭୁବନେଶ୍ବରସ୍ଥିତ ଏକ  ସେବାଶ୍ରମରେ ଆଦିବାସୀ ଛାତ୍ର ଗର୍ଭବତୀ ହେବା ପ୍ରସଙ୍ଗ ଉଠିଛି । ଆଜି ଗୃହରେ ସ୍ପଷ୍ଟିକରଣ ରଖିଛନ୍ତି ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଆଶ୍ରମ ସ୍କୁଲରେ ନୁହେଁ ବରଂ ଘରେ ଥିବା ବେଳେ ଗର୍ଭବତୀ ହୋଇଛନ୍ତି ଛାତ୍ରୀ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୪ ଜଣ ଛାତ୍ରୀ ଚିହ୍ନଟ ହୋଇଥିଲେ । କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ପଜେଟିଭ ଆସିଥିଲା । କିନ୍ତୁ ଯେଉଁ ଛାତ୍ରୀ ଜଣକର ରିପୋର୍ଟ ପଜେଟିଭ ଆସିଥିଲା ସେ ଆଶ୍ରମ ସ୍କୁଲରେ ଥିଲା ବେଳେ ନୁହେଁ ବରଂ ସେ ନିଜ ଘରେ ଥିବାବେଳେ ହିଁ ଗର୍ଭବତୀ ହୋଇଛନ୍ତି । ତେବେ ଖରା ଛୁଟିରେ ଘରକୁ ଯାଇଥିବା ବେଳେ ଘଟଣାଟି ଘଟିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ବିଭାଗୀୟ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଆଶ୍ରମ ସ୍କୁଲରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏପରିକି ଛାତ୍ରୀମାନଙ୍କର ସୁରକ୍ଷାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ୧୧୨୦ଟି ସିସିଟିଭି ମଧ୍ୟ ଲଗାଯାଇଛି । ଛାତ୍ରୀଙ୍କ ପାଇଁ ଟୋଲ ଫ୍ରି ନମ୍ବର ବି ଜାରି କରାଯାଇଛି । ଯେଉଁଥିରେ ସେମାନେ ସେମାନଙ୍କର ଅସୁବିଧା ତଥା ସମସ୍ୟା ସଂପର୍କରେ ଅବଗତ କରାଇପାରିବେ ।

ସମ୍ବନ୍ଧିତ ଖବର