ସଂସଦରେ ରେଳବାଇ ଜମି ଅଧିଗ୍ରହଣ ପ୍ରସଙ୍ଗ: ଜୁଏଲ ଓରାମ୍‌ କହିଲେ ଏବେକାର ମୂଲ୍ୟରେ କ୍ଷତିପୂରଣ ଓ ନିଯୁକ୍ତି ଦିଅ

ରାଉରକେଲା: ବନ୍ଧମୁଣ୍ଡା ରେଳବାଇ ଜମି ସମସ୍ୟା ପ୍ରସଙ୍ଗ ସଂସଦରେ ପହଞ୍ଚିଛି। ଗତ ବୁଧବାର ସଂସଦରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏନେଇ ପ୍ରଶ୍ନ ଉପସ୍ଥାପନ କରିବାସହ ଉପଯୁକ୍ତ କ୍ଷତିପୂରଣ ଓ ନିଯୁକ୍ତି ଦାବି କରିଥିଲେ। ଶ୍ରୀ ଓରାମ କହିଥିଲେ, ଦୀର୍ଘ ବର୍ଷ ପୂର୍ବେ ରେଳବାଇ ସ୍ଥାନୀୟ ମୂଳବାସୀଙ୍କ ଜମିକୁ ଆୟତ୍ତକୁ ନେଇଥିଲେ। କିନ୍ତୁ କେବେ ବି ସେଠାରେ ଉଚ୍ଛେଦ କରାଯାଇ ନଥିଲା। ଅପରପକ୍ଷରେ ରେଳବାଇ ଉକ୍ତ ଜମିକୁ କିନ୍ତୁ ବ୍ୟବହାର ନ କରି ପକାଇରଖିଛି। ୩୦ ବର୍ଷ ପରେ ଯଦି ଉକ୍ତ ଜମି ଅଧିଗ୍ରହଣ କରିବାର ଯୋଜନା ରହିଛି, ତା’ହେଲେ ବାସଚ୍ୟୁତଙ୍କୁ ଆଜିର ମୂଲ୍ୟ ଅନୁଯାୟୀ କ୍ଷତିପୂରଣ ଦିଆଯାଉ। ଏହାସହ ପ୍ରତ୍ୟେକ ବିସ୍ଥାପିତଙ୍କୁ ନିଯୁକ୍ତି ସୁନିଶ୍ଚିତ କରାଯାଉ। ରେଳମନ୍ତ୍ରୀ ଏହି ନୀତି ଅବଲମ୍ବନ କରି ସ୍ଥାନୀୟ ବାସିନ୍ଦାଙ୍କୁ ଉପକୃତ କରନ୍ତୁ ବୋଲି ଜୁଏଲ ମତ ଦେଇଥିଲେ। ଜବାବରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାକୁ ଏକ ‘ଜଟିଳ ପ୍ରସଙ୍ଗ’ ବୋଲି ଅବିହିତ କରିଥିଲେ। ରେଳମନ୍ତ୍ରୀ କହିଥିଲେ, ‘‘ଏହା ଅତ୍ୟନ୍ତ ଜଟିଳ ପ୍ରସଙ୍ଗ। ତେବେ ଏନେଇ ପୁଙ୍ଖାନୁପୁଙ୍ଖଭାବେ ଅବଗତ ଅଛି। ଉପଜିଲ୍ଲାପାଳଙ୍କ ରିପୋର୍ଟ ଅନୁଯାୟୀ ପଦକ୍ଷେପ ନିଆଯାଇଛି। ପ୍ରସଙ୍ଗରେ ଏବେ ଉତ୍ତର ରଖିବା ସମ୍ଭବ ନୁହେଁ। ତେବେ ଆଜି ଦରରେ କ୍ଷତିପୂରଣ ଓ ନିଯୁକ୍ତି ନେଇ ଯଦି କୌଣସି ନୀତି ତିଆରି ହୁଏ, ତା’ହଲେ ନିଶ୍ଚିତଭାବେ ଏହାକୁ ଲାଗୁ କରାଯିବ।’’

ସ୍ଥାନୀୟ ପ୍ରସଙ୍ଗକୁ ଦୃଢ଼ତାର ସହ ଉପସ୍ଥାପନ କରିଥିବାରୁ ଜୁଏଲଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଉଥିବାବେବେଳ ରେଳମନ୍ତ୍ରୀଙ୍କ ଉତ୍ତର କିନ୍ତୁ ବହୁମାତ୍ରାରେ ନିରାଶ କରିଛି। ଉଲ୍ଲେଖଯୋଗ୍ୟ ହେଉଛି, ଜୁଏଲ ବିଜେପି, ଅର୍ଥାତ୍ ସରକାରୀ ଦଳର ସାଂସଦ। ପୁଣି ରେଳମନ୍ତ୍ରୀ ମଧ୍ୟ ଓଡ଼ିଶାର। ୧୯୫୬-୧୯୬୪ ମସିହାରେ ବନ୍ଧମୁଣ୍ଡାରେ ରେଳବାଇ ପକ୍ଷରୁ ମାର୍ଶାଲିଂ ୟାର୍ଡ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେତେବେଳେ ୧୨ଟି ଗାଁର ପ୍ରାୟ ହଜାରେ ଉର୍ଦ୍ଧ୍ବ ଲୋକଙ୍କୁ ଉଚ୍ଛେଦ କରାଯାଇଥିଲା। ତେବେ କେବଳ ବନ୍ଧମୁଣ୍ଡା ଆର୍‌.ଏସ୍‌. କଲୋନିରେ ପାଖାପାଖି ୪ ଶହ ପରିବାରଙ୍କ ପାଇଁ ଜମି ଚିହ୍ନଟ କରାଯାଇଥିବାବେଳେ ବାସଗୃହ ନିର୍ମାଣ, ଆର୍ଥିକ ସହାୟତା ଆଦି ଦିଆଯାଇନଥିଲା। ଉଚ୍ଛେଦ ହୋଇଥିବା ଅନ୍ୟ ପରିବାରକୁ କିଛି ମିଳିନଥିଲା। ସ୍ଥାନୀୟ ଲୋକଙ୍କ ଉଚ୍ଛେଦ କରାଯାଇଥିଲେ ମଧ୍ୟ ସାମାନ୍ୟ କ୍ଷତିପୂରଣ ଦିଆନଯିବାରୁ ସେବେଠାରୁ ଆଜି ପର୍ଯ୍ୟନ୍ତ ଅସନ୍ତୋଷ ଲାଗିରହିଛି। ଅପରପକ୍ଷରେ ଉକ୍ତ ଜମିକୁ ରେଳବାଇ କର୍ତୃପକ୍ଷ ନିଜ ଆୟତ୍ତକୁ ନେଇଯାଇଥିଲେ ମଧ୍ୟ ଅବ୍ୟବହୃତ ଅବସ୍ଥାରେ ରଖିଛନ୍ତି। ତେବେ ଉକ୍ତ ଜମି ଏବେ ବି ମୂଳ ଅଧିବାସୀଙ୍କ ନାଁରେ ରହିଛି। ଏବେ ବିଭିନ୍ନ ପ୍ରକଳ୍ପ ପାଇଁ ଉକ୍ତ ଅଞ୍ଚଳରେ ପୁନର୍ବାର ଉଚ୍ଛେଦ କରାଯିବାକୁ ରେଳବାଇ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଉପଯୁକ୍ତ କ୍ଷତିପୂରଣର ଦାବି ପୁଣି ଶାଣିତ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର