ରାଜ୍ୟପାଳଙ୍କୁ ଭାଟ ହିସାବରେ ବ୍ୟବହାର ପାଇଁ ସରକାର ଉଦ୍ୟମ କରିଛନ୍ତି: ନରସିଂହ

୩୫% ଜଳସେଚନ ପ୍ରତିଶ୍ରୁତି ଗଲା କୁଆଡ଼େ, କେବିକେରେ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ବି ହେଲାନି

ଭୁବନେଶ୍ବର : ରାଜ୍ୟପାଳଙ୍କ ଅଭିଭାଷଣରେ ପରବର୍ତ୍ତୀ ବର୍ଷର ଯୋଜନା ସମ୍ପର୍କରେ କୁହାଯାଇଥାଏ। ସରକାରଙ୍କ ଲକ୍ଷ୍ୟ ଓ ଯୋଜନା ସମ୍ପର୍କରେ ରାଜ୍ୟପାଳ କହିବା କଥା। କିନ୍ତୁ ଏଥର ତାଙ୍କ ଭାଷଣରେ ଆଗାମୀ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ଅତୀତରେ ଏ ସରକାର କେଉଁଠି କ’ଣ କରିଛନ୍ତି, ତାହା ହିଁ ଭାଷଣରେ ଉଲ୍ଲେଖ ଅଛି। ପୂର୍ବରୁ ରାଜାଙ୍କ ପାଖରେ ଭାଟ ରହୁଥିଲେ। ସେମାନଙ୍କ କାମ ହେଲା କେବଳ ପ୍ରଶଂସା କରିବା। ରାଜ୍ୟ ସରକାର ବୋଧହୁଏ ରାଜ୍ୟପାଳଙ୍କୁ ଭାଟ ହିସାବରେ ବ୍ୟବହାର ପାଇଁ ଉଦ୍ୟମ କରିଛନ୍ତି। ବିଧାନସଭାରେ ରାଜ୍ୟପାଳଙ୍କ ଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆ‌େଲାଚନାରେ ଭାଗ ନେଇ ଏମିତି ଭର୍ତ୍ସନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଶ୍ରୀ ମିଶ୍ର କହିଲେ ଯେ ସରକାର ଚାଷୀଙ୍କ ପାଇଁ ବହୁତ କରିଛନ୍ତି ବୋଲି ରାଜ୍ୟପାଳ ତାଙ୍କ ଭାଷଣରେ କହିଛନ୍ତି। ୨୦୦୬ରେ ରାଜ୍ୟପାଳ ଏହି ଗୃହରେ କହିଥିଲେ ଯେ ପ୍ରତ୍ୟେକ ବ୍ଲକ୍‌ରେ ଅତି କମ୍‌ରେ ୩୫% ଜମି ଜଳସେଚିତ ହେବ। ୩୫% ତ ହେଲାନି, କେତେ ଜମି ଜଳସେଚିତ ହେଲା ତାହା ଗୃହରେ ଜଣାଉ ନାହାନ୍ତି। ୨୦୦୮ରେ ପୁଣି କୁହାଗଲା ଯେ ଯେଉଁ ଗାଁରେ ୩୫% ଜମି ଜଳସେଚିତ ହୋଇନି ସେହି ଗାଁକୁ ୫ ଲକ୍ଷ ଟଙ୍କା ଦିଆଯିବ। ତାହା ବି ହେଲାନି। ଏ ସରକାର ରାଜ୍ୟପାଳଙ୍କୁ ମିଛୁଆ ଭାବେ ପ୍ରମାଣିତ କରିଛନ୍ତି। ୨୦୧୪ରେ ରାଜ୍ୟପାଳଙ୍କ ଭାଷଣରେ କୁହାଗଲା କେବିକେରେ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। ତାହା କୁଆଡ଼େ ଗଲା? ସରକାର ରାଜ୍ୟପାଳଙ୍କୁ ଭକୁଆ ବନାଇଲେ।

କଂଗ୍ରେସ ବିଧାୟକ ଦଳ ନେତା ଆହୁରି କହିଥିଲେ ଯେ ନିତି ଆୟୋଗ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଚାଷୀଙ୍କ ଆୟ ବର୍ଷକୁ ୫,୧୧୨ ଟଙ୍କା। ଅର୍ଥାତ ମାସକୁ ୫୦୦ ବି ପଡ଼ୁନି। ଏହାକୁ କ’ଣ ଚାଷୀଙ୍କ ବିକାଶ କୁହାଯିବ? ‘ଶ୍ରେଷ୍ଠ ଶିକ୍ଷକ, କିନ୍ତୁ ପରୀକ୍ଷା‌ଫଳ ଶୂନ’ ଯାହା, ଚାଷୀଙ୍କ ଅବସ୍ଥା ଏବେ ‌ତାହା। ଧାନର ଏମ୍‌ଏସ୍‌ପିକୁ ୨୯୩୦ କରିବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହେଲା। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ବାଚସ୍ପତି ସମୟ ମାଗିଲେ। କିନ୍ତୁ ମିଳିଲା ନାହିଁ। ଯଦି ପ୍ରଧାନମନ୍ତ୍ରୀଙ୍କର ସମୟ ନାହିଁ, ତେବେ ସବୁ ପ୍ରସଙ୍ଗରେ ବିଜେଡି ସଂସଦରେ କେନ୍ଦ୍ର ସରକାରଙ୍କୁ କାହିଁକି ସମର୍ଥନ ଦେଉଛି? ମେଣ୍ଟ ନ ଥାଇ ବି ଅନ୍ୟ ଦଳର ସ‌ହଯୋଗରେ ରାଜ୍ୟସଭାକୁ ସଦସ୍ୟ ପଠାଇବ‌ା ଏକ ବିରଳ ଘଟଣା। ନିଜେ ସରକାର ହିସାବ କରିଥିଲେ ଯେ ଧାନର କ୍ବିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚ ୨୩୪୪ ଟଙ୍କା। କିନ୍ତୁ ରାଜ୍ୟପାଳଙ୍କ ବକ୍ତବ୍ୟ‌େର ସେ ସମ୍ପର୍କରେ ଉଲ୍ଲେଖ ନାହିଁ।
ରାଜ୍ୟରେ ଆଇନର ଶାସନ ନାହିଁ, ଜଙ୍ଗଲୀ ଶାସନ ଚାଲିଛି। ପଞ୍ଚାୟତ ଓ ପୌର ନିର୍ବାଚନ ଏହାର ଉଦାହରଣ। ଶାସକ ଦଳ ଗୁଣ୍ଡାଙ୍କୁ ବ୍ୟବହାର କରି ନିର୍ବାଚନୀ ବୈତରଣୀ ପାର ହୋଇଛି। ତେଣୁ ଆଇନଶୃଙ୍ଖଳା ସ୍ବାଭାବିକ ଥିବା ନେଇ ରାଜ୍ୟପାଳ ମିଛ କହିଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର