ସରକାରଙ୍କ ମିସନ୍‌ ଜିରୋ ଡ୍ରପ୍‌ଆଉଟ୍‌

ଫୋକସ୍‌ରେ ଏକତ୍ରୀକରଣ ବିଦ୍ୟାଳୟର ଛାତ୍ରଛାତ୍ରୀ

ସ୍କୁଲ ‌ଖୋଲିବାର ୬୦ ଦିନ ମଧ୍ୟରେ ଉପସ୍ଥାନ ତଥ୍ୟ ଦିଅ
୪୫ ଦିନ ଭିତରେ ପୁନର୍ଗଠନ ହେବ ବିଦ୍ୟାଳୟ ପରିଚାଳନା କମିଟି

ଭୁବନେଶ୍ବର : ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିନି। କେବେ ଖୋଲିବ ତାହା ବି ଏପର୍ଯ୍ୟନ୍ତ ସ୍ଥିର ହୋଇନି। ଫେବ୍ରୁଆରି ୨୨ କିମ୍ବା ୨୩ ଆଡ଼କୁ ଖୋଲିବ ବୋଲି କୁହାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏଭଳି ସମୟରେ ରାଜ୍ୟ ସରକ‌ାରଙ୍କୁ ଘାରିଲାଣି ଡ୍ରପ୍ଆଉଟ୍ ଭୟ। କାରଣ ୯ମ ଓ ଦଶମ ଶ୍ରେଣୀର କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବା ପରେ କିଛି ପିଲା ବିଦ୍ୟାଳୟ ଆସୁ ନ ଥିବା ନଜରକୁ ଆସିଛି। ପିଲା କାହିଁକି ଆସୁ ନାହାନ୍ତି ତାହାକୁ ନେଇ ବିଭାଗୀୟ ଅଧିକାରୀମାନେ ବି ତନାଘନା ଆରମ୍ଭ କରିଦେଇଥିବା ବେଳେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ପାଖାପାଖି ବର୍ଷେ ହେଲା ବନ୍ଦ ହେଲାଣି। ଏଥିସହ କ‌ରୋନା ସମୟରେ ରାଜ୍ୟ ସରକାର ପ୍ରାୟ ସାଢ଼େ ୭ ହଜାର ସ୍କୁଲକୁ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିମଧ୍ୟରୁ କିଛି ସ୍କୁଲ ବନ୍ଦ ହୋଇସାରିଲାଣି। ଫଳରେ ବନ୍ଦ ହୋଇଥିବା ସ୍କୁଲର ପିଲାମାନେ ନିକଟସ୍ଥ ସ୍କୁଲକୁ ନ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି। ତାହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବାକୁ ସମସ୍ତ ପ୍ରଧାନଶିକ୍ଷକ, ସିଆରସିସି, ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ନି‌ର୍ଦେଶ ଦିଆଯାଇଛି। ଜଣେ ବି ପିଲା ଯେମିତି ଡ୍ରପ୍ ଆଉଟ୍ ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ଯଦି ସମସ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି କିମ୍ବା ନିୟମିତ ବିଦ୍ୟାଳୟକୁ ଆସୁ ନ ଥିବେ, ତେବେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବିଇଓମାନେ ‘ଜିରୋ ଡ୍ରପ୍‌ଆଉଟ୍‌’ ନିଶ୍ଚିନ୍ତ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବେ।

ବିଦ୍ୟାଳୟଗୁଡ଼ିକ ଖୋଲିବା ପରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ୬୦ ଦିନିଆ ଉପସ୍ଥାନ ତଥ୍ୟ ପ୍ରସ୍ତୁତ କରିବେ। ଉକ୍ତ ତଥ୍ୟ ଓ ନାମଲେଖା ବିବରଣୀକୁ ବିଇଓ ଓ ଡିଇଓଙ୍କୁ ପ୍ରଦାନ କରିବେ। ଯାହାଦ୍ବାରା ନାମ ଲେଖାଇଥିବା କିମ୍ବା ଶେଷ ୩୦ ଦିନ ଭିତରେ ୩୦%ରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ନିରୀକ୍ଷଣ କରାଯାଇ ପାରିବ। ମିଶ୍ରଣ ହୋଇଥିବା ବିଦ୍ୟାଳୟଗୁଡ଼ିକ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ତଥ୍ୟ ବ୍ଲକ ଓ ଜିଲ୍ଲାସ୍ତରରେ ଏକତ୍ରିତ ହୋଇ ରାଜ୍ୟସ୍ତରକୁ ଆସିବ ଏବଂ ରାଜ୍ୟ ସରକାର ସିଧାସଳଖ ଏହା ଉପରେ ନଜର ରଖିବେ।

ଅନ୍ୟପକ୍ଷରେ ମିଶ୍ରିତ ହୋଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ଯେପରି ଅଧାରୁ ସ୍କୁଲ ନ ଛାଡ଼ନ୍ତି ତାହାକୁ ନଜରରେ ରଖି କ୍ୟାମ୍ପସରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କୁହାଯାଇଛି। ବିଶେଷକରି ଭିତ୍ତିଭୂମି ସୁଦୃଢ଼ ଯଥା ଅତିରିକ୍ତ କୋଠରୀ, ବେଞ୍ଚ, ଡେସ୍କ ଇତ୍ୟାଦି ନିର୍ମାଣ କରିବାକୁ କୁହାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହଯୋଗରେ ଏହି କାର୍ଯ୍ୟ କରାଯିବ। କମ୍ପୋଜିଟ୍ ବିଦ୍ୟାଳୟ ଅନୁଦାନ ଓ ବିଦ୍ୟାଳୟଗୁଡ଼ିକର ଦୃଢ଼ୀକରଣ ପାଇଁ ପାଣ୍ଠି ଆବଶ୍ୟକ ହେଲେ ଚିନ୍ତା କରାଯାଇପାରେ। ବିଇଓମାନେ ବିଡିଓ ଓ ଡିଡବ୍ଲୁ ବିଭାଗ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟକୁ କରିବେ। ଏକତ୍ରିକରଣ ହୋଇଥିବା ବିଦ୍ୟାଳୟଗୁଡ଼ିକ ଖୋଲିବାର ୪୫ ଦିନ ଭିତରେ ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) ପୁନର୍ଗଠନ କରିବେ। ପିଲା ଯେପରି ପ୍ରତିଦିନ ବିଦ୍ୟାଳୟକୁ ଆସିବେ ଅଭିଭାବକମାନେ ସେଥିପ୍ରତି ଦୃଷ୍ଟି ଦେବେ।

ସମ୍ବନ୍ଧିତ ଖବର