ତିତଲି ଭୟ: ୧୧, ୧୨ ସ୍କୁଲ ଓ  କଲେଜ ବନ୍ଦ, କଲେଜ ନିର୍ବାଚନ ବାତିଲ

ଭୁବନେଶ୍ୱର: ମାଡ଼ି ଆସୁଛି ତିତଲି। ଆସନ୍ତା କାଲି ସକାଳେ ଏହି ଅତି ଭୀଷଣ ସାମୁଦ୍ରିକ ଝଡ଼ ପ୍ରବଳ ବର୍ଷା ସହିତ ୧୫୦ରୁ ୧୬୦  କିଲୋମିଟରରୁ ଅଧିକ ବେଗର ପବନ ସହିତ ଆସି ସ୍ଥଳଭାଗକୁ ମାଡ଼ କରିବ। ଏହାର ପ୍ରଭାବରେ ଗଛବୃକ୍ଷ ଉପଡ଼ିବା ସହିତ ବିଦ୍ୟୁତ ଖୁଣ୍ଟ ଓ ଚାଳଛପର ଘର ଗୁଡ଼ିକ କ୍ଷତିଗ୍ରସ୍ତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରି ଦେଇଛି। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟ ଠାରେ  ତିତଲି ମୁକାବିଲା ନେଇ ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଛିି।  ତିତିଲି ଯୋଗୁଁ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ସହିତ ପବନ ହେବା ଆଶଙ୍କାରେ ଆସନ୍ତା ଦୁଇ ଦିନ ରାଜ୍ୟର ସମସ୍ତ ସ୍କୁଲ ଓ  କଳେଜକୁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଆସନ୍ତାକାଲି ହେବାକୁ ଥିବା  ବିଭିନ୍ନ ମହାବ୍ୟିାଳୟର ଛାତ୍ର ସଂସଦ ନିର୍ବାଚନକୁ ମଧ୍ୟ ବାତିଲ କରି ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସ୍ଥିତିର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ କହିଛନ୍ତି ଯେ ସାମୁଦ୍ରକ ଝଡ଼ ତିତଲି ଭୀଷଣ ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଥିବାରୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ୱରୁପ ଆସନ୍ତା ୧୧ ଓ ୧୨ ତାରିଖ ଦୁଇ ଦିନ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ  ରହିବ। ସେହିପରି  କଲେଜ ଛାତ୍ରସଂସଦ ନିର୍ବାଚନ  ବାତିଲ କରାଯାଇଛିି। ୫ଟି ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ନଦୀକୂଳଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଛି। ୬ ଟି ଜିଲ୍ଲାରେ ଓଡ୍ରାଫ୍ଟ ଟିମ୍‌ ମୂତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ସେନାର ସହାୟତା ନିଆଯିବ ବୋଲି  ଶ୍ରୀ ପାଢ଼ୀ ସୂଚନା ଦେବା ସହିତ ଏହି ସାମୁଦ୍ରିକ ଝଡ଼ ଯୋଗୁଁ ଯେପରି କୌଣସି ଜୀବନହାନୀ ନ ହୁଏ ସେଥିପ୍ରତି ସତର୍କତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର