ଜାଣିଲେ, ଜିଣିବା: ମନ୍ତ୍ରୀ ସାରକା

ଜୟପୁର : ସମାଜରେ ଆଗକୁ ବଢ଼ିବାକୁ ହେଲେ ଆମକୁ ପ୍ରଥମେ ସବୁ କିଛି ଜାଣିବାକୁ ହେବ। ସବୁ କ୍ଷେତ୍ରରେ ଜ୍ଞାନ ଆହରଣ କଲେ ଦୁନିଆ ଜିଣିବ। ମହିଳାଟିଏ ସ୍ବାବଲମ୍ବୀ ହେବାକୁ ହେଲେ କଣ ଆବଶ୍ୟକ ତାହା ଜାଣିବା ନିହାତି ଦରକାର। ସ୍ବାବଲମ୍ବୀ ହେବା ପାଇଁ ପୁଞ୍ଜି କିଭଳି ପାଇପାରିବେ, ଉତ୍ପାଦନ କିଭଳି କରିବେ, ବଜାରରେ କାହାକୁ, କିଭଳି ବିକ୍ରି କରିବେ। ଯୋଗାଯୋଗ ଦ୍ବାରା ଗାଁରେ ବସି ମହିଳାମାନେ ନିଜ ଉତ୍ପାଦିତ ସାମଗ୍ରୀ ପାଇଁ ବଜାର ପାଇପାରିବେ। ଏହି ସବୁ ଜାଣିଲେ ସମାଜରେ ଦେଖାଯାଉଥିବା ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଜିତି ପାରିବା ବୋଲି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ମନ୍ତ୍ରୀ ଜଗନ୍ନାଥ ସାରକା ମତବ୍ୟକ୍ତ କରିଛନ୍ତି।

‘ସମ୍ବାଦ’ ଆନୁକୂଲ୍ୟରେ ଜୟପୁର ସନ୍ଧ୍ୟା ଫଙ୍କସନ୍‌ ହଲରେ ଆୟୋଜିତ ‘ଗ୍ରାମୀଣ ମହିଳା ସମାବେଶ-୨୦୨୨’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ ଗ୍ରାମାଞ୍ଚଳର ମହିଳା ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟକୁ ରୋଜଗାର ଦେଇପାରିଲେ ସେ ସମ୍ମାନର ପାତ୍ର ହୋଇପାରିବେ। ମହିଳାଟିଏ ଯେତେ ସଶକ୍ତ ହେଲେ ମଧ୍ୟ ନିଜେ ରୋଜଗାର ନକଲେ ନିଜ ପରିବାରକୁ ଆଗକୁ ନେଇପାରିବନି। ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଖାଲି ଯେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା ଉଦ୍ୟୋଗୀମାନଙ୍କୁ ମାର୍ଗଦର୍ଶନ କରାଇବ ତାହା ନୁହେଁ, ବରଂ ସାରା ରାଜ୍ୟରେ ଏହା ଆଲୋକବର୍ତ୍ତିକା ସାଜିବ।
‘ସମ୍ବାଦ ଓଡ଼ିଶା-୫୦ର ଦ୍ବିତୀୟ ସଂସ୍କରଣ ଆଞ୍ଚଳିକ ସମାବେଶରେ ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସଭାପତିତ୍ବ କରି କହିଛନ୍ତି ଯେ ଏହି ସମାବେଶରେ ଯୋଗ ଦେଇଥିବା ପ୍ରତ୍ୟେକ ସଫଳ ମହିଳା ଉଦ୍ୟୋଗୀଙ୍କ ଠାରୁ ଆମେ ବରଂ ତାଲିମ ନେବାର ଆବଶ୍ୟକତା ରହିଛି। ଛତୁଚାଷ, ମାଛଚାଷ ଆଦି ଅନେକ ଛୋଟବଡ଼ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ଏଥିପାଇଁ ମହିଳାମାନଙ୍କୁ ବହୁ କଷ୍ଟ ମଧ୍ୟ ହୋଇଥାଏ। ପରିବାରର ଦାୟିତ୍ବ ସହିତ କାମ ପ୍ରତି ମଧ୍ୟ ଗରୁତ୍ବ ଦେବାକୁ ପଡ଼ିଥାଏ। ଏହି କାମକୁ ବନ୍ଦ ନ କରି କଷ୍ଟ ହେଲେ ମଧ୍ୟ ଜାରି ରଖିବାକୁ ଶ୍ରୀମତୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ବ୍ୟବସାୟ ପାଇଁ ମୋବାଇଲ ଓ ଇଣ୍ଟରନେଟ୍‌ର ବ୍ୟବହାର ଆବଶ୍ୟକତା ରହିଥିବା ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

‘ସମ୍ବାଦ’ର ବାର୍ତ୍ତା ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ମହିଳାମାନେ ନିଜେ ସ୍ବାବଲମ୍ବୀ ହେବା ସହ ନିଜ ଅଞ୍ଚଳର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏଭଳି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଆପଣମାନେ ଏଠାରୁ ଫେରି ନିଜ ଭଳି ସ୍ବାବଲମ୍ବୀ ମହିଳା ସୃଷ୍ଟି କରିଲେ ଏହି ପ୍ରଶିକ୍ଷଣର ମୂଲ୍ୟ ରହିବ ବୋଲି କହିଛନ୍ତି। ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୫ଟି ‘ମ’ ସୂତ୍ରର ସେ ଅବତାରଣା କରିଥିଲେ। ମା, ମାଟି, ମାତୃଭାଷା, ମୋବାଇଲ ଗ୍ରହଣୀୟ ଅଟେ। ମା, ମାଟି ଓ ମାତୃଭାଷାକୁ କେବେ ଭୁଲିବ ନାହିଁ। ଅନ୍ୟପକ୍ଷରେ ମଦକୁ ସମାଜରୁ ଦୂର କରିବା ପାଇଁ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ମାଲକାନଗିରି ଜିଲ୍ଲା ମାର୍କାପାଲ୍ଲୀ ପଞ୍ଚାୟତ ପୋଡ଼ାଘାଟ ଗାଁର ଶୁକ୍ରି ଦୁରାଙ୍କର ସଫଳ କାହାଣୀକୁ ବଖାଣିଥିଲେ।
କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ‘ପ୍ରକଳ୍ପ ଚୟନ ଓ ବଜାର ବ୍ୟବସ୍ଥା ଓ ‘ପୁଞ୍ଜି ବ୍ୟବସ୍ଥା ଓ ପାରିବାରିକ ସହଯୋଗ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳା ଉଦ୍ୟୋଗୀମାନଙ୍କୁ କୋରାପୁଟ ଓରମାସର ଡେପୁଟି ସିଇଓ ରୋଶନ କୁମାର କାର୍ତ୍ତିକ ଓ ଓଏଲ୍‌ଏମ୍‌ ଡିପିଏମ୍‌ ସୁସ୍ମିତା ସାମନ୍ତରାୟ ପ୍ରେରଣାଦାୟୀ ପରାମର୍ଶ ଦେଇଥିଲେ। ନିଜ ବ୍ୟବସାୟ ପାଇଁ କିଭଳି ଋଣ ନେବେ ଓ ସଠିକ୍‌ ସମୟରେ ପରିଶୋଧ କରିବେ, ଉତ୍ପାଦିତ ଦ୍ରବ୍ୟ ବଜାରରେ ଉଚିତ ମୂଲ୍ୟରେ ବିକ୍ରି କରିପାରିବେ, ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ଲାଭ ପାଇବେ ଏବଂ ଜ୍ଞାନକୌଶଳର ଉପଯୁକ୍ତ ବ୍ୟବହାର କିଭଳି କରିପାରିବେ ସେନେଇ ମହିଳା ଉଦ୍ୟୋଗୀଙ୍କୁ ବୁଝାଇଥିଲେ। ଏହି ଅଧିବେଶନକୁ ‘ସମ୍ବାଦ ଜୟପୁର ସଂସ୍କରଣର ବାର୍ତ୍ତା ମୁଖ୍ୟ ସହସମ୍ପାଦକ ତ୍ରିନାଥ ଖାଡଙ୍ଗା ସଂଯୋଜନା କରିଥିବା ବେଳେ କୋଟପାଡ଼ ବ୍ଲକ ପ୍ରତିନିଧି ପଙ୍କଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାର ୪୨ଟି ବ୍ଲକରୁ ୧୦୮ ଜଣ ଗ୍ରାମୀଣ ମହିଳା ଉଦ୍ୟୋଗୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର