୫ ଥର ସମନ୍‌, ଫେରାର୍‌ ହୋଇଗଲେ ଜିଏସ୍‌ଟି ଠକ; ସାମ୍ନାକୁ ଆସିଲା ପୁଣି ଏକ ଜିଏସ୍‌ଟି ଠକେଇ

୫ ଥର ସମନ୍‌ପରେ ବି ଧରାଛୁଆଁ ଦେଉନାହାନ୍ତି, ସହଯୋଗୀଙ୍କୁ ପଚରାଉଚରା ଜାରି

ରାଉରକେଲା: ଇସ୍ପାତ ସହରରେ ଜିଏସ୍‌ଟି ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌(ଆଇଟିସି) ଠକେଇ ଚେର ବେଶ୍‌ ଲମ୍ବା। ଚା’ ବିକାଳି ହୁଅନ୍ତୁ କିମ୍ବା ଦିନ ମଜୁରିଆ; ପୁଣି ଅଟୋ ଚାଳକ, କଲେଜ ଛାତ୍ର, ବିଧବା ବୃଦ୍ଧା, ସିକ୍ୟୁରିଟି ଗାର୍ଡ, ଗୁପଚୁପ୍‌ ବିକାଳି, ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯେଉଁମାନେ ଜିଏସ୍‌ଟି ଠକଙ୍କ ହାବୁଡ଼ରେ ପଡ଼ିନାହାନ୍ତି। ଚାକିରି ଲୋଭ ଦେଖାଇ ଏଜେଣ୍ଟ୍‌ ମାଧ୍ୟମରେ ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରି ବ୍ୟାଙ୍କ୍‌ରେ ଜାଲ୍‌ ଆକାଉଣ୍ଟ୍‌ ବଳରେ ନକଳି କମ୍ପାନି ଖୋଲି ହଜାର ହଜାର କୋଟିର ଜିଏସ୍‌ଟି ଆଇଟିସି ଅର୍ଥ ଠକି ନେଇଛନ୍ତି। ନିୟମିତ ବ୍ୟବଧାନରେ ସହରରେ ନୂଆ ନୂଆ ଜିଏସ୍‌ଟି ଠକେଇ ସାମ୍ନାକୁ ଆସୁଛି। ଏହି ଠକେଇରେ ଏବେ ଯୋଡ଼ି ହୋଇଯାଇଛନ୍ତି ନିଜକୁ ସାମ୍ବାଦିକ ପରିଚୟ ଦେଉଥିବା ଜଣେ ବ୍ୟକ୍ତି। ତେବେ ଜିଏସ୍‌ଟି ନଜରକୁ ଏହି ଠକେଇ ଆସିବାପରେ ସଂପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

କୋଏଲନଗର ଏ-ବି ଛକ ନିଟରେ ରହନ୍ତି ଶିବରାମ ପାତ୍ର। ଶ୍ରୀ ପାତ୍ର ନାୟକ ଏଣ୍ଟରପ୍ରାଇଜେସ୍‌ ନାଁରେ ଏକ ଜାଲ କମ୍ପାନି ତିଆରି ଜିଏସ୍‌ଟି ଆଇଟିସି ଅର୍ଥ ଲୁଟିଥିବା ଜଣାପଡ଼ିଛି। ଏହାସହ ଅନ୍ୟ କିଛି ଠକଙ୍କ ଏଜେଣ୍ଟ୍‌ ସାଜି ଠକେଇରେ ସାମିଲ ଥିବା ନେଇ କଟକ ସିଟି ଆଣ୍ଡ୍‌ ଜିଏସ୍‌ଟି ଏନ୍‌ଫୋର୍ସ୍‌ମେଣ୍ଟ୍‌ କର୍ତୃପକ୍ଷ ଜାଣିବାକୁ ପାଇଥିଲେ। ଏଣୁ ଏହାର ଅନୁସନ୍ଧାନ ପାଇଁ ବିଭାଗ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଶ୍ରୀ ପାତ୍ର ଏହି ଠକେଇରେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବାପରେ ପଚରାଉଚରା ପାଇଁ ଜିଏସ୍‌ଟି କର୍ତୃପକ୍ଷ ଗତ ‌ନଭେମ୍ବର ୨୫ ତାରିଖରେ ଶ୍ରୀ ପାତ୍ରଙ୍କୁ କୋଏଲନଗର ସ୍ଥିତ ଘର ଓ ହମିରପୁର ନ୍ୟୁ କଣ୍ଟ୍ରାକ୍ଟର କଲୋନି ଠିକଣାରେ ସମନ୍‌ କରିଥିଲେ। କିନ୍ତୁ ଶ୍ରୀ ପାତ୍ର ଏହାର କୌଣସି ଜବାବ ରଖିନଥିଲେ।

ଏହାପରେ ବିଭାଗ ଆଉ ୪ ଥର(ନଭେମ୍ବର ୨୭, ଓ ୨୮, ଡିସେମ୍ବର ୧ ଓ ୨ ତାରିଖ) ସମନ୍‌ ଜାରି କରିଥିଲା। କିନ୍ତୁ ଶ୍ରୀ ପାତ୍ର ଏହାର ଜବାବ ନ ଦେଇ ଫେରାର ହୋଇଯାଇଥିଲେ। ବାରମ୍ବାର ଜବାବ ଦାଖଲ କରୁନଥିବା ଓ ସମନ୍‌କୁ ଜାଣିଶୁଣି ଏଡ଼ାଉଥିବା ସ୍ପଷ୍ଟ ହେବାପରେ ଗତ ୪ ତାରିଖରେ ପୁଣିଥରେ ଶ୍ରୀ ପାତ୍ରଙ୍କ ଘରେ ଏହି ନୋଟିସ୍‌ ମରାଯାଇଛି। କର୍ତୃପକ୍ଷଙ୍କ ସମ୍ମୁଖରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ବି ଶ୍ରୀ ପାତ୍ର ଧରାଛୁଆଁ ଦେଇନଥିଲେ।

ଅପରପକ୍ଷରେ ଶ୍ରୀ ପାତ୍ରଙ୍କ ସହଯୋଗୀ ବନ୍ଧମୁଣ୍ଡାର ରାଜୀବ ମିଶ୍ରଙ୍କୁ ଜିଏସ୍‌ଟି କର୍ତୃପକ୍ଷ ପଚରାଉଚରା ଜାରି ରଖିଛନ୍ତି। ଗତ ଦୁଇ ଦିନର ପଚରାଉଚରାବେଳେ ଅଭିଯୁକ୍ତ ଶ୍ରୀ ମିଶ୍ର ସବୁକିଛି ଓଗାଳି ସାରିଥିବା କୁହାଯାଉଛି। ତେବେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ତଦନ୍ତକାରୀ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିପାରିନାହିଁ।

ସମ୍ବନ୍ଧିତ ଖବର