ଷ୍ଟ୍ରିଟ୍‌ ରୋମିଓଙ୍କୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ : ହାବିଲଦାର ନିଲମ୍ବିତ, ୪ ଯୁବକ ଜେଲ ଗଲେ

ବୌଦ୍ଧ : ଷ୍ଟ୍ରିଟ୍‌ ରୋମିଓଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି ସାଦା ପୋଷାକରେ ଥିବା ପୁଲିସ ହାବିଲଦାର। ଏହି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ଏସ୍‌ପି ସଂପୃକ୍ତ ହାବିଲଦାରଙ୍କୁ ନିଲମ୍ବନ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ୪ଜଣ ଷ୍ଟ୍ରିଟ୍‌ ରୋମିଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ବୁଧବାର ଦିନ ବୌଦ୍ଧରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସାଦା ପୋଷାକରେ ଥିବା ଜଣେ ଏପିଆର୍‌ ହାବିଲଦାର ଜଣେ ଯୁବକଙ୍କୁ ଏକ ପିଭିସି ପାଇପ୍‌ରେ ନିର୍ଘାତ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା। ଯୁବକ ଜଣକ କ୍ଷମା ମାଗିବା ସହ ଛାଡ଼ି ଦେବାକୁ କାକୁତିମିନତି ହେଉଥିଲେ ବି ହାବିଲଦାର କିଛି ଶୁଣିନଥିଲେ। ନିସ୍ତୁକ ମାଡ଼ ମାରି ଚାଲିଥିଲେ। ଘଟଣାସ୍ଥଳରେ ବୌଦ୍ଧ ଥାନାର ପିସିଆର୍‌ ଭ୍ୟାନ ସହ ଅନ୍ୟ ପୁଲିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ଥିବା ଏହି ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଥିଲା। ପରେ ମାଡ଼ ମାରୁଥିବା ହାବିଲଦାର ଜଣକ ରଞ୍ଜନ ମହାପାତ୍ର ଓ ମାଡ଼ ଖାଉଥିବା ଯୁବକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ନୀଳକଣ୍ଠପଡ଼ାର ବିଶ୍ବଜିତ ଚାଉଳିଆ (୨୪) ବୋଲି ଜଣାପଡ଼ିଥିଲା।

ପୁଲିସ ସୂଚନା ଅନୁସାରେ, ବିଶ୍ବଜିତ ଓ ତାଙ୍କ ୩ ଜଣ ସହଯୋଗୀ ଗତ ୩ ଦିନ ହେଲା ଅଞ୍ଚଳର ଏକ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ରାସ୍ତାରେ ହଇରାଣ କରୁଥିଲେ। ବୁଧବାର ଅପରାହ୍‌ଣ ୪ଟାରେ ସ୍କୁଲ ଛୁଟି‌ ହେବା ପରେ ଛାତ୍ରୀ ଜଣକ ସାଇକଲରେ ତାଙ୍କ ସହପାଠୀଙ୍କ ସହ ଘରକୁ ଫେରୁଥିବା ବେଳେ ବିଶ୍ବଜିତ ଓ ତାଙ୍କ ସହଯୋଗୀମାନେ ପିଛା କରିଥିଲେ। କଥା ହେବା ପାଇଁ ତାଙ୍କ ସାଇକଲ ଡାଲାରେ ଏକ ମୋବାଇଲ ଫୋନ୍ ପକାଇଥିଲେ। କିନ୍ତୁ ଛାତ୍ରୀ ଜଣକ ମୋବାଇଲଟିକୁ ଫୋପାଡ଼ି ଦେଇଥିଲେ। ଫଳରେ ବିଶ୍ବଜିତ ଛାତ୍ରୀଙ୍କୁ ଅଟକାଇ ଧମକ ଦେଇଥିଲା। ଛାତ୍ରୀ ଜଣକ ତାଙ୍କ ସହପାଠୀଙ୍କ ଘରେ ରହି ଏ ନେଇ ନିଜ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। ଏହା ପରେ ଛାତ୍ରୀଙ୍କ ସମ୍ପର୍କୀୟ ଓ ହାବିଲଦାର ଶ୍ରୀ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକମା‌ନଙ୍କୁ ଅଟକାଇଥିଲେ। ହାବିଲଦାର ଶ୍ରୀ ମହାପାତ୍ର ଏକ ପିଭିସି ପାଇପ୍‌ରେ ବିଶ୍ବଜିତକୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ପୁଲିସ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ବିଶ୍ବଜିତଙ୍କ ସହ ଶଙ୍କର ନାଏକ (୧୯), ପ୍ରବୀଣ ନାଏକ (୨୨) ଓ ବିଶ୍ବଜିତ ବେହେରା (୨୪)ଙ୍କୁ ମଧ୍ୟ ଗିରଫ କରିଥିଲେ। ଗୁରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଛାତ୍ରୀଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ତପସ୍ବିନୀ କହଁର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସର୍ବସାଧାରଣ ସ୍ଥାନରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏସ୍‌ପି ୱାଇ. ରଘୁନାଥ ରାଓ ସଂପୃକ୍ତ ହାବିଲଦାରଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର