ବାରବାଟୀ ଷ୍ଟାଡିୟମ୍‌ର ଅଧା ମାଲିକାନା ଓସିଏ ହାତକୁ ଯିବ!

ଅଲିମ୍ପିକ କାଉନସିଲ ବୈଠକରେ କାଟ୍‌ ଖାଇଲା ପ୍ରସ୍ତାବ; ଏଜିଏମ୍‌ରେ ହେବ ଆଲୋଚନା

କଟକ : ବାରବାଟୀ ଷ୍ଟାଡିୟମର ମାଲିକାନା ଦୁଇଟି ସଂସ୍ଥା ହାତରେ ରହିବ। ପୂର୍ବରୁ ଓଡ଼ିଶା ଅଲିମ୍ପିକ ସ˚ଘ ରାଜ୍ୟ ସରକାରଙ୍କଠୁ ଜମି ଲିଜ୍‌ରେ ନେଇ ଏହାର ମାଲିକାନା ଜାହିର କରି ଆସୁଥିଲେ ହେଁ ଷ୍ଟାଡିୟମର ରକ୍ଷଣାବେକ୍ଷଣ ଦିଗରେ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସିଛି। ତେଣୁ ଆଗକୁ ଷ୍ଟାଡିୟମର ମାଲିକାନା ଓଡ଼ିଶା ଅଲମ୍ପିକ ସ˚ଘ ଓ ଓଡ଼ିଶା କ୍ରିକେଟ ସ˚ଘ ମଧ୍ୟରେ ଭାଗ ଭାଗ କରିବାକୁ ଯୋଜନା ଚାଲିଛି। ଏ ଦିଗରେ ପ୍ରାଥମିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଅଲିମ୍ପିକ ସ˚ଘ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜମି ଲିଜ୍‌ ଉପରେ ଶନିବାର ଦିନ ସ˚ଘର କାଉନସିଲ ବୈଠକରେ ଆଲୋଚନା ହୋଇଛି। ହେଲେ ନିର୍ଯ୍ୟାସ ବାହାରି ପାରିନଥିବାରୁ ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌)ରେ ସବିଶେଷ ଆଲୋଚନା ପାଇଁ ସ୍ଥିର ହୋଇଛି। ଅକ୍ଟୋବର ୧୬ ତାରିଖରେ ଏଜିଏମ୍‌ ପାଇଁ ଦିନ ଧାର୍ଯ୍ୟ ହୋଇଛି। ତେବେ ଏଜିଏମ୍‌ ଉପରେ ବେହେରା ପରିବାରଙ୍କ ନିୟନ୍ତ୍ରଣ ରହିଥିବାରୁ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି।

Sambad

ବାରବାଟୀ ଷ୍ଟାଡିୟମ ପାଇଁ ଜମି ଲିଜ୍‌ ଆଣିବା ସମୟରେ ତତ୍କାଳୀନ ଅଲିମ୍ପିକ ସ˚ଘ ସମ୍ପାଦକ ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତି ଅନେକ ପରିଶ୍ରମ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସହଯୋଗ କ୍ରମେ ମାତ୍ର ୧ ଟଙ୍କା ଭଡ଼ାରେ ୨୦. ୮୦୮ ଏକର ଜମିକୁ ୨୦ ବର୍ଷ ପାଇଁ ଲିଜ୍‌ ଦିଆଯାଇଥିଲା। ହେଲେ ୨୦ ବର୍ଷ ପରେ ଏହାର ନବୀକରଣ କରାଯାଇ ନଥିବାରୁ ସରକାରଙ୍କ ପକ୍ଷରୁ ବାରମ୍ବାର ନୋଟିସ୍‌ ଆସିଥିଲା। ୧୯୮୯ ମସିହାରେ ଲିଜ୍‌ ଅବଧି ପୂରଣ ହୋଇଯାଇଥିଲା। ତେବେ ୧୯୯୫ରେ ସ୍ଥାୟୀ ଲିଜ୍‌ ପାଇଁ ଅଲିମ୍ପିକ ସ˚ଘ ଆବେଦନ କରିଥିଲେ ହେଁ ତତ୍କାଳୀନ ଆର‌୍‌ଡିସି ଏହାକୁ ନାକଚ କରି ଦେଇଥିଲେ। ପରେ ମାମଲା କୋର୍ଟରେ ପହଞ୍ଚି ଥିଲା। ଇତିମଧ୍ୟରେ ସରକାର ସ୍ଥାୟୀ ଲିଜ୍‌ ପାଇଁ ଆଇନ୍‌ରେ ପରିବର୍ତ୍ତନ ଆଣିଥିଲେ। ସେହି ଅନୁସାରେ ଅଲିମ୍ପିକ ସ˚ଘ ସ୍ଥାୟୀ ଲିଜ୍‌ ପାଇଁ ଆବେଦନ କରିଥିଲା।

Telegraph India

ଯଦିଓ ଜମି ଅଲିମ୍ପିକ ସଂଘ ଅଧୀନରେ ଥିଲା କିନ୍ତୁ ଷ୍ଟାଡିୟମ ନିର୍ମାଣ କ୍ଷେତ୍ରରେ କ୍ରିକେଟ ସ˚ଘର ପ୍ରମୁଖ ଭୂମିକା ରହିଛି। ଗ୍ୟାଲେରିଠୁ ଆରମ୍ଭ କରି ଫ୍ଲଡଲାଇଟ୍‌, ପଡ଼ିଆ ଉନ୍ନତିକରଣ ଦିଗରେ କ୍ରିକେଟ୍ ସ˚ଘ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ହେଲେ ଲିଜ୍‌ ନବୀକରଣ କ୍ଷେତ୍ରରେ ଜମି ମୂଲ୍ୟର ୧ ପ୍ରତିଶତ ସରକାରଙ୍କ ପାଖରେ ଦାଖଲ କରିବା ନିୟମ ରହିଛି। ବର୍ତ୍ତମାନ ବାରବାଟୀ ଷ୍ଟାଡିୟମ ଜମିର ମୂଲ୍ୟ ପାଖାପାଖି ୨୦୦ କୋଟି ଟଙ୍କା ହେବ। ତେଣୁ ପ୍ରାୟ ୨କୋଟି ଟଙ୍କା ସରକାରଙ୍କ ପାଖରେ ଜମା କରିବାକୁ ପଡ଼ିବ। ଏହି ଟଙ୍କା ଦାଖଲ କରିବା ଅଲିମ୍ପିକ ପକ୍ଷେ କଷ୍ଟକର ବ୍ୟାପାର ଥିବାରୁ କ୍ରିକେଟ ସ˚ଘକୁ ଲିଜ୍‌ ଭାଗିଦାରୀ କରି ଏହି ଅର୍ଥ ପୈଠ କରିବାକୁ ଯୋଜନା କରାଯାଉଥିବା କୁହାଯାଉଛି। ପୂର୍ବରୁ ଏ ସ˚କ୍ରାନ୍ତରେ ଜିଲ୍ଲାପାଳଙ୍କ ପାଖରେ ଆଲୋଚନା ଶେଷ ହୋଇଥିଲା ବେଳେ ଅଲିମ୍ପିକ ସ˚ଘର ବୈଠକ ବିବରଣୀ ଆଣିବାକୁ କୁହାଯାଇଛି। କାଉନସିଲ ବୈଠକରେ ନିଷ୍ପତ୍ତି ଗୃହୀତ କରିବାକୁ ଯୋଜନା ଥିଲେ ବି ଆଇନ୍‌ରେ ଲିଜ୍‌ ଜମିକୁ ଭାଗ କରିବା ନିୟମ ନଥିବାରୁ ଏହା ଏଜିଏମ୍‌ରେ ଆଲୋଚନା ହେବାକୁ ଛାଡ଼ି ଦିଆଯାଇଛି। କିନ୍ତୁ ଲିଜ୍‌ ଭାଗିଦାରୀ କ୍ଷେତ୍ରରେ ଆଶୀର୍ବାଦ ବେହେରାଙ୍କ ସମର୍ଥନ ଥିବାରୁ ଏଜିଏମ୍‌ରେ ନିଷ୍ପତ୍ତି ଅନୁମୋଦନ ଲାଭ କରିବା ସମ୍ଭାବନା ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର