ରୋଷଘର ଚୁଲି ଭଙ୍ଗା ପରେ ନିଦ ଭାଙ୍ଗିଲା, ପ୍ରସ୍ତୁତ ହେଲା ନୂଆ ଏସ୍ଓପି, ଶ୍ରୀମନ୍ଦିରରେ ଲାଗିବ ୧୩୫ ସିସିଟିଭି

ପ୍ରତିଦିନ ଜେଟିପି ଓ ଓଡ଼ିଶା ପୁଲିସ କରିବେ ମନ୍ଦିର ଶୋଧ, ଏଥର ସାପ୍ତାହିକ ଯୁଗ୍ମ ସମୀକ୍ଷା ବୈଠକ

ପୁରୀ: ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ନିଦ ଭାଙ୍ଗିଛି। ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ପୂର୍ବ ଏସ୍‌ଓପିରେ ସାମାନ୍ୟ ପରିବର୍ତ୍ତନ କରାଯାଇ ନୂଆ ଏସ୍‌ଓପିକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଏକ ବୈଠକରେ ନିଷ୍ପତ୍ତି ହୋଇଛି। ଉଚ୍ଚ କ୍ଷମତାସଂପନ୍ନ ୧୩୫ଟି ସିସିଟିଭି ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ପ୍ରତିଦିନ ଜେଟିପିଙ୍କ ସହ ଓଡ଼ିଶା ପୁଲିସ ବି ଶ୍ରୀମନ୍ଦିର ଶୋଧ କରିବେ। ରୋଷଘରେ ଅନୁପ୍ରବେଶ ରୋକିବା ପାଇଁ ୪ ସିସି କ୍ୟାମେରା ଲାଗିବ।

ପ୍ରତିଦିନ ଜେଟିପି ଓ ଓଡ଼ିଶା ପୁଲିସ କରିବେ ମନ୍ଦିର ଶୋଧ
ଏଥର ସାପ୍ତାହିକ ଯୁଗ୍ମ ସମୀକ୍ଷା ବୈଠକ
ରୋଷଘର ଦ୍ବାରରେ ଲାଗିବ ୪ ସିସିଟିଭି
ଜବାବ ରଖିଲେ ୪ ଜେଟିପି

ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌ପି ଡ. କେ. ବିଶାଳ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ, ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି ପ୍ରମୁଖ ଉପସ୍ଥିତ ଥିଲେ। କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ରୋଷଘର ଭଙ୍ଗା ଭଳି ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହେଲା, କେଉଁଠି ସୁରକ୍ଷା ବ୍ୟବସ୍ଥାରେ ଘଳିଆ ରହିଥିଲା, କି କି ବ୍ୟବସ୍ଥା କଲେ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପାରିବ; ସେ ଉପରେ ବିସ୍ତୃତ ଆଲୋଚନା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କ‌ରେ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି, ପୂର୍ବରୁ ଶ୍ରୀମନ୍ଦିର ପାଇଁ ଯେଉଁ ସୁରକ୍ଷା ଏସ୍‌ଓପି ଥିଲା, ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ରତିମାସରେ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ବସୁଥିଲା। ଏବେ ପ୍ରତି ସପ୍ତାହରେ ଏହି ବୈଠକ ପାଇଁ ନିଷ୍ପତ୍ତି ହୋଇଛି। ପ୍ରତି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ସଦସ୍ୟ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିବେ। ସାପ୍ତାହିକ ତ୍ରୁଟି ବିଚ୍ୟୁତିର ସମୀକ୍ଷା କରାଯିବ। ଯାହା ବି ଛୋଟବଡ଼ ସମସ୍ୟା ରହିଥିବ, ତା’ର ସମାଧାନ କରାଯିବ। କେଉଁ କେଉଁ ଜାଗାରେ ସିସିଟିଭି ଲଗାଯିବ, ତାହା ଚିହ୍ନଟ ସରିଛି। ଶ୍ରୀମନ୍ଦିର ଭିତରେ ୧୩୫ଟି ଉଚ୍ଚକ୍ଷମତା ସଂପନ୍ନ ସିସିଟିଭି ଲଗାଇବାକୁ ପ୍ରସ୍ତାବ ଗୃହୀତ ହୋଇଛି।

ଏହି ସିସିଟିଭିର ଫୁଟେଜ୍‌ ବ୍ୟାକ୍‌ଅପ ପ୍ରାୟ ୨ ମାସ ପର୍ଯ୍ୟନ୍ତ ରହିବ। ସବୁ ସିସିଟିଭି ୱାୟାରଲେସ୍ ସହ ସଂଯୋଗ ରହିବ। ପୂର୍ବରୁ ଜେଟିପିମାନେ ଶୋଧ କାର୍ଯ୍ୟ କରୁଥିଲେ। ରାତ୍ର ପହୁଡ଼ ପୂର୍ବରୁ ଭକ୍ତ, ସେବାୟତଙ୍କୁ ଶ୍ରୀମନ୍ଦିରରୁ ବାହାର କରୁଥିଲେ। କିନ୍ତୁ ଆଗକୁ ଜେଟିପିଙ୍କ ସହ ଓଡ଼ିଶା ପୁଲିସ ବି ଏହି ଶୋଧ କାର୍ଯ୍ୟ କରିବେ। ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏହାର ନେତୃତ୍ବ ନେବେ‌। ଶୋଧ ଠିକ୍‌ରେ ହେଲା କି ନାହିଁ, ସେ ଉତ୍ତରଦାୟୀ ରହିବେ। ଶ୍ରୀମନ୍ଦିରରେ ବହୁ ଜେଟିପି ଓ ଅନ୍ୟ ଅଧିକାରୀ ପଦବି ଖାଲି ପଡ଼ିଛି। ଖାଲି ଥିବା ପଦବି ତୁରନ୍ତ ପୂରଣ କରାଯିବ। ରୋଷଘର ଉପରେ କଡ଼ା ନଜର ରହିବ। ପ୍ରବେଶ ପଥରେ ୪ଟି ସିସିଟିଭି ବିଭିନ୍ନ ପାର୍ଶ୍ବରୁ ଲାଗିବ। ଠିକ୍‌ ଭାବେ ତାଲା ପଡ଼ିବ ଓ ଗାରଦରେ ଏହି ଜମା କରାଯିବ। ‌ଘଟଣାଦିନ ଯେଉଁ ୪ଜଣ ଜେଟିପି ସମ୍ପୃକ୍ତ ଥିଲେ, ସେମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୩ ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଥିଲା। ଏ ଭିତରେ ୪ଜଣ ଉତ୍ତର ରଖିସାରିଛନ୍ତି। ଏହାର ତର୍ଜମା କରାଯାଉଛି। ସେହି ଅନୁଯାୟୀ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

 

ସମ୍ବନ୍ଧିତ ଖବର