ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ: ୫-ଟି’ ରୂପାନ୍ତରଣ କାମର ବିଲ ପାଇଁ ଲାଞ୍ଚ ନେଉଥିଲେ

ଧରାପଡ଼ିବା ଭୟରେ ବ୍ୟାଙ୍କ ସ୍ଲିପ୍‌ ଗିଳିଦେଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି ଗୁରୁବାର ଜଣେ ଠିକାଦାରଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଗୋଲାମୁଣ୍ଡା ବ୍ଲକ ମକରାଗୁଡାର ଜୟ ସାହୁ ଲେତେର ତ୍ରିଶକ୍ତି ହାଇସ୍କୁଲର ୫-ଟି’ ଉପକ୍ରମ ରୂପାନ୍ତରଣ ଅନ୍ତର୍ଗତ କୋଠା ନିର୍ମାଣ ଠିକା ନେଇଥିଲେ। ତେଣୁ ଏହି କୋଠାର ବିଲ ପାଇଁ ଠିକାଦାର ଜୟ ପ୍ରଧାନଶିକ୍ଷକ ଶ୍ରୀ ତାଣ୍ଡିଙ୍କୁ ଅନୁରୋଧ କରିଥିଲେ। ତେବେ ଏଥିପାଇଁ ପ୍ରଧାନଶିକ୍ଷକ ଶ୍ରୀ ତାଣ୍ଡି ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ତାଙ୍କ ବ୍ୟାଙ୍କ ଜମାଖାତାରେ ଜମା କରି ସ୍ଲିପ ଦେବାକୁ କହିଥିଲେ। ସମ୍ପୃକ୍ତ ଠିକାଦାର ଏ ବାବଦରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ବ୍ୟାଙ୍କରେ ଟଙ୍କା ଜମା କରି ଠିକାଦାର ଜଣକ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସ୍ଲିପ୍‌ ପ୍ରଧାନଶିକ୍ଷକଙ୍କୁ ସ୍କୁଲ୍‌ ଅଫିସ୍‌ରେ ଦେଇଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲେ। ତେବେ ପ୍ରଧାନଶିକ୍ଷକ ବ୍ୟାଙ୍କ ସ୍ଲିପ୍‌କୁ ଗିଳି ଦେଇଥିଲେ। କିନ୍ତୁ ମୋବାଇଲରେ ସ୍ଲିପ୍‌ର ବିବରଣୀ ରହିଥିଲା। ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ନିଜ ଗାଁ ମକରାଗୁଡା ଓ ଲେତେର ସ୍କୁଲ ଅଫିସ୍‌ରେ ବି ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ ଚାଲିଛି। ଏ ନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର