ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିୟୋଜିତ ହେବେ ‘ସ୍ବାସ୍ଥ୍ୟ ସଂଯୋଜକ’

ବରିଷ୍ଠ ନର୍ସିଂ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ହେଲ୍‌ପ ଡେସ୍କ ଆହୁରି ସୁଦୃଢ଼ ହେବ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂପର୍କରେ ଅପ୍ ଟୁ ଡେଟ୍ ବା ସଦ୍ୟ ସୂଚନା ପ୍ରଦାନ କରିବା ପାଇଁ ହେଲ୍‌ପ ଡେସ୍କରେ ନିୟୋଜିତ ହେବେ ‘ସ୍ବାସ୍ଥ୍ୟ ସଂଯୋଜକ’। ଏଥିପାଇଁ ଜଣେ ବରିଷ୍ଠ ନର୍ସିଂ ଅଧିକାରୀଙ୍କୁ ଏହାର ଦାୟିତ୍ବ ପ୍ରଦାନ କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏ ସଂପର୍କରେ ସମସ୍ତ ମେଡିକାଲ କଲେଜର ଅଧୀକ୍ଷକ, ଭିମ୍‌ସାର ବୁର୍ଲା ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଅଧୀକ୍ଷକଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି।

ବିଭାଗ ପକ୍ଷରୁ କୁହାଯାଇଛି ଯେ କୋଭିଡ ସଂକ୍ରମଣ ସମୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ହେଲ୍‌ପ ଡେସ୍କର ଆବଶ୍ୟକତା ପଡ଼ିଥିଲା ବିଶେଷକରି ଆଇସିୟୁ/ଏଚ୍‌ଡିୟୁରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପ୍ରବେଶ କଟକଣା ରହିଥିବା ବେଳେ ରୋଗୀଙ୍କ ସଂପର୍କରେ ସେମାନଙ୍କ ପରିବାରକୁ ସୂଚନା ଦେବାରେ ଏହା ବେଶ୍ ସହାୟକ ହୋଇଥିଲା। ତେଣୁ ଏହି ହେଲ୍‌ପ ଡେସ୍କକୁ ଅଧିକ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ଜଣେ ଲେଖାଏ ସ୍ବାସ୍ଥ୍ୟ ସଂଯୋଜକଙ୍କୁ ନିୟୋଜିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ମେଡିକାଲ କଲେଜର ଅଧୀକ୍ଷକ ଏଥିପାଇଁ ଜଣେ ବରିଷ୍ଠ ନର୍ସିଂ ଅଧିକାରୀଙ୍କୁ ଚୟନ କରିବେ। କାର୍ଯ୍ୟରତ ମାନବ ସମ୍ବଳ ମଧ୍ୟରୁ ଏହି ସ୍ବାସ୍ଥ୍ୟ ସଂଯୋଜକଙ୍କୁ ଚୟନ କରାଯିବ। ଯେଉଁ ମେଡିକାଲ କଲେଜରେ ହେଲ୍‌ପ ଡେସ୍କ ଆରମ୍ଭ ହୋଇନାହିଁ ସେମାନେ ତୁରନ୍ତ ଏହାକୁ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର