ସଚିବ ବଖାଣିଲେ ସ୍ବାସ୍ଥ୍ୟ ବିଭାଗର ଗୋଲାପି ଚିତ୍ର : ରାଜ୍ୟରେ ଡାକ୍ତରଙ୍କ ପ୍ରୋତ୍ସାହନ ରାଶି ଏମ୍‌ସଠାରୁ ବି ଅଧିକ, ୫ବର୍ଷରେ ନିଯୁକ୍ତ ହେବେ ୨୬ହଜାର ପାରାମେଡିକ୍ସ

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ମାନବ ସମ୍ବଳ ନୀତି କେବଳ ଅନ୍ୟ ରାଜ୍ୟ ନୁହେଁ, କେନ୍ଦ୍ରୀୟ ସଂସ୍ଥାଗୁଡ଼ିକଠାରୁ ଭଲ। ଚିକିତ୍ସକମାନେ ମଧ୍ୟ କୌଣସି ‌‌କ୍ଷେତ୍ରରେ ପଛରେ ନାହାନ୍ତି। ଅଧିକ ପରିମାଣରେ ପ୍ରୋତ୍ସାହନ ରାଶି ସହିତ ଏମ୍‌ସଠାରୁ ବି ଅଧିକ ବେତନ ପାଉଛନ୍ତି। ଏପରିକି ଉପାନ୍ତ ଅଞ୍ଚଳରେ ନିଯୁକ୍ତ ହେଉଥିବା ଡାକ୍ତରମାନଙ୍କ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟଗୁଡ଼ିକର ନୀତିକୁ ନେଇ କେନ୍ଦ୍ର ସରକାର କରିଥିବା ଦୁଇଦିନିଆ ସମୀକ୍ଷା ବୈଠକରେ ରାଜ୍ୟ ସ୍ବାସ୍ଥ୍ୟସେବାର ଏମିତି ଗୋଲାପି ଚିତ୍ର ଉପସ୍ଥାପନ କରିଛନ୍ତି ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା।

ଡା. ମେହେର୍ଦା ଦର୍ଶାଇଛନ୍ତି ଯେ ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ କରିବା ଲାଗି ଦୁଇ ବର୍ଷ ଭିତରେ ରାଜ୍ୟରେ ୩ଟି ନୂତନ ମେଡିକାଲ କଲେଜ ଖୋଲିଥିବା ବେଳେ ଆଉ ୬ଟି ମେଡିକାଲ କଲେଜ ନିର୍ମାଣାଧୀନ ରହିଛି। ମେଡିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ଅନୁମୋଦିତ କଲେଜଗୁଡ଼ିକରୁ ସୁପର ସ୍ପେସାଲିଷ୍ଟ କରିଥିବା ଡାକ୍ତରମାନଙ୍କୁ ମାସିକ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ଭତ୍ତା ଦିଆଯାଉଛି। ସେହିପରି ପିଜି କରିଥିବା ଡାକ୍ତରମାନଙ୍କୁ ୨୦ହଜାର ଟଙ୍କା ଓ ସରକାରଙ୍କ ଦ୍ବାରା ଅନୁମୋଦିତ ପିଜି ଡିପ୍ଲୋମା କରିଥିବା ଡାକ୍ତରଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଦିଆଯାଉଛି। ଏହି ଆର୍ଥିକ ପ୍ରୋତ୍ସାହନ ରାଶି ସେମାନଙ୍କୁ ନିଯୁକ୍ତିର ସ୍ଥାନ ଅନୁଯାୟୀ ମିଳୁଥିବା ରାଶି ବାଦ୍ ପ୍ରଦାନ କରାଯାଉଛି।

Ommcom News

ନିକଟ ଅତୀତରେ ରାଜ୍ୟ ସରକାର ପିଜି ପାଠ୍ୟକ୍ରମରେ ନାମ ଲେଖାଇଥିବା ଡାକ୍ତରମାନଙ୍କ ପାଇଁ ମଧ୍ୟ ରାଜ୍ୟରେ କାର୍ଯ୍ୟ କରିବା ନେଇ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଯେଉଁ ଡାକ୍ତରମାନେ ପ୍ରି-କ୍ଲିନିକାଲ ବିଷୟ ଯଥା ଆନାଟୋମି, ଫିଜିଓଲୋଜି, ବାୟୋକେମିଷ୍ଟ୍ରି ଓ ପାରା କ୍ଲିନିକାଲ ବିଷୟ ଯେପରି ଫାର୍ମା କୋଲୋଜି, ଏଫ୍‌ଏମ୍‌ଟି, ପାଥୋଲୋଜି, ମାଇକ୍ରୋବାଇଓଲୋଜି ଓ କମ୍ୟୁନିଟି ମେଡିସିନ୍‌ ଆଦିରେ ପିଜି କରୁଛନ୍ତି ସେମାନଙ୍କ ମାସିକ ଭତ୍ତା ୧୮ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଯେଉଁ ଡାକ୍ତରମାନେ କେବିକେ ଅଞ୍ଚଳରେ ଥିବା ମେଡିକାଲ କଲେଜଗୁଡ଼ିକରେ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ, ସେମାନଙ୍କୁ ମାସିକ ୧ଲକ୍ଷ ୨୫ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ବାରିପଦା ଓ ବାଲେଶ୍ବର ଭଳି ନୂଆ ମେଡିକାଲ କଲେଜରେ କାର୍ଯ୍ୟ କରିବା ପାଇଁ ୩୫ହଜାର ଟଙ୍କାର ପ୍ରୋତ୍ସାହନ ବ୍ୟବସ୍ଥା ସହ କେବିକେ ଭଳି ପଛୁଆ ଅଞ୍ଚଳରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ପାଇଁ ମାସିକ ଦରମା ବାଦ୍ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମଧ୍ୟ ଘୋଷଣା କରାଯାଇଛି। ଡାକ୍ତରମାନଙ୍କ କ୍ଷେତ୍ରରେ ଡିଏସିପି ବ୍ୟବସ୍ଥା ଲାଗୁ କରାଯାଇ ଚାକିରିର ୭/୧୪/୨୧ବର୍ଷରେ ତିନିଟି ପଦୋନ୍ନତି ସୁନିଶ୍ଚିତ କରାଯାଇଛି। ସାଧାରଣ ଏମ୍‌ବିବିଏସ୍‌ ଡାକ୍ତରମାନେ ଭି-୪ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିବା ପାଇଁ ୪୦ ହଜାର ଟଙ୍କା ଓ ବିଶେଷଜ୍ଞ ଡାକ୍ତରଙ୍କ ପାଇଁ ୮୦ହଜାର ଟଙ୍କାର ମାସିକ ପ୍ରୋତ୍ସାହନ ଭତ୍ତା ଘୋଷଣା ହୋଇଛି।

ପ୍ରକାଶ ଥାଉ କି, ଭି-୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ବିଶେଷଜ୍ଞ ଡାକ୍ତର ଚାକିରି ଆରମ୍ଭ କଲେ ତାଙ୍କୁ ମାସିକ ୧ଲକ୍ଷ ୬୧ହଜାର ୮୩୨ଟଙ୍କା ଓ କୋରାପୁଟ, ବଲାଙ୍ଗୀର ଓ ବୁର୍ଲା ଭଳି ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବେ ଯୋଗଦେଲେ ୧ଲକ୍ଷ ୫୯ହଜାର ୩୭୬ଟଙ୍କା ମାସିକ ବେତନ ମିଳୁଛି। ଏହି ଅନୁପାତରେ ଏମ୍‌ସରେ ଜଣେ ସହକାରୀ ପ୍ରଫେସର କାର୍ଯ୍ୟରେ ଯୋଗଦେଲେ ମାସିକ ୧ଲକ୍ଷ ୫୮ହଜାର ୯୧୬ଟଙ୍କା ପାଉଛନ୍ତି।

ରାଜ୍ୟ ସରକାରଙ୍କ ଅଧୀନରେ କୋରାପୁଟ, ବଲାଙ୍ଗୀର ଓ ଭିମ୍‌ସାର ବୁର୍ଲା ମେଡିକାଲ କଲେଜରେ କ୍ଲିନିକାଲ ପ୍ରଫେସରମାନଙ୍କୁ ମାସିକ ୨ଲକ୍ଷ ୮୬ହଜାର ୫୦୪ଟଙ୍କା ଏବଂ ପ୍ରି ଓ ପାରା କ୍ଲିନିକାଲ ପ୍ରଫେସରମାନଙ୍କୁ ମାସିକ ୩ଲକ୍ଷ ୬ହଜାର ୫୦୪ ଟଙ୍କା ଦରମା ଦିଆଯାଉଛି। ଅଥଚ ଏମ୍‌ସ ଭଳି ଅନୁଷ୍ଠାନରେ ପ୍ରଫେସରମାନଙ୍କୁ ମାସିକ ୨ଲକ୍ଷ ୪୯ ହଜାର ୫୦୨ଟଙ୍କା ଦରମା ମିଳୁଛି।

ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସ ବା ଓଏଚ୍‌ଏମ୍‌ଏସ୍‌ କ୍ୟାଡର୍‌ ପୁନର୍ଗଠନ କରାଯାଇଛି ବୋଲି ସୂଚନା ଦେଇ ଶ୍ରୀ ମେହେର୍ଦ୍ଦା କହିଛନ୍ତି ଯେ ପେ-ବ୍ୟାଣ୍ଡ-୪ରେ ଥିବା ପଦ ସଂଖ୍ୟା ୩୫ରୁ ୪୩୩କୁ ବୃଦ୍ଧି କରାଯାଇଛି। ଫଳରେ ସେମାନଙ୍କ ପାଇଁ ପଦୋନ୍ନତିର ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଗତ ୩ବର୍ଷ ଭିତରେ ଅତି କମ୍‌ରେ ୩୩୩୦ ନୂତନ ପଦ ସୃଷ୍ଟି କରାଯାଇ ପଦ ସଂଖ୍ୟା ୫୩୮୯ରୁ ୮୭୧୯କୁ ବୃଦ୍ଧି ପାଇଛି। ଏଥିରୁ ୫୭୮ ପଦ ପବ୍ଲିକ ହେଲ୍‌ଥ ପଦ ଭାବେ ଚିହ୍ନଟ ହୋଇଛି।

ରାଜ୍ୟରେ ଖାଲିଥିବା ଡାକ୍ତର ପଦ ପୂରଣ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ପ୍ରତି ମାସର ନିର୍ଦ୍ଦିଷ୍ଟ ତାରିଖରେ ମଧ୍ୟ ସାକ୍ଷାତକାର ଜରିଆରେ ଠିକା ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉଛି। କେବିକେ ପ୍ଲସ୍ ଜିଲ୍ଲାଗୁଡ଼ିକରେ କର୍ପସ ପାଣ୍ଠି ଓ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ସହମତି ଭିତ୍ତିକ ଦରମାରେ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ବାସ୍ଥ୍ୟ ବିଭାଗ ଅଧୀନରେ ବିଭିନ୍ନ ସ୍କିମ୍ ଜରିଆରେ ନିଯୁକ୍ତି ପାଇଥିବା ଷ୍ଟାଫ ନର୍ସ ଓ ଅନ୍ୟାନ୍ୟ ପାରାମେଡିକ୍ସ ଚାକିରି ନିୟମିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାର ଷ୍ଟାଫ ନର୍ସ, ଏଲ୍‌ଟି, ଫାର୍ମାସିଷ୍ଟ, ଏନ୍‌ପିଏଚ୍‌ଡବ୍ଲ୍ୟୁ ଓ ରେଡିଓଗ୍ରାଫର ଭଳି ପାରାମେଡିକ୍ସମାନଙ୍କୁ ନିଯୁକ୍ତି ଦେବା ନି‌ମନ୍ତେ ଆଇପିଏଚ୍‌ଏସ୍ ନର୍ମ ଅନୁଯାୟୀ ୨୬ ହଜାର ପଦ ସୃଷ୍ଟି କରାଯାଇଛି। ଏବେ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଆସନ୍ତା ୫ବର୍ଷ ଭିତରେ ଏହା ପୂରଣ କରାଯିବ ବୋଲି ଡା. ମେହେର୍ଦା ବୈଠକରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର