ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା : ଉତ୍କର୍ଷ କେନ୍ଦ୍ର ହେବ ୩ ମେଡିକାଲ କଲେଜର ହୃଦ୍‌‌ରୋଗ, ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗ

ଭୁବନେଶ୍ବର : ରାଜ୍ୟର ୩ ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲର ହୃଦ୍‌ରୋଗ, ୟୁରୋଲୋଜି ଓ ନେଫ୍ରୋଲୋଜି ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ଆଲୋଚନା ହୋଇଛି। ଏହି ବିଭାଗରେ ମାନବ ସମ୍ବଳ, ଡାକ୍ତରୀ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆବଶ୍ୟକତାକୁ ତର୍ଜମା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିର୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ କଟକସ୍ଥିତ ଏସସିବି ମେଡିକାଲ କଲେଜ, ଭିମ୍‌ସାର ବୁର୍ଲା ଓ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ୩ ବିଭାଗରେ ଚିକିତ୍ସା ସଂପର୍କରେ ସମୀକ୍ଷା ହୋଇଥିଲା। ଏଥିରେ ୩ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ। ହୃଦ୍‌ରୋଗ, ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାକୁ ମେଡିକାଲ କଲେଜ କର୍ତୃପକ୍ଷ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଉଦ୍ୟମ କରିବାକୁ କୁହାଯାଇଛି। ଏସ୍‌ସିବି ମେଡିକାଲ କଲେଜର ୟୁରୋଲୋଜି ଓ ରେନାଲ ଟ୍ରାନ୍‌ସପ୍ଲାଣ୍ଟ ୟୁନିଟ୍‌ର ରୋବୋଟିକ୍ ସର୍ଜରି ବ୍ୟବସ୍ଥା, ଟ୍ରାନ୍‌ସପ୍ଲାଣ୍ଟ ଆଇସିୟୁର ନବୀକରଣ ସହିତ ତୃତୀୟ ମଡ୍ୟୁଲାର ଓଟି ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ୩ ବିଭାଗ ଉପରେ ଅଧିକରୁ ଅଧିକ ସଂଖ୍ୟାରେ ଗରିବ ଲୋକମାନେ ନିର୍ଭର କରୁଥିବା ବେଳେ ସେମାନେ ଘରୋଇ ଡାକ୍ତରଖାନାକୁ ଯିବା ସମ୍ଭବ ହେଉନାହିଁ। ତେଣୁ ମେଡିକାଲ କଲେଜର ଗୁଡ଼ିକରେ ଯେଭଳି ଅତ୍ୟାଧୁନିକ ସେବା ଯୋଗାଯିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ସମସ୍ତ କାର୍ଯ୍ୟ ନିର୍ଘଣ୍ଟ ସମୟ ସୀମା ମଧ୍ୟରେ ଯେପରି ସଂପୂର୍ଣ୍ଣ ହୁଏ ତାହା ଉପରେ ଗୁରୁତ୍ବ ଦେବା ସହିତ ୩ମାସ ପରେ ପୁଣିଥରେ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଗୁହା ପୁନମ ତାପସ କୁମାର, ୩ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ, ଅଧୀକ୍ଷକ ଓ ସଂପୃକ୍ତ ବିଭାଗର ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର