ତାଲିମପ୍ରାପ୍ତ ସ୍ବାସ୍ଥ୍ୟସେବା କର୍ମୀଙ୍କୁ ନିଯୁକ୍ତି ପ୍ରସଂଗରେ ଅବହେଳା, ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ବେକାର ହୋଇ ଘରେ ବସିଥିବା ତାଲିମପ୍ରାପ୍ତ ସ୍ବା‌ସ୍ଥ୍ୟସେବା କର୍ମୀଙ୍କୁ ମଲ୍ଟି ପରପୋଜ୍ ହେଲ୍‌ଥ୍ ୱାର୍କର (ପୁରୁଷ ଓ ମହିଳା) ଭାବେ ନିଯୁକ୍ତି ପ୍ରଦାନ ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ଟ୍ରେନ୍‌ଡ୍ ଅନଏମ୍ପ୍ଲଏଡ୍ ୱେଲଫେୟାର ଟ୍ରଷ୍ଟ ସଭାପତି ପାର୍ଥସାରଥୀ ଜେନାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କରୋନାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିରେ ସ୍ବାସ୍ଥ୍ୟସେବା ଉପରେ ସବୁ ଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି। ଅନ୍ୟପକ୍ଷରେ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ନଥିବା ‌ବେଳେ ବହୁ ସ୍ବାସ୍ଥ୍ୟସେବା ସଂପର୍କିତ ପଦବି ଖାଲି ପଡିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ ୨୩ରେ ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ଲାବୋରଟୋରି ଟେକନିସିଆନ୍, ରେଡିଓଗ୍ରାଫର ଭଳି ସ୍ବାସ୍ଥ୍ୟସେବା କର୍ମୀଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରିଥିଲେ। ଏହି ସ୍ବାସ୍ଥ୍ୟସେବା କର୍ମୀମାନେ ନିଜ କାର୍ଯ୍ୟ ସଂପାଦନ କରୁଥିବା ବେଳେ ସେମାନଙ୍କ କାର୍ଯ୍ୟ ଅବଧି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପଦ ୬ ହଜାର ୬୮୮ ହୋଇଥିବା ବେଳେ ଏବେ ବି ପ୍ରାୟ ୧୫ଶହ ପଦ ଖାଲି ପଡିଛି। ସରକାର ନିୟମିତ ବ୍ୟବଧାନରେ ନିଯୁକ୍ତି ପ୍ରଦାନ କରୁ ନଥିବା ବେଳେ ଏବେ ବହୁ ତାଲିମପ୍ରାପ୍ତ ସ୍ବାସ୍ଥ୍ୟସେବା କର୍ମୀ ବେକାର ହୋଇ ଘରେ ବସି ରହିଛନ୍ତି। ମାତ୍ର, କରୋନା ଭୂତାଣୁ ସଂପର୍କିତ ସ୍ଥିତିର ମୁକାବିଲା ପାଇଁ ଅଧିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଅଧିକ ସ୍ବାସ୍ଥ୍ୟସେବା କର୍ମୀ ନିୟୋଜନ ଆବଶ୍ୟକ ଥିବା ବେଳେ ସରକାର ଏଥିପାଇଁ ଚିନ୍ତିତ ନଥିବା ପରି ମନେ ହେଉଛି। ଘରୋଇ ହସ୍ପିଟାଲ ଗୁଡିକୁ ସୁହାଇବା ଭଳି ପରିସ୍ଥିତି ସୃଷ୍ଟି ପାଇଁ ସରକାରୀ ଡାକ୍ତରଖାନା ଗୁଡିକରେ ଆବଶ୍ୟକ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଓ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବା ବେଳେ ରାଜେନ୍ଦ୍ର ଦାସ, ଜୟନ୍ତୀ ନାୟକ, ସୁରେନ୍ଦ୍ରକୁମାର ରାଉତ, ସରୋଜ ଭୂୟାଁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର