ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଆଜି: ପ୍ରତ୍ନତତ୍ତ୍ବ ବିଭାଗ ସତ୍ୟପାଠ ଦାଖଲ କଲାନି

ପୁରୀ : ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ହେବ। ସେପଟେ ପୁରୀ ଓକିଲ ସଂଘ ପକ୍ଷରୁ ସବ୍‌ଜଜ୍‌ଙ୍କ କୋର୍ଟରେ ଦାୟର ଦେୱାନୀ ମାମଲାର ବି ଆସନ୍ତାକାଲି ଶୁଣାଣି ରହିଛି। ଏହାଉପରେ ସଭିଁଙ୍କ ନଜର ରହିଥିବାବେଳେ ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କ ଆଦେଶ ସତ୍ତ୍ବେ ପରିକ୍ରମା ପ୍ରକଳ୍ପ ଓ ଚତୁଃପାର୍ଶ୍ବ ଖନନ ସଂପର୍କିତ ରିପୋର୍ଟ ସତ୍ୟପାଠ ଜରିଆରେ ପ୍ରଦାନ କରିପାରିନାହିଁ। ଫ‌ଳରେ, ପୁଣିଥରେ ପ୍ରତ୍ନତତ୍ତ୍ବ ବିଭାଗ ସମୟ ଗଡ଼ାଇବା ଆଶଙ୍କା ଦେଖାଦେଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିମାସ ଧରି ବାଦବିବାଦ ଲାଗି ରହିଛି। ପରିକ୍ରମା ପ୍ରକଳ୍ପ ଆଳରେ ଆମ୍‌ସାର ଆଇନକୁ ଖୋଲା ଉଲ୍ଲଂଘନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧିରେ ଯେଉଁଭଳି ଖନନ ଓ ନିର୍ମାଣ ଚାଲିଛି, ତାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗ ହୋଇ ଆସୁଛି। ନିଷିଦ୍ଧାଞ୍ଚଳରେ ଏକ୍ସାଭେଟର, ଜେସିବି ଆଦି ବଡ଼ ବଡ଼ ଯନ୍ତ୍ରାଂଶରେ ଖନନ ଫଳରେ ଶ୍ରୀମନ୍ଦିର ନାଟମଣ୍ଡପ, ବେହେରଣ ଦ୍ବାର, ଘଣ୍ଟିଦ୍ବାର ଆଦି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହା ବିରୋଧରେ ପୁରୀର ସାମାଜିକ କର୍ମୀ ଦିଲୀପ ବରାଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆମ୍‌ସାର ଆଇନକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏହି ବେଆଇନ୍‌ ଖନନ ଓ ନିର୍ମାଣ ଭିତରେ ୮ଶହ ବର୍ଷର ଶ୍ରୀମନ୍ଦିର ବିପଦ ଭିତରକୁ ଠେଲି ହୋଇଯାଇଥିବା ଅଭିଯୋଗ କରି ଏହି ନିର୍ମାଣ ଓ ଖନନ ଉପରେ ରହିତାଦେଶ ଜାରି କରିବାକୁ ନିବେଦନ କରିଛନ୍ତି।

ଗତ ୨୧ ତାରିଖରେ ଶ୍ରୀ ବରାଳଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ପ୍ରତ୍ନତତ୍ତ୍ବ ବିଭାଗକୁ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆସନ୍ତା ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ଆବେଦନକାରୀ ଶ୍ରୀ ବରାଳ ମାମଲାର ଶୁଣାଣି ପୂର୍ବରୁ ଖନନ ଓ ନିର୍ମାଣ କାର୍ଯ୍ୟ ସରିଯିବା ଆଶଙ୍କା କରି ମୂଳ ମାମଲା ଉପରେ ଏକ ମଧ୍ୟବର୍ତ୍ତୀକାଳୀନ ପିଟିସନ୍‌ ଦାୟର କରିଥିଲେ। ଏହାର ଶୁଣାଣି କରି ‌ହାଇକୋର୍ଟ ମେ ୯ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଏଥିସହ ମେ ୯ ତାରିଖର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ୭ ତାରିଖ ସୁଦ୍ଧା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ ପାଇଁ ଆଦେଶ ଦେଇଥିଲେ। ପ୍ରତ୍ନତତ୍ତ୍ବ ବିଭାଗ ସତ୍ୟପାଠ ଦାଖଲ ନ କରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଅନ୍ୟପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣକୁ ବିରୋଧ କରି ପୁରୀ ଓକିଲ ସଂଘ ସବ୍‌ଜଜ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ପୂର୍ବ ତାରିଖରେ ମାମଲାର ଶୁଣାଣି ନ ହୋଇପାରିବାରୁ ଆସନ୍ତାକାଲି ଏହାର ତାରିଖ ଧାର୍ଯ୍ୟ ‌ହୋଇଛି।

ଉଭୟ ମାମଲା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଅନ୍ୟପକ୍ଷରେ, ଏବେ ବି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଖନନସ୍ଥଳରେ କୋଠା ଠିଆ କରାଯାଉଛି। ଶ୍ରୀମନ୍ଦିରର ୫୫ ମିଟର ପରିଧିରେ ମେଘନାଦ ପାଚେରି ସଦୃଶ ଆଉ ଏକ ପାଚେରି ଠିଆ କରାଯାଉଛି।

ସମ୍ବନ୍ଧିତ ଖବର