ରାଜଧାନୀରେ ଘନ କୁହୁଡ଼ି : ୩୭ବିମାନ ଉଡ଼ାଣ ପ୍ରଭାବିତ, ୧୯ ବିମାନ ବିଳମ୍ବରେ ଆସିଲା, ୧୮ ବିମାନ ବିଳମ୍ବରେ ଗଲା

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ଘନ କୁହୁଡ଼ି ଥିବାରୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ପୂର୍ବାହ୍ନ ୯ଟା ୧୫ ପର୍ଯ୍ୟନ୍ତ ଭୁବନେଶ୍ବର ବିମାନବନ୍ଦରର ଭିଜିବିଲିଟି ୧୦୦ମିଟରରୁ କମ୍‌ ରହିବାରୁ ଏଠାରେ ବିମାନ ଅବତରଣ କରିପାରିନଥିଲା କି ଉଡ଼ାଣ କରିବା ସମ୍ଭବ ନଥିଲା। କେବଳ ଭୁବନେଶ୍ବର ବିମାନବନ୍ଦର ନୁହେଁ, ଦେଶର ବିଭିନ୍ନ ବିମାନବନ୍ଦରରେ ଘନକୁହୁଡ଼ି ଯୋଗୁଁ ଏଠାକୁ ବିମାନଗୁଡ଼ିକ ବିଳମ୍ବରେ ଆସିଥିଲା। ଆଜି ଦିନତମାମ୍ ୧୫ମିନିଟରୁ ଆରମ୍ଭ କରି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ବିମାନଗୁଡ଼ିକ ଉଡ଼ାଣ କରିଥିଲା। ଆଜି ଗୋଟିଏ ଦିନରେ ୩୭ଟି ବିମାନ ବିଳମ୍ବରେ ଉଡ଼ାଣ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ୧୮ଟି ବିମାନ ବିଳମ୍ବରେ ଉଡ଼ାଣ କରିଥିବାବେଳେ ୧୯ଟି ବିମାନ ବିଳମ୍ବରେ ଅବତରଣ କରିଥିଲା। ଭୁବନେଶ୍ବରରୁ ସକାଳ ୯ଟା ୧୫ ମଧ୍ୟରେ ବେଙ୍ଗାଲୁର, ଗୌହାଟି, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ ଯିବାକୁ ଥିବା ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା। ସେହିପରି ଏହି ସମୟ ମଧ୍ୟରେ ଭୁବନେଶ୍ବରକୁ କୋଲକତା, ବେଙ୍ଗାଲୁର, ଦିଲ୍ଲୀ, ରାଞ୍ଚିରୁ ଆସିବାକୁ ଥିବା ବିମାନଗୁଡ଼ିକ ବି ଧାର୍ଯ୍ୟ ସମୟରେ ଅବତରଣ କରିପାରିନଥିଲା। ସମସ୍ତ ବିମାନ ପ୍ରାୟ ଘଣ୍ଟାଏରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ଉଡ଼ାଣ ଓ ଅବତରଣ କରିଥିଲା। ସକାଳ ବେଳା ବିମାନ ଉଡ଼ାଣ ପ୍ରଭାବିତ ହେବାରୁ ଦେଶର ବିଭିନ୍ନ ସ୍ଥାନରୁ ଯଥା ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ଆଦି ସହରକୁ ଯିବାକୁ ଥିବା ବିମାନଗୁଡ଼ିକ ବିଳମ୍ବରେ ଉଡ଼ାଣ କରିଥିଲା।

ବିଳମ୍ବରେ ବିମାନ ଉଡ଼ାଣ କରିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର