ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ମାମଲା: ସରକାରଙ୍କ ସତ୍ୟପାଠ ଦାଖଲ

କଟକ : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସଂପର୍କିତ ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଏହି ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୭କୁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ଏକ ପାଞ୍ଚ ଜଣିଆ କମିଟିର ବୈଧତାକୁ ଚାଲେଞ୍ଜ କରି ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଗତ ମାର୍ଚ୍ଚ ୩୦ରେ ଏହି ଉପରେ ଶୁଣାଣି କରି ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯, ମାର୍ଚ୍ଚ ୮ ଓ ୨୦୧୯, ଅଗଷ୍ଟ ୨୮ର ବିଜ୍ଞପ୍ତିରେ ପ୍ରଦାନ କରାଯାଇଥିବା ଦାୟିତ୍ବ ଆଧାରରେ କମିଟିର କ’ଣ କାର୍ଯ୍ୟ କରିବାର ସୁଯୋଗ ରହିଛି, ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ହାଇକୋର୍ଟ କହିଥିଲେ। ମାମଲାରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ସଚିବ ଓ ଓଡ଼ିଶା ହାଇକୋର୍ଟଙ୍କୁ ପକ୍ଷଭୁକ୍ତ କରାଯାଇଛି। ୨୦୧୯, ଡିସେମ୍ବର ୨ରେ ହାଇକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଥିଲେ। ଜଷ୍ଟିସ ସି.ଆର.ପାଲ କମିସନଙ୍କ ରିପୋର୍ଟ ଉପରେ ପଦକ୍ଷେପ ଗ୍ରହଣ ନ କରି ସରକାର ୨୦୧୯ରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବା ଗ୍ରହଣୀୟ ନୁହେଁ। ଏପରି କମିଟି ସଂପର୍କିତ ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ହୋଇ ନ ଥିବାବେଳେ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇ ଏହି ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର