ଚିଲିକା ଜଳ ପ୍ରଦୂଷଣ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଗଙ୍ଗୁଆ ଜଳ ପ୍ରବେଶ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ

କଟକ: ଆଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି ସମୟରେ ଚିଲିକା ଓ ଭିତରକନିକାରେ ଜଳ ପ୍ରଦୂଷଣ ନେଇ ହାଇକୋର୍ଟ ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶେଷକରି ଚିଲିକାରେ ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ଦୟାନଦୀ ଦେଇ ପ୍ରବେଶ କରିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ସମସ୍ୟା ଦୂର ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭୁବନେଶ୍ବର ପୌର ନିଗମ ଓ ସ୍ଥାନୀୟ ବାସିନ୍ଦାଙ୍କ ସଂଘର ସଦସ୍ୟଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକର ନିର୍ଯାସ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଗଙ୍ଗୁଆ ନାଳ ଜଳ ଦୟା ନଦୀରେ ପ୍ରବେଶ କରିବା ଓ ଦୟାନଦୀ ଜଳ ଚିଲିକାରେ ମିଶିବାରୁ ଏହାର ଜଳ ପ୍ରଦୂଷିତ ହେଉଥିବା ନେଇ ଆମିକସ୍‌କ୍ୟୁରି ଆଜି ଶୁଣାଣି ବେଳେ ତଥ୍ୟ ଉପସ୍ଥାପନ କରିଥିଲେ। ଭର୍ଚୁଆଲ ମୋଡ୍‌ରେ ଉପସ୍ଥିତ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ମଧ୍ୟ ଗଙ୍ଗୁଆର ପ୍ରଦୂଷିତ ଜଳ ଦୟାନଦୀ ଦେଇ ଚିଲିକାରେ ମିଶୁଛି ବୋଲି କହିଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦାଖଲ ଚିଲିକା ଓ ଭିତରକନିକାର ଜଳର ମାନ ପରୀକ୍ଷା ସଂପର୍କିତ ରିପୋର୍ଟରୁ ମଧ୍ୟ ଜଳ ପ୍ରଦୂଷିତ ଥିବା ଜଣାପଡ଼ିଥିଲା।

ଅନ୍ୟପଟରେ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଉଥିବା ବେଳେ ପାରମ୍ପରିକ ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀଙ୍କ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଓ ରାଜସ୍ବ ବିଭାଗ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ କରିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଏହି ପ୍ରସଙ୍ଗରେ ଦୁଇ ମାସ ଭିତରେ ନୂଆ ନୀତି ନିର୍ଦ୍ଧାରଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଆଜି ସିଏଏ(କୋଷ୍ଟାଲ ଆକ୍ୱାକଲଚର ଅଥରିଟି)ରେ ବିଚାରାଧୀନ ଆବେଦନଗୁଡ଼ିକ ପ୍ରସଙ୍ଗରେ ଜବାବ ତଲବ କରିଛନ୍ତି। ପରବର୍ତ୍ତୀ ଶୁଣାଣିରେ ସିଏଏ ସଚିବ ଭର୍ଚୁଆଲ୍‌ ମୋଡ୍‌ରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅକ୍ଟୋବରର ୨୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆମିକସ୍ କ୍ୟୁରି ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଚିଲିକା ଓ ଭିତରକନିକା ଆଦ୍ରଭୂମି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର