ହାଇକୋର୍ଟରେ ପ୍ରଦୀପ ମହାରଥୀଙ୍କ ଏତଲା ରଦ୍ଦ ଆବେଦନ, ସରକାରଙ୍କୁ ନୋଟିସ୍

କଟକ : ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏତଲା ରଦ୍ଦ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମହାରଥୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସାଧାରଣ ନିର୍ବାଚନ ସମୟରେ ୨୦୧୯, ଏପ୍ରିଲ ୨୧ରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଟଙ୍କା ବଣ୍ଟା ହେଉଥିବା ଅଭିଯୋଗ ମିଳିବା ପରେ ଫ୍ଲାଇଂ ସ୍କ୍ବାଡ୍ ଓ ଷ୍ଟାଟିକ ସର୍ଭିଲାନ୍ସ ଟିମ୍‌ ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। ଫ୍ଲାଇଂ ସ୍କ୍ବାଡ୍ ଯା‌ଞ୍ଚ କରୁଥିବା‌ବେଳେ ଶ୍ରୀ ମହାରଥୀଙ୍କ ସମର୍ଥକମାନେ ଏହାର ପ୍ରତିବାଦ କରିଥିଲେ। କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ପହଞ୍ଚାଇବା ସହ ସେମାନେ ଆକ୍ରମଣ କରିଥିଲେ ବୋଲି ସ୍କ୍ବାଡ ପକ୍ଷରୁ ପିପିଲି ଥାନାରେ ଅଭିଯୋଗ କରାଯାଇଥିଲା। ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ଅଧିକାରୀଙ୍କ ସମେତ ଅନ୍ୟମାନେ ଆକ୍ରମଣରେ ଆହତ ହୋଇଥିଲେ। ଏ ନେଇ ଶ୍ରୀ ମହାରଥୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଆଇପିସିର ଧାରା ୧୪୭, ୧୪୮, ୧୮୮, ୩୪୧, ୨୯୪, ୧୮୬, ୩୫୩, ୩୩୩, ୩୦୭, ୫୦୬, ୧୪୯, ୧୭୧(ବି), ଆରପି ଆକ୍ଟର ଧାରା ୧୨୩ରେ ପିପିଲି ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାରେ ଗିରଫ ହେବା ପରେ ଶ୍ରୀ ମହାରଥୀଙ୍କୁ ଅଦାଲତରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ନିମ୍ନ ଅଦା‌ଲତରେ ବିଚାରାଧୀନ ଏହି ମାମଲା ରଦ୍ଦ ପାଇଁ ଶ୍ରୀ ମହରଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର