ଏସ୍‌ଏଚ୍‌ଜି କାନ୍ଧରେ ରୂପାନ୍ତରିତ ହାଇସ୍କୁଲ ଦାୟିତ୍ବ: ନିୟମାବଳୀ ଜାରି କଲା ଗଣଶିକ୍ଷା ବିଭାଗ

ସଫେଇ, ସୁରକ୍ଷା, ସ୍ବଚ୍ଛତା ବୁଝିବେ, ତଦାରଖ କରିବେ ଡିଇଓ, ବିଇଓ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏବେ ସୁଦ୍ଧା ୩୯୦୦ରୁ ଅଧିକ ହାଇସ୍କୁଲ ରୂପାନ୍ତରଣ ସରିଛି। ଆଉ ଦୁଇଟି ପର୍ଯ୍ୟାୟରେ ୪୪୦୦ ହାଇସ୍କୁଲର ରୂପାନ୍ତରଣ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ବସ୍ତରୀୟ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ୍‌, ବିଜ୍ଞାନ ଲାବରୋଟାରି, ଇ-ଲାଇବ୍ରେରି, ପାନୀୟ ଜଳ ଓ ଶୌଚାଳୟ ସୁବିଧା କରାଯାଇଛି। ମାତ୍ର ସେଗୁଡ଼ିକ ରକ୍ଷଣାବେକ୍ଷଣ, ସଠିକ୍‌ ପରିଚାଳନା ଓ ସୁରକ୍ଷା ଏବେ ରାଜ୍ୟ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। କେଉଁଠି ସାମଗ୍ରୀ ଚୋରି ହୋଇ ଗଲାଣି ତ ଆଉ କେଉଁଠି ଆବଶ୍ୟକ ରକ୍ଷଣ‌ାବେକ୍ଷଣ ଅଭାବରୁ ନଷ୍ଟ ହେଉଛି। ଏନେଇ ଖବର ସାମ୍ନାକୁ ଆସିବା ପରେ ରୂପାନ୍ତରିତ ହାଇସ୍କୁଲ ସାମଗ୍ରୀଗୁଡ଼ିକର ସୁରକ୍ଷା ଓ ସ୍ବଚ୍ଛତା ବଜାୟ ରଖିବା ଲାଗି ପ୍ରାଥମିକତା ଆଧାରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଡବ୍ଲୁଏସ୍‌ଏଚ୍‌ଜି)ଙ୍କୁ ନିୟୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସଫେଇ, ସୁରକ୍ଷା, ସ୍ବଚ୍ଛତା ବୁଝିବେ
ବର୍ଷକ ଲାଗି ହେବ ଏସ୍‌ଏଚ୍‌ଜି ସହ ରାଜିନାମା
ତଦାରଖ କରିବେ ଡିଇଓ, ବିଇଓ

ହାଇସ୍କୁଲଗୁଡ଼ିକ ଦୁଇଟି ବର୍ଗ(ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଥିବା ଓ ମଧ୍ୟାହ୍ନଭୋଜନ ଦିଆଯାଉ ନ ଥିବା)ରେ ବିଭକ୍ତ କରାଯାଇଛି। କାଟାଗୋରି-ଏ ଅନୁଯାୟୀ ବର୍ତ୍ତମାନ ସମୟରେ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମର ସୁପରିଚାଳନାରେ ଏସ୍‌ଏଚ୍‌ଜିଙ୍କୁ ସାମିଲ କରାଯାଇଛି। ତାହାକୁ ନଜରରେ ରଖି ହାଇସ୍କୁଲଗୁଡ଼ିକର ସୁରକ୍ଷା ଦାୟିତ୍ବ ଏସ୍‌ଏଚ୍‌ଜିଙ୍କୁ ହସ୍ତାନ୍ତର କରିବାକୁ ଗତ ସପ୍ତାହରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ନିୟୋଜିତ ହେବାକୁ ଥିବା ଡବ୍ଲୁଏସ୍‌ଏଚ୍‌ଜିଗୁଡ଼ିକ କିଭଳି କାର୍ଯ୍ୟ କରିବେ, କିଭଳି ଚୟନ କରାଯିବ, ଦାୟିତ୍ବ କ’ଣ ରହିବ, ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ପ୍ରସ୍ତୁତ କରାଯିବା ସହ ଏସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଅବଗତ କରାଯାଇଛି। ଯେଉଁ ସବୁ ଡବ୍ଲୁଏସ୍‌ଏଚ୍‌ଜି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି, ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନେ ସେମାନକୁ ଚୟନ କରିବା ସହ ହାଉସ୍‌କିପିଂ ସେବା ଯୋଗାଇ ଦେବା ଲାଗି ଅନୁରୋଧ କରିପାରିବେ। କାଟାଗୋରି ‘ବି’ ଅନୁଯାୟୀ ଯେଉଁ ହାଇସ୍କୁଲରେ ମଧ୍ୟାହ୍ନଭୋଜନ ସୁବିଧା ଉପଲବ୍ଧ ନାହିଁ ସେକ୍ଷେତ୍ରରେ ଡିଇଓମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ମୋ ସ୍କୁଲ ଜିଲ୍ଲାସ୍ତରୀୟ କମିଟି ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ମହିଳା ଏସ୍‌ଏଚ୍‌ଜି ଦ୍ବାରା ପରିଚାଳିତ ହେଉ ନ ଥିବାରୁ ସ୍କୁଲ ତାଲିକା ପ୍ରଦାନ କରିବେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ(ଡିଏସ୍‌ଡବ୍ଲୁଓ)ମାନେ ମଧ୍ୟାହ୍ନ ଭୋଜନ ନିୟମାବଳୀ ଆଧାରରେ ମହିଳା ଏସ୍‌ଏଚ୍‌ଜିଙ୍କୁ ଚୟନ କରି ତାହାର ତାଲିକା ଡିଇଓଙ୍କ ନିକଟରେ ଦାଖଲ କରିବେ। ଡିଇଓମାନେ ଉକ୍ତି ତାଲିକାକୁ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପଠାଇବେ।

ନିୟୋଜିତ ହେବାକୁ ଥିବା ଡବ୍ଲୁଏସ୍‌ଏଚ୍‌ଜିମାନଙ୍କୁ ଅର୍ଥ ପ୍ରଦାନ କରାଯିବ। ସ୍କୁଲସ୍ତରରେ ମୋ ସ୍କୁଲ କମିଟି ପକ୍ଷରୁ ଡବ୍ଲୁଏସ୍‌ଏଚ୍‌ଜିଙ୍କୁ ନିଯୁକ୍ତି ଦିଆଯିବ। ୱାଚ୍‌ମ୍ୟାନ୍‌ ଓ ୱାର୍ଡର୍‌ ଭାବେ କାର୍ଯ୍ୟ କରିବାକୁ ଥିବା ବ୍ୟକ୍ତିବିଶେଷ ସେମି ସ୍କିଲ୍‌ଡ ହୋଇଥିବା ଆବଶ୍ୟକ। ସଫେଇ କର୍ମଚାରୀ ଅନ୍‌ସ୍କିଲଡ୍‌ ହୋଇଥିବେ। ନିୟୋଜିତ ହେବାକୁ ଥିବା ୱାଚ୍‌ ଆଣ୍ଡ ୱାର୍ଡ ବ୍ୟକ୍ତିବିଶେଷଙ୍କ ବିରୋଧରେ କୌଣସି ପ୍ରକାର ଅପରାଧିକ ମାମଲା ନ ଥିବ। କେତେ ସମୟ ଧରି ସେମାନେ କାର୍ଯ୍ୟ କରିବେ, ସେନେଇ ସ୍କୁଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ପ୍ରାରମ୍ଭିକ ଭାବେ ଗୋଟିଏ ବର୍ଷ ଲାଗି ଚୁକ୍ତି କରାଯିବ। ପରବର୍ତ୍ତୀ ସମୟରେ ଆଉ ଦୁଇବର୍ଷ ଲାଗି ବୃଦ୍ଧି କରାଯାଇପାରେ। କ୍ଲାସରୁମ୍‌, ପ୍ରଧାନ ଶିକ୍ଷକଙ୍କ ରୁମ୍‌, ଲାବରେଟୋରି, ଇ-ଲାଇବ୍ରେରି ଆଦିର ତାଲା ଓ ଚାବି ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ରହିବ। ୱାଚ୍‌ ଓ ୱାର୍ଡ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ତାହା ହସ୍ତାନ୍ତର ହେବ ନାହିଁ। ସ୍କୁଲ କ୍ୟାମ୍ପସକୁ ପ୍ରତିଦିନ ସଫେଇ କରାଯିବା ସହ ସ୍ବଚ୍ଛ ରଖାଯିବ। ଡବ୍ଲୁଏସ୍‌ଏଚ୍‌ଜି ଦ୍ବାରା ନିୟୋଜିତ ହେଉଥିବା ବ୍ୟକ୍ତିବିଶେଷଙ୍କ ଉପସ୍ଥାନ ସମ୍ପର୍କରେ ସ୍କୁଲ ପ୍ରଧାନଶିକ୍ଷକ ତଦାରଖ କରିବେ। ପ୍ରତି ମାସରେ ପ୍ରଧାନଶିକ୍ଷକ ବିଇଓଙ୍କ ମାଧ୍ୟମରେ ଡିଇଓଙ୍କୁ ରିପୋର୍ଟ ପ୍ରଦାନ କରିବେ। ଯଦି କାର୍ଯ୍ୟ ସନ୍ତୋଷଜନକ ନ ହୁଏ, ତେବେ ବିଇଓ ତାହାର ତଦନ୍ତ କରିବା ସହ ଡବ୍ଲୁଏସ୍‌ଏଚ୍‌ଜିକୁ ଦାୟିତ୍ବରୁ ହଟାଇ ପାରିବେ। ମାତ୍ର ହ‌ଟେଇବାର ଗୋଟିଏ ମାସ ପୂର୍ବରୁ ନୋଟିସ୍‌ ଦେବେ। ସ୍କୁଲ ପକ୍ଷରୁ ସଫେଇ ଲାଗି ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇ ଦିଆଯିବ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନେ ଡବ୍ଲୁଏସ୍‌ଏଚ୍‌ଜିଙ୍କ ସ୍କୁଲ ରକ୍ଷଣାବେକ୍ଷଣ ସମ୍ପର୍କିତ ଦକ୍ଷତା ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର