ବଲାଙ୍ଗୀରରେ ମାତିଛନ୍ତି ହାଇୱେ ଲୁଟେରା, ପୁଣି ୪ ଟ୍ରକ୍‌ ଚାଳକଙ୍କଠାରୁ ଲୁଟ୍‌

ବଲାଙ୍ଗୀର : ବଲାଙ୍ଗୀର ଉପକଣ୍ଠରେ ଏବେ ହାଇୱେ ଲୁଟେରା ମାତିଛନ୍ତି। ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଲଗାତର ଭାବେ ଲୁଟ୍‌ କରି ଚାଲିଛନ୍ତି। ବିଶେଷ କରି ଏମାନେ ଟ୍ରକ୍‌ ଚାଳକମାନଙ୍କୁ ଟାର୍ଗେଟ କରୁଥିବା ଲକ୍ଷ୍ୟ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ପୁଣି ୪ଟି ଟ୍ରକ୍‌କୁ ଅଟକାଇ ସଂପୃକ୍ତ ଚାଳକମାନଙ୍କଠାରୁ ଲୁଟ୍‌ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଉକ୍ତ ୪ଟି ଟ୍ରକ୍‌ ବରଗଡ଼ରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ବଲାଙ୍ଗୀର-ସମ୍ବଲପୁର ରାସ୍ତା ଜାମସର ଛକ ନିକଟରେ କିଛି ଲୁଟେରା ଏହି ଟ୍ରକ୍‌ଗୁଡ଼ିକୁ ଅଟକାଇଥିଲେ। ଚାଳକମାନଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ସେମାନେ ଧରିଥିବା ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ପୁଇଁତଲା ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ଲୁଟେରାମାନେ ଗାଡ଼ିର କାଚକୁ ଭାଙ୍ଗି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ମଧ୍ୟ ଏହି ଥାନା ଅନ୍ତର୍ଗତ ଶ୍ରୀବନ୍ଧ ନିକଟରେ ସମାନ ଢଙ୍ଗରେ ଲୁଟ୍‌ ହୋଇଥିଲା। ଏକ ଟ୍ରକ୍‌କୁ ଅଟକାଇ ଲୁଟେରାମାନେ ଚାଳକ ସୁଦର୍ଶନ ବରିହାଙ୍କୁ ପିସ୍ତଲ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ୬ ହଜାର ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର