ଜେଲ୍‌ରେ ଏଚ୍‌ଆଇଭି-ଯକ୍ଷ୍ମା ସମନ୍ଵିତ ପରୀକ୍ଷା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର : ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କ ଏଚ୍‌ଆଇଭି-ଯକ୍ଷ୍ମା ସମନ୍ଵିତ କାର୍ଯ୍ୟକ୍ରମ ଆଜି ହୋଟେଲ ସ୍ୱସ୍ତି ପ୍ରମିୟମରେ ଉଦ୍‌ଘାଟିତ ହୋଇଯାଇଛି। ଅତିରିକ୍ତ ସଚିବ ସଞ୍ଜୀବ କୁମାର ଏହାର ଉଦ୍‌ଘାଟନ କରିଛନ୍ତି। ସ୍ୱଧାର, ଉଜ୍ଜଳା ଓ ସମସ୍ତ ଜେଲ୍‌ରେ ରହୁଥିବା ଅନ୍ତୋବସୀଙ୍କ ଏଚ୍‌ଆଇଭି ସ୍କ୍ରିନିଂ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, କଟକ, ଗଞ୍ଜାମ, ଖୋର୍ଧା, କୋରାପୁଟ, ମୟୂରଭଞ୍ଜ ଓ ସମ୍ବଲପୁରରେ ଥିବା ଜେଲ୍‌ରେ ଏହା କାର୍ଯ୍ୟକାରୀ ହେବ।

ଏହି ଅବସରରେ ଶ୍ରୀ କୁମାର କହିଲେ, ସାଧାରଣସ୍ତରରେ ଯେତିକି ସଂଖ୍ୟକ ଏଚ୍‌ଆଇଭି-ଯକ୍ଷ୍ମା ଆକ୍ରାନ୍ତ ରହିଛନ୍ତି, ଜେଲ୍‌ ଓ ଏହି କ୍ଷେତ୍ରରେ ରହୁଥିବା ଲୋକ ୪/୫ପ୍ରତିଶତ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଦେଶରେ ବର୍ଷକୁ ପ୍ରାୟ ୧୨/୧୩ଲକ୍ଷ ବିଚାରଧୀନ କଏଦୀ ଜେଲ୍‌ ବାହାରକୁ ଯାଉଛନ୍ତି। ଯେଉଁ କଏଦୀମାନେ ଜେଲ୍‌ ବାହାରକୁ ଯାଉଛନ୍ତି ସେମାନଙ୍କୁ ପରବର୍ତୀ ସମୟରେ ଏଚ୍‌ଆଇଭି-ଯକ୍ଷ୍ମା ନେଇ ଟ୍ରାକିଂ କରିବା ସମ୍ଭବ ହେଉନାହିଁ। ଫଳରେ ଏହି ସଂଖ୍ୟାରେ ବୃଦ୍ଧି ହେଉଛି। ତେଣୁ ଯେଉଁ ଅନ୍ତେବାସୀମାନଙ୍କ ଏଚ୍‌ଆଇଭି, ଯକ୍ଷ୍ମା କିମ୍ବା ହେପାଟାଇଟିସ୍‌ ଚିହ୍ନଟ ହେବ ସେମାନଙ୍କୁ ନିକଟସ୍ଥ ଏଆରଟି ସେଣ୍ଟର୍‌, ଆରଏନ୍‌ଟିସିପି କିମ୍ବା ଅନ୍ୟ ସେଣ୍ଟର୍‌ ସହିତ କିଭଳି ସାମିଲ କରାଯିବ ତାହାକୁ ଗୁରୁତ୍ୱ ଦିଆଯିବା ଜରୁରୀ।ଏହାସହ ନାକୋ ପକ୍ଷରୁ ଗୋଷ୍ଠୀସ୍ତରରେ ଏଚ୍‌ଆଇଭିର ସ୍କ୍ରିନିଂ ଆରମ୍ଭ ହୋଇଛି। ମାତ୍ର ଯକ୍ଷ୍ମା ରୋଗୀଙ୍କ ପାଇଁ ସମସ୍ୟା ରହିଛି। ବସ୍ତି ରହୁଥିବା ଲୋକମାନେ ଉପଯୁକ୍ତ ସମୟରେ ଡଟ୍‌ସ ଦିଆଯାଉଛି କି ନାହିଁ ତାହା ଜଣାପଡ଼ୁ ନାହିଁ। ତେଣୁ ବସ୍ତିର ମ୍ୟାପିଂ ସହିତ ଚିହ୍ନଟ ହୋଇପାରି ନ ଥିବା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଉପରେ ଶ୍ରୀ କୁମାର ଗୁରୁତ୍ୱ ଦେଇଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା କହିଲେ, ଏଚ୍‌ଆଇଭି ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର ବିଷୟ। ଏଥିପାଇଁ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ଗୋଷ୍ଠୀସ୍ତରରେ ସ୍କ୍ରିନିଂ ଆରମ୍ଭ ହୋଇଛି। ବିଶେଷକରି ଏଚ୍‌ଆଇଭି-ଯକ୍ଷ୍ମା ଉଭୟରେ ଆକ୍ରାନ୍ତ ଥିବା ବ୍ୟକ୍ତି ମଧ୍ୟ ସମସ୍ୟା ପାଲଟିଛନ୍ତି। ତେଣୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଡା.ମେହେର୍ଦା କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇଜି(ଜେଲ୍‌) ଗୋପବନ୍ଧୁ ମଲ୍ଲିକ୍‌, ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଯକ୍ଷ୍ମା ଅଧିକାରୀ ଡା.ପ୍ରଶାନ୍ତ କୁମାର ହୋତା, ରାଜ୍ୟ ଆଇନ ସେବା କର୍ତୃପକ୍ଷର ଉପ-ସଚିବ ଦୀପକ ରଂଜନ ସାହୁ, ଓସାକ୍‌ସର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଡା. ରାମଚନ୍ଦ୍ର ରାଉତ ଓ ସାଥୀ ସଂଗଠନର ସଭାପତି ଶୁଭଶ୍ରୀ ରାଘବନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଓସାକ୍ସର ଏଚ୍‌ଆଇଭି-ଯକ୍ଷ୍ମା ସମନ୍ଵିତ କାର୍ଯ୍ୟକ୍ରମ ପୁସ୍ତିକା ଓ ଓସାକ୍ସର ବାର୍ଷିକ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ଓସାକ୍ସର ପ୍ରକଳ୍ପ ନିର୍ଦେଶକ ଡା.ସଞ୍ଜୟ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର