କଳାବ୍ୟାଜ୍ ପିନ୍ଧିଲେ ହାଉସ୍‌ ସର୍ଜନ

କଟକ : ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ଶୁକ୍ରବାରଠାରୁ ଏସ୍‌ସିବି ସମେତ ରାଜ୍ୟର ତିନି ମେଡିକାଲ କଲେଜର ୫୫୦ଜଣ ହାଉସ୍‌ ସର୍ଜନ ଡାକ୍ତର କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିଛନ୍ତି। ଏଥିରେ ଏସ୍‌ସିବିର ୨୫୦, ଭୀମ୍‌ସାରର ଓ ଏମ୍‌କେସିଜିର ଦେଢଶହ ଜଣ ଲେଖାଏ ହାଉସ୍‌ସର୍ଜନ ସାମିଲ ହୋଇଛନ୍ତି। କିନ୍ତୁ ସେମାନେ ଓପିଡି, ଆଉଟ୍‌ଡୋର, ୱାର୍ଡ ସମେତ କୋଭିଡ୍‌ ହସ୍ପିଟାଲର ଡ୍ୟୁଟି କରିଛନ୍ତି।

ଆଜିଠାରୁ ଆରମ୍ଭ ହୋଇଥିବା ଏହି କଳାବ୍ୟାଜ୍ ପିନ୍ଧି କାର୍ଯ୍ୟକରିବା ଅଭିଯାନ ୨୭ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତା’ ଭିତରେ ଯଦି ସରକାର ଦାବି ପୂରଣ ନକରନ୍ତି, ୨୮ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ହାଉସ୍‌ସର୍ଜନ ସଂଘ ପକ୍ଷରୁ କୁହାଯାଇଛି। ସଂଘର ସଭାପତି ଡାକ୍ତର ଦୀପକ କୁମାର ସାମଲ, ଉପସଭାପତି ଡାକ୍ତର ପ୍ରତ୍ୟୁଷ କୁମାର ସେନାପତି, ସଂପାଦକ ଡାକ୍ତର ଗୌରବ ସିଟ୍‌, ସହ ସଂପାଦକ ଡାକ୍ତର ସନ୍ଦୀପ ଦାଶ, ଡାକ୍ତର ପ୍ରଜ୍ଞା ଦାଶ, ଜୋନାଲି ବିଶ୍ବାଳ, ଡାକ୍ତର ସୁପ୍ରିୟା ହଳଧରଙ୍କ ସମେତ ଏସ୍‌ସିବିର ଅଢେଇ ଶହ ହାଉସ୍‌ ସର୍ଜନ କଳାବ୍ୟାଜ୍ ପିନ୍ଧି ଆଉଟ୍‌ଡୋର କାଜୁଆଲିଟି ଓ କୋଭିଡ୍‌ ହସ୍ପିଟାଲର କାର୍ଯ୍ୟ କରିଥିଲେ। ଏସ୍‌ସିବି ମେଡିକାଲ ହାଉସ୍‌ ସର୍ଜନ ସଂଘ ବାରମ୍ବାର ରାଜ୍ୟସରକାରଙ୍କୁ ପତ୍ର ଲେଖି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ନିବେଦନ କରି ଆସିଥିଲେ ବି ସରକାର ଏ ଦିଗରେ ପଦକ୍ଷେପ ନେଉ ନଥିବାରୁ ସଂଘ ଏଭଳି ଚରମ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର