ମୋବାଇଲ ନ ଥିବା ଚାଷୀ କିପରି ସାମାଜିକ ଗଣମାଧ୍ୟମରେ ସୂଚନା ପାଉଛନ୍ତି: ବିଜେପି

ଭୁବନେଶ୍ୱର : ଚାଷୀମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ହେଲେଣି। ଟ୍ବିଟର ଓ ହ୍ୱାଟସ୍‌ଆପ୍‌ରେ ସମସ୍ତ ସୂଚନା ସରକାରଙ୍କ ଠାରୁ ଚାଷୀମାନଙ୍କ ପାଖକୁ ପହଞ୍ଚାଯାଇଛି ବୋଲି କୃଷି ମନ୍ତ୍ରୀ ଗତକାଲି ଏକ ଭର୍ଚୁଆଲ ବୈଠକରେ କହିଥିଲେ। ଏହାକୁ ସମାଲୋଚନା କରିଛି ବିଜେପି। ମୋବାଇଲ୍‌ ନ ଥିବା ଚାଷୀ କିପରି ସାମାଜିକ ଗଣମାଧ୍ୟମରେ ସୂଚନା ପାଉଛି ବୋଲି ଦଳ ପ୍ରଶ୍ନ କରିଛି।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ କହିଛନ୍ତି ଯେ ଏତେ ଦିନ ପରେ ରାଜ୍ୟ ସରକାରଙ୍କର ସାମାଜିକ ଗଣମାଧ୍ୟମରେ ଚାଷୀଙ୍କୁ ଯୋଡ଼ିବା କଥା କିପରି ମନେ ପଡିଲା? କିଛି ବର୍ଷ ପୂର୍ବେ ଚାଷୀମାନଙ୍କୁ ସରକାର ମୋବାଇଲ ଦେବା କଥା କହିଥିଲେ। ସେହି ମୋବାଇଲ କେତେ ଜଣ ଚାଷୀ ପାଇଲେ ଏବଂ ତାର କ’ଣ ବ୍ୟବହାର ହୋଇଛି, ତାହାର ଉତ୍ତର କାହା ପାଖ‌େର ନାହିଁ। ଏବେ ବି ରାଜ୍ୟରେ ଲକ୍ଷ ଲକ୍ଷ ଚାଷୀଙ୍କ ପାଖରେ ମୋବାଇଲ ନାହିଁ । ରାଜ୍ୟରେ କୃଷି ବିଭାଗ ସଂପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇ ପଡ଼ିଛି। ଚାଷୀଙ୍କ ପାଖରେ ଠିକ୍ ସମୟରେ ବିହନ, ସାର ଓ କୀଟନାଶକ ପହଞ୍ଚି ପାରୁ ନ ଥିବା ସମୟରେ ରାଜ୍ୟ ସରକାର ଚାଷୀଙ୍କୁ ଆଗୁଆ ପାଣିପାଗ ଜଣାଇବା କଥା କହୁଛନ୍ତି। ଅନ୍ୟ ପଟେ ରାଜ୍ୟର ସମସ୍ତ ଏମ୍‌ଆଇ ପଏଣ୍ଟ ଓ ଏଲ୍‌ଆଇ ପଏଣ୍ଟ ଅଚଳ ହୋଇ ପଡ଼ିଛି। ସେଥି ପ୍ରତି ସରକାର ଦୃଷ୍ଟି ଦେଉ ନାହାନ୍ତି। ସରକାରଙ୍କ ପାଖରେ ଚାଷୀଙ୍କ ତାଲିକା ନ ଥିବା ଯୋଗୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଓଡ଼ିଆ ଚାଷୀଙ୍କର ତାଲିକା କେନ୍ଦ୍ର ସରକାରଙ୍କୁ ଦିଆଯାଉ ନାହିଁ। ଫଳରେ ଓଡ଼ିଆ ଚାଷୀ ନିଜ ଅଧିକାରରୁ ବଞ୍ଚିତ ହେଉଛି। ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ଖୋଲିବାକୁ ହୋଇଥିବା ଘୋଷଣା କାର୍ଯ୍ୟକାରୀ ହେଲା ନାହିଁ। କାଳିଆ ଓ ପିଠା ଯୋଜନା କୁଆଡ଼େ ଗଲା ? ଦୀର୍ଘଦିନ ହେଲା ପଡିରହିଥିବା ଜଳସେଚନ ପ୍ରକଳ୍ପ ଗୁଡିକ ୨୧ ବର୍ଷ ଭିତରେ ହୋଇପାରିଲା ନାହିଁ କାହିଁକି? ଚାଷୀମାନଙ୍କୁ ଏହାର ଉତ୍ତର କୃଷି ମନ୍ତ୍ରୀ ପ୍ରଥମେ ଦିଅନ୍ତୁ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର