ଉପକୂଳରେ ରାଜପଥ ଦାବିକରି ଶହେ କିମି ପଦଯାତ୍ରା

ଭୁବନେଶ୍ବର : ଭାରତମାଳା ପରିଯୋଜନା ଅନ୍ତର୍ଗତ ପ୍ରସ୍ତାବିତ ଉପକୂଳ ରାଜପଥ ସ୍ଥାନାନ୍ତରଣ ପ୍ରତିବାଦ ଆଜି ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଥିଲା‌। ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ଯୁବ ସଙ୍ଗଠନ ‘ଭଏସ୍‌ ଅଫ୍‌ ବାଲିକୁଦା’ର ସଦସ୍ୟମାନେ ପ୍ରାୟ ଶହେ କିଲୋମିଟର ପଦଯାତ୍ରାରେ ଆସି ରାଜଧାନୀରେ ପହଞ୍ଚିଥିଲେ। ହାତରେ ପ୍ଲାକାର୍ଡ, ବ୍ୟାନର ଧରି ଯୁବକମାନେ ପାଦରେ ଚାଲି ଚାଲି ପ୍ରତିବାଦ କରିଥିଲେ। ଆମ ରାଜପଥ ଫେରାଇ ଦିଅ ସ୍ଲୋଗାନ୍‌ ଦେଇ ସରକାରଙ୍କୁ ହକ୍‌ ମାଗିଥିଲେ। ନବୀନ ନିବାସ ଅଭିମୁଖେ ଯିବାକୁ ପୁଲିସ ନଦେବାରୁ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଉପକୂଳ ରାଜପଥ ସ୍ଥାନାନ୍ତରଣକୁ ଦୀର୍ଘ ଦିନ ଧରି ‘ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି’ ବିରୋଧ କରିଆସୁଛି। ଏହି କ୍ରମରେ ‘ଭଏସ୍‌ ଅଫ୍‌ ବାଲିକୁଦା’ ସଙ୍ଗଠନ ପକ୍ଷରୁ ସମୁଦ୍ର ତଟରେ ଥିବା ମରିଚପୁର ପଞ୍ଚାୟତ ମା’ ବନ୍ଦରେଇ ପୀଠରେ ଗତ ୩୦ ତାରିଖରେ ଏକ ସଭା କରାଯାଇଥିଲା। ୩୧ ତାରିଖ ଦିନ ମରିଚିପୁର ବଜାରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନବୀନ ନିବାସ ଅଭିମୁଖେ ଯୁବକମାନେ ପଦଯାତ୍ରାରେ ବାହାରିଥିଲେ। ଗତକାଲି ରାତିରେ ନଖରା ନିକଟରେ ରାତ୍ରିଯାପନ ପରେ ଆଜି ସକାଳୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ। ତେବେ ପୁଲିସ ଆନ୍ଦୋଳନକାରୀଙ୍କୁ ନବୀନ ନିବାସ ଯିବାକୁ ଦେଇନଥିଲା। ଶେଷରେ ଲୋୟର୍‌ ପିଏମ୍‌ଜିରେ ଯୁବକମାନେ ଦିନ ସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାରେ ସଂଗଠନର ସଭାପତି କିଶୋର ମହାନ୍ତି, ସମ୍ପାଦକ ଆଲୋକ ବେହେରା, ବୃନ୍ଦାବନ ଜେନା ଓ ଆଶିଷ ସ୍ବାଇଁ ପ୍ରମୁଖ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ।

ଲୋୟର୍‌ ପିଏମ୍‌ଜିରେ ‘ଭଏସ୍‌ ଅଫ୍‌ ବାଲିକୁଦା’ ପକ୍ଷରୁ ବିକ୍ଷୋଭ
ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଜଣାଇଲେ ପ୍ରତିନିଧି ମଣ୍ଡଳୀ

ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ରାଜପଥକୁ ଉପକୂଳରେ କରାନଯାଇ ୨୫ କିମି ଦୂରକୁ ସ୍ଥାନାନ୍ତର କରାଯାଇଛି। ଯାହାର କୌଣସି ପ୍ରୟୋଜନ ନାହିଁ। ପରିବେଶ ସୁରକ୍ଷା ଦୃଷ୍ଟିରୁ ଚିଲିକା, ବାଲୁଖଣ୍ଡ ଓ ଭିତରକନିକା ଠାରୁ ଉପକୂଳ ରାଜପଥକୁ ଦୂରରେ ନେବା ପାଇଁ ଏକ୍ସପର୍ଟ ଆପ୍ରାଇଜାଲ୍‌ କମିଟି ପ୍ରସ୍ତାବ ଦେଇଥିଲେ। ବାଲୁଖଣ୍ଡ ନିକଟରେ ସମୁଦ୍ରଠାରୁ ମାତ୍ର ୫ କିମି ଦୂରରେ ଏହି ରାସ୍ତା ନିଆଯାଉଥିବା ବେଳେ ଜଗତସିଂହପୁର ଜିଲ୍ଲା‌ରେ ଉପକୂଳଠାରୁ ୨୫ କିମି ଦୂରରେ ନିଆଯାଉଛି। ଉପକୂଳବାସୀଙ୍କ ନାର୍ଯ୍ୟ ଅଧିକାରକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଷଡ଼ଯନ୍ତ୍ର କରି ଛଡ଼ାଇ ନେଇଛନ୍ତି। ଏହି ରାଜପଥକୁ ଉପକୂଳବାସୀ ସ୍ବାଗତ କରୁଥିବା ବେଳେ ନକ୍ସା-୩ ଅନୁସାରେ ୨୫ କିମି ଦୂ‌ରରେ ଯାଉଥିବା ସ୍ଥାନରେ ‌ବିରୋଧ କରାଯାଉଛି। କାରଣ ୨୫ କିମି ଦୂରରେ ଥିବା ଲୋକମାନଙ୍କର ଗମନାଗମନର ବିଶେଷ ଅସୁବିଧା ନାହିଁ। ସେଠାରେ ଉପକୂଳ ରାଜପଥ ଗଲେ ଶହ ଶହ ଲୋକଙ୍କ ଘର ଭାଙ୍ଗିବ, ମୂଲ୍ୟବାନ ଜମି ଚାଲିଯିବ। ୨୦ ପ୍ରତିଶତ ଲୋକ ଭୂମିହୀନ ହୋଇଯିବେ। ହେଲେ ଉପକୂଳରେ ରାଜପଥ ହେଲେ ଜଗତସିଂହପୁର ଜିଲ୍ଲାରେ ପରିବେଶ ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ, କିମ୍ବା ସାଧାରଣ ଲୋକଙ୍କର ବଡ଼ କ୍ଷତି ହେବ ନାହିଁ। ଏଥିସହ ଉପକୂଳରେ ଅଧିକାଂଶ ସରକାରୀ ଜମି ରହିଥିବାରୁ ରାସ୍ତା ନିର୍ମାଣ ସୁରୁଖୁରୁରେ ହୋଇପାରିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଖୁବ୍‌ ଶୀଘ୍ର ଉଦ୍ଧାରକାରୀ ଟିମ୍‌ ପହଞ୍ଚି ପାରିବ। ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ, ତଟ ସୁରକ୍ଷା ବି ହୋଇପାରିବ। ଏହାଦ୍ବାରା ଉପକୂଳବାସୀଙ୍କ ଅର୍ଥନୈତିକ ବିକାଶ ମଧ୍ୟ ହେବ।

ତେଣୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ସମନ୍ବୟ ରକ୍ଷା କରି ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ରଙ୍କ ନିକଟରେ ଦାବି କରିଛି ସଂଗଠନ। ଭଏସ୍‌ ଅଫ୍‌ ବାଲିକୁଦା ସହ ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଧ୍ୟ ଏକ ଦାବିପତ୍ର ଶ୍ରୀ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। ତେବେ ଶ୍ରୀ ମହାପାତ୍ର ସକାରାତ୍ମକ ମତ ଦେବା ସହ ଖୁବ୍‌ ଶୀଘ୍ର ଏସମ୍ପର୍କରେ ସରକାର ‌ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିବା ପ୍ରତିନିଧି ମଣ୍ଡଳୀ ସୂଚନା ଦେଇଛି। ଏଥିରେ ରାଜେଶ ମହାରଣା, ବିଜୟ ଦାସ, ଅଶ୍ବିନୀ ରାଉତ, ସୁଧନ ମହାନ୍ତି, ଜିତୁ ବିଶ୍ବାଳ, ମାନସ ବେହେରା, ଆଶିଷ ସ୍ବାଇଁ, ବିକ୍ରମ ସ୍ବାଇଁ, ଜଗନ୍ନାଥ ରାଉତଙ୍କ ନେତୃତ୍ବରେ ଶତାଧିକ ଯୁବକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର