ଶିକାରୀ ହେଲା ଶିକାର : ବାର୍‌ହା ସହ ପ୍ରାଣଗଲା

ମହାକାଳପଡ଼ା : ବାର୍‌ହା ଶିକାର କରିବାକୁ ଉଦ୍ୟମ କରୁଥିବା ଜଣେ ଶିକାରି ବାରହା ସହିତ ନିଜେ ବି ପ୍ରାଣ ହରାଇଛନ୍ତି। ବିଦ୍ୟୁତ୍ ଆଘାତରେ ବାର୍‌ହା ଓ ଶିକାରୀଙ୍କ ପ୍ରାଣ ଯାଇଥିବା କୁହାଯାଉଛି। ମହାକାଳପଡ଼ା ଜମ୍ବୁ ପଞ୍ଚାୟତ ପୂର୍ବପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି।

ପୂର୍ବପଡ଼ା ଗ୍ରାମ ନିକଟ ଚାଷ ଜମିରେ ଆଜି ସକାଳେ ଏକ ବାର୍‌ହା ମରି ପଡ଼ିଥିବା ବେଳେ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ବିଜୟ ମିର୍ଦ୍ଧା (୩୫)। ଘଟଣାସ୍ଥଳରେ ରଡ୍‌ ବନ୍ଧା ଯାଉଥିବା କିଛି ବାଇଣ୍ଡି ତାର ପଡ଼ିଥିବା ଦେଖିବାକୁ ମିଳିଥିଲା। ବିଜୟଙ୍କ ଘର ଘଟଣାସ୍ଥଳରୁ ମାତ୍ର ୧୫୦ ମିଟର ଦୂରରେ। ତାଙ୍କ ଘରୁ ବିଦ୍ୟୁତ ସ˚ଯୋଗ କରାଯାଇ ବାର୍‌ହା ଶିକାର ପାଇଁ ଯୋଜନା କରାଯାଇଥିବା ସନ୍ଦେହ କରାଯାଉଛି। ବାର୍‌ହା ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ା ଚିହ୍ନ ରହିଛି। ବିଦ୍ୟୁତ୍‌ ଆଘାତ ପାଇବା ପରେ ବାର୍‌ହାଟିକୁ କାବୁ କରିବାକୁ ଯାଇ ବିଜୟ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଏ ସ˚ପର୍କରେ ଜମ୍ବୁ ମେରାଇନ୍‌ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବିଜୟଙ୍କ ମୃତଦେହ ବ୍ୟବଚ୍ଛେଦ ନିମେନ୍ତ ଜିଲ୍ଲା ଡ଼ାକ୍ତରଖାନାକୁ ପଠାଯାଇଛି। ମୃତ ବାର୍‌ହାର ବ୍ୟବଚ୍ଛେଦ କରାଯାଇଛି।

କିଛି ମାସ ତଳେ ଲାଞ୍ଜୁଡ଼ା ପଞ୍ଚାୟତ ଅଧୀନ ବିଲଲାଞ୍ଜୁଡ଼ା ଗ୍ରାମର ଜଣେ ଯୁବକ ବାର୍‌ହା ଶିକାର କରିବାକୁ ଯାଇ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ। ଏ ଦିଗରେ ଜଙ୍ଗଲ ଓ ପୁଲିସ ବିଭାଗ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର