ବ୍ରଜରାଜନଗର : ଠେଙ୍ଗାରେ ପିଟି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ବ୍ରଜରାଜନଗର : ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ଏପରି ବୀଭତ୍ସ ଘଟଣା ଘଟିଛି ବ୍ରଜରାଜନଗର ଥାନା ଅନ୍ତର୍ଗତ ଲୁଇସିଙ୍ଗ ପଞ୍ଚୟତ ବଘିଆବେର୍ଣ୍ଣା ଗ୍ରାମରେ। ଶନିବାର ବିଳମ୍ବିତ ରାତିରେ ଗାଁର ପ୍ରଦୀପ ଖଡ଼ିଆ (୩୫)ର ଠେଙ୍ଗା ମାଡ଼ରେ ପତ୍ନୀ ଅଞ୍ଜନା ଖଡ଼ିଆ(୩୦)ଙ୍କ ମୃତ୍ୟୁ ଘଟିଛି। ମୃତ ଅଞ୍ଜନାଙ୍କ ଭାଇ ଗୋରେଖ ଖଡ଼ିଆଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଦୀପକୁ ଅଟକ ରଖି ପଚରାଉଚରା କରୁଥିବା ବ୍ରଜରାଜନଗର ଏସ୍‌ଡିପିଓ ଦିଲ୍ଲୀପ ଦାସ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ପୁଲିସ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧନ ଜାରି ରଖିଛି।

ପୁଲିସ ସୂଚନା ଅନୁଯାୟୀ ଶନିବାର ରାତିରେ ପ୍ରଦୀପ ମଦ ପିଇ ଘରକୁ ଫେରିଥିଲା। ନିଶାସକ୍ତ ଅବସ୍ଥାରେ ପତ୍ନୀ ଅଞ୍ଜନାଙ୍କ ସହିତ ପାଟିତୁଣ୍ଡ କରିଥିଲା। ରାତିରେ ଖାଇ ସାରିବା ପରେ ପ୍ରଦୀପ  ଅଞ୍ଜନାଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ସେ ଟଙ୍କା ଦେବାକୁ ମନା କରି ଦେଇଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ପ୍ରଦୀପ ହିତାହିତ ଜ୍ଞାନ ଭୁଲି ଘରେ ଥିବା ଏକ ଠେଙ୍ଗାରେ ଅଞ୍ଜନାକୁ ପିଟି ଚାଲିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସକାଳୁ ଉଠି ପ୍ରଦୀପ କିଛି ନଜାଣିଲା ଭଳି ବୁଲୁଥିବା ଲୋକେ ଦେଖିଥିଲେ। କୌଣସି ସୂତ୍ରରୁ ଭଉଣୀର ମୃତ୍ୟୁ ଖବର ପାଇ ଦର୍ଲିପାଲିରେ ଥିବା ସମ୍ପର୍କୀୟ ଭାଇ ଗୋରେଖ ଏ ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ ଏସ୍‌ଡିପିଓ ଶ୍ରୀ ଦାସ, ବ୍ରଜରାଜନଗର ଥାନା ଆଇଆଇସି ନଳିତା ମୋଦି, ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼, ଚୂଡାମଣି ମହାନନ୍ଦ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ  ଅଟକ ରଖି ପଚରାଉଚରା କରିଥିଲେ। ମୃତ ଅଞ୍ଜନାଙ୍କ ୭ ବର୍ଷର ପୁଅ ଅଛି।

ସମ୍ବନ୍ଧିତ ଖବର