ମୟୂରଭଞ୍ଜ : ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ବଡ଼ସାହି/ମାଣତ୍ରୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ରାତିରେ ମୟୂରଭଞ୍ଜ ବଡ଼ସାହି ଥାନା ପଟିସାରୀ ପଞ୍ଚାୟତ ତେନ୍ତୁଳିଗାଁ ଗ୍ରାମରେ ଜଣେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଓ ତାଙ୍କର କିଛି ସମର୍ଥକଙ୍କ ପାଲଟା ଆକ୍ରମଣରେ ଦୁଇଜଣ ଅଭିଯୁକ୍ତ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଖରୀ ଓ ହାଟ ନିଲାମକୁ ନେଇ ତେନ୍ତୁଳିଗାଁ ଗ୍ରାମର ରବୀନ୍ଦ୍ର ଦେହୁରୀ (୬୫)ଙ୍କ ସହିତ ଅନ୍ୟ ଏକ ଗୋଷ୍ଠୀର ଦୀର୍ଘଦିନରୁ ଶତ୍ରୁତା ଲାଗି ରହିଥିଲା। ଏହାକୁ ନେଇ ଶନିବାର ପୂର୍ବାହ୍ନରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ବାକ୍‌ବିତଣ୍ଡା ହୋଇଥିବା ବେଳେ ରବୀନ୍ଦ୍ରଙ୍କୁ ଜୀବନରୁ ମାରିଦେବାକୁ ପ୍ରତିପକ୍ଷ ଗୋଷ୍ଠୀର ଦିଲ୍ଲୀପ ଜେନା ଓ ତାଙ୍କ ପୁଅ ଗୋଲକ ଜେନା ଧମକ ଦେଇଥିଲେ ବୋଲି ରବିନ୍ଦ୍ରଙ୍କ ସ୍ତ୍ରୀ ଗୁରୁବାରୀ ଅଭିଯୋଗ କରିଛନ୍ତି। ଗାଁ ହାଟ ପଡିଆ ନିକଟରେ କରିଥିବା ଦୋକାନକୁ ଶୋଇବା ପାଇଁ ରବୀନ୍ଦ୍ର ଗତକାଲି ରାତିରେ ଘରୁ ଖାଦ୍ୟ ନେଇ ନିଜ ମୋଟର ସାଇକେଲରେ ଯାଉଥିଲେ। ଯୋଜନା ଅନୁସାରେ ପୂର୍ବରୁ ଛକି ରହିଥିବା ସେହି ଗ୍ରାମର ଦିଲ୍ଲୀପ ଜେନା, ତାଙ୍କ ପୁଅ ଗୋଲକ ଜେନା ଓ ରବି ସିଂ ମିଳିତ ଭାବେ ରବୀନ୍ଦ୍ରଙ୍କୁ ବାଉଁଶ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ରବୀନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ଖବର ପାଇ ରବୀନ୍ଦ୍ରଙ୍କ ପରିବାର ଓ ତାଙ୍କର କେତେକ ସମର୍ଥକ ସେଠାରେ ପହଞ୍ଚି ଅଭିଯୁକ୍ତ ଦିଲ୍ଲୀପ ଓ ରବିକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଉଭୟ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତ ଗୋଲକ ସେଠାରୁ ଫେରାର ହୋଇ ଯାଇଥିଲା। ଖବର ପାଇ ବଡ଼ସାହି ଥାନା ଆଇଆଇସି ଜୟନ୍ତ କୁମାର ବେହେରା ଓ ପୁଲିସ ଷ୍ଟାଫ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦଳା ଡାକ୍ତରଖାନାକୁ ପଠାଇଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ବାଉଁଶ ଠେଙ୍ଗାକୁ ପୁଲିସ ଜବତ କରିଛି। ବେତନଟୀ ଏସ୍‌ଡିପିଓ ଲଳିତ ପଟ୍ଟନାୟକ ଓ ସାଇଣ୍ଟିଫିକ ଟିମ୍‌ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ଏ ନେଇ ଥାନା କେସ୍ ନଂ ୮୪/୨୦୨୦ ରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର