ସ୍ତ୍ରୀର ମୃତ୍ୟୁ ପ୍ରମାଣପତ୍ର ପାଇଁ ଡାକ୍ତରଖାନା ଦୌଡ଼ୁଛନ୍ତି ସ୍ବାମୀ

ସୁନ୍ଦରଗଡ଼/ହେମଗିର: ସ୍ତ୍ରୀର ମୃତ୍ୟୁ ପ୍ରମାଣପତ୍ର ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡ଼ୁଛନ୍ତି ସ୍ବାମୀ। ହେମଗିର ବ୍ଲକ୍ ରତନପୁର ଗାଁର ସାଗର ବାଗ। ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗଲେ, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯିବାକୁ କହୁଛନ୍ତି। ସୁନ୍ଦରଗଡ଼ ଗଲେ ହେମଗିର ପଠାଇ ଦେଉଛନ୍ତି। ୩ ଦିନ ମଧ୍ୟରେ ମିଳିବାକୁ ଥିବା ପ୍ରମାଣପତ୍ରଟେ ପାଇଁ ୬୨ ବର୍ଷ ବୟସରେ ୧୦ ଦିନ ହେଲା ଧାଇଁ ଧାଇଁ ନୟାନ୍ତ ହେଲେଣି ସାଗର। ଜୁନ ୧୩ ତାରିଖରେ ସ୍ତ୍ରୀ ଆଶା ହଠାତ ଅସୁସ୍ଥ ହେବା ପରେ ସାଗର ତାଙ୍କୁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

୧୪ ତାରିଖରେ ସୁନ୍ଦରଗଡ଼ ନେବା ବାଟରେ ଆଶାଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ତ୍ରୀ ମୃତ୍ୟୁ ପରେ  ଗରିବ ସାଗର କିଛି ସରକାରୀ ସହାୟତା ପାଇବା ଆଶାରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଆଜି ଯାଏ ପ୍ରମାଣପତ୍ର ମିଳି ନାହିଁ। ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗଲେ ବିଭାଗୀୟ କର୍ମଚାରୀ  ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଉଛନ୍ତି, ସୁନ୍ଦରଗଡ଼ ଗଲେ ହେମଗିର ଯିବାକୁ କହୁଛନ୍ତି। ରତନପୁରରୁ ହେମଗିର, ପୁଣି ସେଠାରୁ  ସୁନ୍ଦରଗଡ଼ ୬୦ କିଲୋମିଟର ଧାଇଁ ଧାଇଁ ଥକି ପଡ଼ିଲେଣି। କର୍ମଚାରୀ କିଛି ଅର୍ଥ ଆଶାରେ ପ୍ରମାଣପତ୍ର ପାଇଁ ବୃଦ୍ଧ ସାଗରଙ୍କୁ ଏମିତି ହେମଗିର, ସୁନ୍ଦରଗଡ଼ କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର