ଆଇଆଇଏମ୍‌ ଟପ୍ପରଙ୍କୁ ମିଳିବ ସିଗନେଚର ଆୱାର୍ଡ

ଆଇସିଏସ୍‌ଆଇ ସହ ଏମ୍‌ଓୟୁ ସ୍ବାକ୍ଷରିତ

ସମ୍ବଲପୁର : କର୍ପୋରେଟ ଗଭର୍ଣ୍ଣାସରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ଦେଶର ସମସ୍ତ ଆଇଆଇଏମ୍‌ ଟପ୍ପରଙ୍କୁ ସ୍ବର୍ଣ୍ଣ ପଦକ ଓ ସିଗନେଚର ଆୱାର୍ଡ ପ୍ରଦାନ କରିବ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନି ସେକ୍ରେଟାରିସ୍‌ ଅଫ ଇଣ୍ଡିଆ। ଏହି ପରିପ୍ରେକ୍ଷୀରେ ସୋମବାର ସମ୍ବଲପୁର ଆଇଆଇଏମ୍‌ ସହ ଆଇସିଏସ୍‌ଆଇ ସହ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି। ଆଇଆଇଏମ୍‌ ସମ୍ବଲପୁର ନିର୍ଦେଶକ ପ୍ରଫେସର ମହାଦେଓ ଜୟଶ୍ବାଲ ନିଜର ବକ୍ତବ୍ୟ ରଖି ଏଭଳି ଏକ ପଦକ୍ଷେପ ଅନୁଷ୍ଠାନ ପାଇଁ ସ୍ବାଗତ ଯୋଗ୍ୟ ବୋଲି କହିଛନ୍ତି। ପ୍ରଫେସର ଜୟଶ୍ବାଲ କହିଛନ୍ତି ଯେ ବିଗତ ୫ ବର୍ଷ ମଧ୍ୟରେ ଦେଶର ରାଜନୈତିକ କ୍ଷେତ୍ରରେ ଯଦିଓ ଦୁର୍ନୀତି ଓ ସ୍କାମ୍‌ର ମାତ୍ରା ହ୍ରାସ ପାଇଛି କିନ୍ତୁ କର୍ପୋରେଟ କ୍ଷେତ୍ରରେ ଏହା କମିପାରିନାହିଁ। ତେଣୁ ଆଇଆଇଏମ୍‌ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରୁ ୨ ବର୍ଷ ପାଠପଢ଼ି ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ କର୍ପୋରେଟ କ୍ଷେତ୍ରରେ ଏଭଳି ଦୁର୍ନୀତିକୁ ନିୟନ୍ତ୍ରଣ କରିବାର ମୁଖ୍ୟ ବିନ୍ଧାଣୀ ସାଜିବେ। ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କର ସମାବର୍ତ୍ତନ ଉତ୍ସବ ସମୟରେ ଆଇଆଇଏମ୍‌ ପକ୍ଷରୁ ପ୍ରଦାନ କରାଯାଉଥିବା ସ୍ବର୍ଣ୍ଣ ପଦକ ସାଙ୍ଗରେ ଏହି ସିଗନେଚର ଆୱାର୍ଡ ପ୍ରଦାନ କରାଯିବ ବୋଲି ପ୍ରଫେସର ଜୟଶ୍ବାଲ କହିଛନ୍ତି। ଏହାସହିତ ଆଇସିଏସ୍‌ଆଇର ମିଳିତ ଆନୁକୂଲ୍ୟରେ ଆଇଆଇଏମ୍‌ ସମ୍ବଲପୁର ବିଭିନ୍ନ କର୍ମଶାଳା ଓ ଗବେଷଣା କାର୍ଯ୍ୟକ୍ରମ ମଧ୍ୟ କରିବ ବୋଲି ସଭାରେ ସୂଚନା ପ୍ରଦାନ କରାଯାଇଥିଲା। ଆଇଆଇଏମ୍‌ ସମ୍ବଲପୁର ନିର୍ଦେଶକ ପ୍ରଫେସର ଜୟଶ୍ବାଲ, ଆଇସିଏସ୍‌ଆଇ ଦିଲ୍ଲୀ ନିର୍ଦେଶକ ଡ.ଏସ୍‌.କେ.ଜେନା ଓ ପରିଚାଳନା କମିଟି ସଦସ୍ୟ ଅଜୟ କୁମାର ମାଝୀଙ୍କ ମଧ୍ୟରେ ଏହି ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଏହି ସମୟରେ ଆଇଆଇଏମ୍‌ ସମ୍ବଲପୁରର ସମସ୍ତ ଶିକ୍ଷକ, ଆଇସିଏସ୍‌ଆଇ ଦିଲ୍ଲୀ ଓ ଭୁବେନଶ୍ବର ଚାପ୍ଟରର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର